ଆଜି ଦ୍ୱିତୀୟ ଟ୍ବେଣ୍ଟି-୨୦: ବିଜୟ ଧାରା ଜାରି ଲକ୍ଷ୍ୟରେ ଭାରତ

ବାସେଟେରେ (ସେଣ୍ଟ୍‌ କିଟ୍‌ସ) : ଆଜି ଏଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ଚଳିତ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ତ୍ରିନିଦାଦ୍‌ରେ ଲଗାତାର ୪ ମ୍ୟାଚ୍‌ (୩ ଦିନିକିଆ ଓ ପ୍ରଥମ ଟ୍ବେଣ୍ଟି-୨୦) ଖେଳିବା ପରେ ଭ୍ରମଣକାରୀ ଭାରତୀୟ ଦଳ ସେଣ୍ଟ୍‌ କିଟ୍‌ସ ଓ ନେଭିସ୍‌ ଯାତ୍ରା କରିଛି। ଯେଉଁଠାରେ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ପୁଣି ଭାରତ ମଧ୍ୟ ଏଠାର ୱର୍ଣ୍ଣର ପାର୍କରେ ପ୍ରଥମ ଥର ପାଇଁ ଖେଳିବ। ତେଣୁ ଭିନ୍ନ ଭେନ୍ୟୁରେ ଖେଳିବା ଭାରତ ପାଇଁ କିଛିଟା ଅଡୁଆ ସୃଷ୍ଟି କରିବାର ଆଶଙ୍କା ଥିଲେ ମଧ୍ୟ ପ୍ରଥମ ଟ୍ବେଣ୍ଟି-୨୦କୁ ୬୮ ରନ୍‌ରେ ଜିତି ମନୋବଳ ଦୃଢ଼ କରିଥିବାରୁ ସେଣ୍ଟ୍‌ କିଟ୍‌ସରେ ମଧ୍ୟ ବିଜୟ ଧାରାକୁ ଆଗକୁ ବଢ଼ାଇବା ସହ ୨-୦ର ଅଗ୍ରଣୀ ଲକ୍ଷରେ ରହିବ ଭାରତ। ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ସମସ୍ତ ବିଭାଗରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା ବେଳେ ନିଜର ସର୍ବାଧିକ ପସନ୍ଦର ଫର୍ମାଟ୍‌ରେ ୱେଷ୍ଟଇଣ୍ଡିଜ୍‌ କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଫଳରେ ଭାରତ ୧-୦ର ଅଗ୍ରଣୀ ପାଇଯାଇଥିଲା।

ଟସ୍‌ ଗୁରୁତ୍ବପୂର୍ଣ୍ଣ ହେବ
ୱାର୍ଣ୍ଣର ପାର୍କ ପିଚ୍‌ ବିଶେଷକରି ବୋଲରଙ୍କୁ ସହାୟତା କରିବାର ନଜିର ରହିଥିବାରୁ ଏଠାରେ ପିଛା କରିବା ଯେକୌଣସି ଦଳ ପାଇଁ ଶ୍ରେଷ୍ଠ ପସନ୍ଦ ରହିବ। ତେଣୁ କାଲିର ମ୍ୟାଚ୍‌ରେ ଟସ୍‌ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ। ଯିଏ ଟସ୍‌ ଜିତିବ ସେ ପ୍ରଥମେ ବୋଲିଂ ନେବାର ଚିନ୍ତା କରିବ। ଏଠାରେ ଭାରତ ଆଦୌ ଖେଳିନଥିଲେ ମଧ୍ୟ ‌ୱେଷ୍ଟଇଣ୍ଡିଜ୍‌ ୧୦ ମ୍ୟାଚ୍‌ ଖେଳି ୬ ବିଜୟ ହାସଲ କରିଛି। ୨ଟିରେ ହାରିଛି। ପୁଣି ଏଠାରେ ବର୍ଷା ମ୍ୟାଚ୍‌ରେ ବାଧକ ସାଜିବାର ଆଶଙ୍କା ମଧ୍ୟ ନାହିଁ। ସୋମବାର ପାଗ ଖୁବ୍‌ ଭଲ ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Wikipedia

