ଆଜି ଦ୍ବିତୀୟ ଟି-୨୦: ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ବୋଲ୍ଟ ମୋ ଦୁର୍ବଳତା, ଆଉ ମୁଁ ତାଙ୍କ ଶକ୍ତି ଜାଣିଛି: ରୋହିତ

ରାଞ୍ଚି: ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟ୍ବେଣ୍ଟି-୨୦ ଶୁକ୍ରବାର ଏଠାରେ ଖେଳାଯିବ। ପ୍ରଥମ ଟ୍ବେଣ୍ଟି-୨୦କୁ ଜିତି ନେଇଥିବାରୁ ଭାରତ ଏହି ମ୍ୟାଚ୍‌କୁ ଜିତି ଶୃଙ୍ଖଳା ଉପରେ ଆଗୁଆ କବ୍‌ଜା କରିନେବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ପ୍ରଥମ ବିଜୟ ହାସଲ କରିବା ସହ ଶୃଙ୍ଖଳା ବଞ୍ଚାଇବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଶୃଙ୍ଖଳା ନିର୍ଣ୍ଣାୟକ ହୋଇଥିବାରୁ ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ନିଜ ପ୍ରଥମ ମ୍ୟାଚ୍‌କୁ ଜିତି ସଫଳ ଆରମ୍ଭ କରିଛନ୍ତି। ଶୁକ୍ରବାର ବିଜୟୀ ହେଲେ ଏହି ଦୁଇ ଜଣଙ୍କର ମିଳିତ ଭାବେ ଏହା ପ୍ରଥମ ଶୃଙ୍ଖଳା ବିଜୟ ହେବ। ଅନ୍ୟପକ୍ଷରେ ଭାରତ ଘରୋଇ ମାଟିରେ ଲଗାତାର ପଞ୍ଚମ ଦ୍ବିପାକ୍ଷିକ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ଜିତିବ।

ବୁଧବାର ରାଜସ୍ଥାନର ଜୟପୁରରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଶୀର୍ଷକ୍ରମର ଚମତ୍କାର ପ୍ରଦର୍ଶନ ସହ ଡେଥ୍ ଓଭରଗୁଡ଼ିକରେ ବୋଲରଙ୍କ ନିୟନ୍ତ୍ରଣଭରା ବୋଲିଂ ପାଇଁ ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା। ତା ସହ ସବୁ ଫର୍ମାଟ୍‌କୁ ମିଶାଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତାର ୭ ପରାଜୟବରଣ ଧାରାକୁ ବି ଭାଙ୍ଗିଥିଲା। ହେଲେ ମଧ୍ୟକ୍ରମ ପୁଣି ଥରେ ପ୍ରଭାବହୀନ ପ୍ରଦର୍ଶନ କରିଥିଲା। ଶ୍ରେୟସ୍ ଆୟର ଓ ଋଷଭ ପନ୍ତ ଗୋଟିଏ ଗୋଟିଏ ରନ୍ ପାଇଁ ସଂଘର୍ଷ କରିବା ନିଶ୍ଚିତ ଭାବେ ଦ୍ରାବିଡ଼-ରୋହିତଙ୍କୁ ଚିନ୍ତାରେ ପକାଇଥିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳ ଏକପ୍ରକାର ଭଲ ଖେଳିଥିଲା। ତଥାପି ଦଳର ଅନେକ ଦୁର୍ବଳତା ଦୂର ହୋଇନଥିଲା। ଯାହାକୁ ରାଞ୍ଚିରେ ଦୂର କରିବାକୁ ଉଭୟ ନିଶ୍ଚିତ ରଣନୀତି ପ୍ରସ୍ତୁତ କରିଥିବେ। ପ୍ରଥମ ଟ୍ବେଣ୍ଟି-୨୦ରେ ଅବଶ୍ୟ ଦୁଇ ବରିଷ୍ଠ ବୋଲର ଭୁବନେଶ୍ବର କୁମାର ଓ ଆର ଅଶ୍ବିନ ନିଜ ପୁରୁଣା ଚମକ ଫେରି ପାଇବାର ସଙ୍କେତ ଦେଇଥିଲେ। ବିଶେଷ କରି ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିବା ପରେ ଦଳରୁ ବାଦ ପଡ଼ିଥିବା ଭୁବିଙ୍କୁ ନୂଆ ଅଧିନାୟକ ଓ ପ୍ରଶିକ୍ଷକ ପୁଣି ଥରେ ଦଳରେ ନେଇ ଏକ୍ରପକାର ନୂଆ ଜୀବନ ଦେଇଥିଲେ। ସେ ମଧ୍ୟ ସବାଇ ମାନସିଂହ ଷ୍ଟାଡିୟମ୍‌ରୁ ମିଳୁଥିବା ସୁଇଂରୁ ପୂରା ଫାଇଦା ଉଠାଇ ୨୪ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରିନେଇଥିଲେ। ଅଶ୍ବିନ ୨୩ ରନ୍ ଦେଇ ୨ ୱିକେଟ୍ କରାୟତ୍ତ କରିଥିଲେ।