ପରିବର୍ତନ ସପକ୍ଷରେ ନାହିଁ ଭାରତ
ପ୍ରଥମ ମ୍ୟାଚ୍‌ରେ ଭାରତ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ରବୀନ୍ଦ୍ର ଜାଦେଜା, ରବି ବିଷ୍ଣୋଇ ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମଧ୍ୟ ମିଳିତ ଭାବେ ୫ ୱିକେଟ୍‌ ବାଣ୍ଟିନେଇ ଦଳର ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଦଳ ଅପରିବର୍ତିତ ରଖିବା ସପକ୍ଷରେ ଅଧିନାୟକ ରୋହିତ ଶର୍ମା ରହିଛନ୍ତି। ତଥାପି ସ୍ପିନ ବିଭାଗରେ ଗୋଟିଏ ପରିବର୍ତନ କରିବା ପାଇଁ ଚିନ୍ତା କରିଛନ୍ତି। ପ୍ରଥମ ମ୍ୟାଚ୍‌ ଖେଳିଥିବା ୩ ସ୍ପିନରଙ୍କ ମଧ୍ୟରୁ ଜଣଙ୍କୁ ବସାଇ ତାଙ୍କ ସ୍ଥାନରେ ଅକ୍ଷର ପଟେଲ କିମ୍ବା କୁଲ୍‌ଦୀପ ଯାଦବଙ୍କୁ ଖେଳାଇବା ସମ୍ଭାବନା ରହିଛି। ଏହା ବ୍ୟତୀତ ଆଉ କୌଣସି ପରିବର୍ତନ କରିବାର ଯୋଜନା ନାହିଁ। କାରଣ ବ୍ୟାଟିଂରେ ଭାରତର ଆକ୍ରାମକ ଆଭିମୁଖ୍ୟ ଜାରି ରହିଥିବାରୁ ଦଳ କଷ୍ଟସାଧ୍ୟ ପିଚ୍‌ରେ ବଡ଼ ସ୍କୋର୍‌ କରିବାର ସାମର୍ଥ ଦେଖାଇସା‌ରିଛି। ତଥାପି କେଏଲ୍‌ ରାହୁଲଙ୍କ ଅନୁପସ୍ଥିତିରେ ଓପ୍‌ନିଂ ସନ୍ତୁଳନ ବିଗିଡ଼ିଯାଇଛି। ପ୍ରଥମ ମ୍ୟାଚ୍‌ରେ ରୋହିତଙ୍କ ସହ ପାଳି ଆରମ୍ଭ କରିଥିବା ସୂର୍ଯ୍ୟକୁମାର ସଫଳ ହୋଇନଥିଲେ। ତେଣୁ ଆବଶ୍ୟକ ପଡ଼ିଲେ ପୁଣି ଥରେ ଋଷଭ ପନ୍ତ୍‌ଙ୍କୁ ପାଳି ଆରମ୍ଭ ସୁଯୋଗ ମିଳିପାରେ।

ଅଧିକ ସ୍ପିନର ଖେଳାଇପାରେ ଇଣ୍ଡିଜ
ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଅକିଲ ହୁସେନ୍‌ଙ୍କ ଜରିଆରେ ଜଣେମାତ୍ର ବିଶେଷଜ୍ଞ ସ୍ପିନରଙ୍କୁ ଖେଳାଇଥିଲା। ସେ ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୧୪ ରନ୍‌ ଦେଇ ଗୋଟିଏ ୱିକେଟ୍‌ ପାଇଥିଲେ। ଅନ୍ୟପକ୍ଷରେ ସିମ୍ରନ୍‌ ହେଟ୍‌ମାୟର ଦଳକୁ ଫେରିଥିଲେ ମଧ୍ୟ ପ୍ରଭାବଶୂନ୍ୟ ରହିଥିଲେ। ପୁଣି ଅଲ୍‌ରାଉଣ୍ଡର ଜାସନ୍‌ ହୋଲ୍‌ଡର ମଧ୍ୟ ପ୍ରତ୍ୟାବର୍ତନରେ ଚମକହୀନ ରହିଥିଲେ। ତେଣୁ ଦଳୀୟ ଚୟନ ନେଇ ଇଣ୍ଡିଜ୍‌ ତ୍ରୁଟି କରିଥିବା ସମାଲୋଚନା ହୋଇଥିଲା। ବିଶେଷକରି ଡେଥ୍‌ ଓଭରରେ ୟର୍କର ବୋଲିଂ କରିବାରେ ବିଫଳ ହୋଇଥିଲେ ହୋଲ୍‌ଡର। କାଇଲ ମାୟର୍ସ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ୍‌ ଛାଡ଼ିବା ଏବଂ ଅଲ୍‌ଜେରି ଯୋସେଫ ସର୍ଟ ପିଚ୍‌ ବୋଲିଂ କରି ରୋହିତ ଶର୍ମାଙ୍କୁ ଆକ୍ରମଣାତ୍ମକ ବ୍ୟାଟିଂ କରିବାର ସୁଯୋଗ ଦେବା ମଧ୍ୟ ଇଣ୍ଡିଜ୍‌ ଦଳ ପରାଜୟର କାରଣ ଥିଲା। ଏହି ସବୁ ଦୃଷ୍ଟିକୋଣରୁ ଆସନ୍ତାକାଲିର ମ୍ୟାଚ୍‌ରେ ଘରୋଇ ଦଳ ଅକିଲ ହୋସେନଙ୍କ ସହିତ ଜଣେ ଅତିରିକ୍ତ ସ୍ପିନରଙ୍କୁ ଖେଳାଇବାର ଯୋଜନା କରିଛି।

ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଋଷଭ ପନ୍ତ୍‌, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ୍‌ ପାଣ୍ଡ୍ୟା, ଦୀନେଶ କାର୍ତିକ, ରବୀନ୍ଦ୍ର ଜାଦେଜା, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ରବିଚନ୍ଦ୍ରନ୍‌ ଅଶ୍ବିନ, ଅର୍ଶଦୀପ ସିଂହ।

ୱେଷ୍ଟଇଣ୍ଡିଜ ସମ୍ଭାବ୍ୟ ଏକାଦଶ: ସାମରା ବ୍ରୁକ୍ସ, ସିମ୍ରନ ହେଟ୍‌ମାୟର, ରୋଭ୍‌ମାନ ପାୱେଲ, ନିକୋଲାସ ପୂରନ (ଅଧିନାୟକ), କାଇଲ ମାୟର୍ସ, ଜାସନ ହୋଲ୍‌ଡର, ଅକିଲ ‌ହୁସେନ, ଓଡେନ୍‌ ସ୍ମିଥ୍‌, କିମୋ ପଲ୍‌, ଅଲ୍‌ଜେରି ଯୋସେଫ୍‌, ଓବେଦ୍‌ ମ୍ୟାକୟ।

ପ୍ରଥମ ମ୍ୟାଚ୍‌ରେ ମନ୍ଥର ବୋଲିଂ ପାଇଁ ଇଣ୍ଡିଜ୍‌ ଦଣ୍ଡିତ
ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ମନ୍ଥର ବୋଲିଂ ପାଇଁ ଘରୋଇ ୱେଷ୍ଟଇଣ୍ଡିଜ୍‌ ଦଳ ଦଣ୍ଡିତ ହୋଇଛି। ନିର୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍‌ ବୋଲିଂ କରିଥିବା ବିଚାରକୁ ନିଆଯାଇଥିବାରୁ ଇଣ୍ଡିଜ୍‌ ଉପରେ ଆଇସିସି ପକ୍ଷରୁ ୨୦ ପ୍ରତିଶତ ମ୍ୟାଚ୍‌ ପାଉଣା ଜରିମାନା ଲଦି ଦିଆଯାଇଛି। ମ୍ୟାଚ୍‌ ରେଫରି ରିଚି ରିଚାର୍ଡସନ୍‌ ଏହି ଦଣ୍ଡାଦେଶ ଶୁଣାଇଥିଲା ବେଳେ ଘରୋଇ ଦଳ ଅଧିନାୟକ ନିକୋଲାସ ପୂରନ ଦୋଷ ସ୍ବୀକାର କରିନେଇଛନ୍ତି।

ସମ୍ବନ୍ଧିତ ଖବର