ତଥାପି ଶୁକ୍ରବାର ଭାରତ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ। ହେଲେ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ନ୍ୟୁଜିଲାଣ୍ଡ ପାଳିର ଶେଷ ଓଭରରେ ଆହତ ହୋଇଥିଲେ, ତାଙ୍କୁ ନେଇ କିନ୍ତୁ ଦଳୀୟ ଅଧିକାରୀମା‌ନେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ଦୁଇଟି ପରିବର୍ତନ କରିପାରେ। ପ୍ରଥମ ମ୍ୟାଚ୍‌ ଖେଳିଥିବା ରାଚିନ ରବୀନ୍ଦ୍ର ଏବଂ ଟଡ୍‌ ଆସ୍‌ଲେଙ୍କଉ ବାଦ୍‌ ଦେଇ ଜେମ୍‌ସ ନୀସାମ ଓ ଈଶ୍‌ ସୋଢ଼ିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବା ଚିନ୍ତା କରୁଛି।
ରାଞ୍ଚିରେ ମଧ୍ୟ ଜୟପୁର ଭଳି କାକର ପଡ଼ିବାର ଆଶଙ୍କା ଅଧିକ। ଏଣୁ ଟସ୍ ଜିତିବା ଦଳ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରିବ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ/ୟୁଝବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ଦୀପକ ଚହର, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ମାର୍କ ଚାପମ୍ୟାନ୍, ‌ରାଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଟ୍ରେଣ୍ଟ୍‌ ବୋଲ୍ଟ, ଲୋକି ଫର୍ଗୁସନ୍/ଆଦାମ ମିଲ୍‌ନେ, ଈଶ୍ ସୋଢି/ ଟଡ୍‌ ଆସ୍‌ଲେ।

ପରିସଂଖ୍ୟାନ: ଆଉ ୧୧ ରନ୍‌ କଲେ ବିରାଟ କୋହଲି (୩୨୨୭ ରନ୍‌)ଙ୍କୁ ପଛରେ ପକାଇ ମାର୍ଟିନ୍‌ ଗପ୍ଟିଲ ଆନ୍ତର୍ଜାତିକ ଟି-୨୦ରେ ଅଗ୍ରଣୀ ରନ୍‌ ସ୍କୋରର୍‌ ହେବେ। ଅନ୍ୟପକ୍ଷରେ କୋହଲିଙ୍କୁ ଟପିବା ପାଇଁ ରୋହିତ ଶର୍ମାଙ୍କୁ ୧୪୨ ରନ୍‌ ଦରକାର।
ଟି-୨୦ ଆନ୍ତର୍ଜାତିକକୁ ପ୍ରତ୍ୟାବର୍ତ୍ତନ ପରେ ଆର୍‌ ଅଶ୍ବିନ୍‌ ୪ ମ୍ୟାଚ୍‌ରୁ ୮ ୱିକେଟ୍‌ ଦଖଲ କରିଛନ୍ତି।

ବୋଲ୍ଟ ମୋ ଦୁର୍ବଳତା, ଆଉ ମୁଁ ତାଙ୍କ ଶକ୍ତି ଜାଣିଛି: ରୋହିତ
ଜୟପୁର ରୋହିତ ଶର୍ମା ଓ ନ୍ୟୁଜିଲାଣ୍ଡର ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ପରସ୍ପର ସହ ପ୍ରଚୁର କ୍ରିକେଟ୍ ଖେଳିଛନ୍ତି। ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଦଳର ସଦସ୍ୟ ଥିବାରୁ ପରସ୍ପରର ଦୋଷ ଦୁର୍ବଳତାକୁ ମଧ୍ୟ ଭଲ ଭାବରେ ଜାଣିଛନ୍ତି। ତଥାପି ନିଜ ନିଜ ଜାତୀୟ ଦଳରୁ ଖେଳିଲା ବେଳେ ଏହି ଦୁଇଜଣଙ୍କ ମଧ୍ୟରେ ସବୁବେଳେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥାଏ। ବୁଧବାର ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ‌ବୋଲ୍ଟଙ୍କୁ ରୋହିତ କେତେକ ଦର୍ଶନୀୟ ସଟ୍ ଖେଳିଥିଲେ। ବୋଲ୍ଟ କିନ୍ତୁ ଶେଷରେ ତାଙ୍କ ୱିକେଟ୍‌କୁ କରାୟତ୍ତ କରି ନେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେଉଥିଲା ବେଳେ ବୋଲ୍ଟଙ୍କୁ ଶିଖାଇଥିବା କୌଶଳ ବଳରେ ହିଁ ସେ ମୋତେ ଆଉଟ୍ କଲେ ବୋଲି ରୋହିତ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ‘‘ବୋଲ୍ଟ ମୋ ଦୁର୍ବଳତା ଜାଣିଛନ୍ତି। ଆଉ ମୁଁ ତାଙ୍କ ଶକ୍ତି ସହ ଭଲ ଭାବରେ ପରିଚିତ। ଆମ ଭିତରେ ସବୁବେଳେ ସୁସ୍ଥ ଲଢ଼େଇ ହୋଇଥାଏ। ଯେତେବେଳେ ମୁଁ ତାଙ୍କର ନେତୃତ୍ବ ନିଏ ସବୁବେଳେ ତାଙ୍କୁ ବ୍ଲଫ୍ କରିବାକୁ କହିଥାଏ। ଆଜି ସେ ଠିକ୍ ତାହା ହିଁ କଲେ। ମିଡ୍‌ୱିକେଟ୍‌ କ୍ଷେତ୍ରରକ୍ଷକଙ୍କୁ ପଛକୁ ଆଣି ଫାଇନ୍ ଲେଗକୁ ଉପରକୁ ଆଣିଲେ। ମୁଁ ଭଲ ଭାବରେ ଜାଣିଥିଲି ସେ ବାଉନ୍ସର ପକାଇବେ। ମୁଁ ଏହାକୁ କ୍ଷେତ୍ରରକ୍ଷକଙ୍କ ଉପର ଦେଇ ଖେଳିବାକୁ ଚାହୁଥିଲି। ହେଲେ ଦୁର୍ଭାଗ୍ୟଜନକ ଭାବେ ବଲ୍‌ରେ ସେତେଟା ଗତି ନଥିଲା’’ ବୋଲି କହିଥିଲେ ରୋହିତ।

ସମ୍ବନ୍ଧିତ ଖବର