ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦: ‘କର ବା ମର’ ସ୍ଥିତିରେ ଭାରତ
ନବାଗତ ମୁକେଶ, ଜିତେଶଙ୍କୁ ନେଇ ପରୀକ୍ଷା କରିପାରନ୍ତି ପାଣ୍ଡ୍ୟା
ଲକ୍ଷ୍ନୌ : ରାଞ୍ଚିରେ ପିଚ୍କୁ ପରଖିବାରେ ଦୁଇ ଅଧିନାୟକ ଭୁଲ୍ କରିଥିଲେ। ତଥାପି ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ଜିତିନେଲା। ଏଥି ସହିତ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ମଧ୍ୟ ପାଇଯାଇଛି। ଫଳରେ ଆଜି ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଗୋଟିଏପଟେ ଶୃଙ୍ଖଳା ଜୀବନ୍ତ ରଖିବା ପାଇଁ ଏହି ମ୍ୟାଚ୍ ଘରୋଇ ଭାରତ ପାଇଁ କର ବା ମର ପାଲଟି ଯାଇଥିଲା ବେଳେ ନ୍ୟୁଜିଲାଣ୍ଡ୍ ଏହି ମ୍ୟାଚ୍ ଜିତି ଆଗୁଆ ଶୃଙ୍ଖଳା କବ୍ଜା କରିନେବା ଲକ୍ଷ୍ୟରେ ରହିଛି। ତେଣୁ ଶୃଙ୍ଖଳା ବଞ୍ଚାଇବା ଏବଂ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିଥିବାରୁ ଦୁଇ ଦଳ ମଧ୍ୟରେ ରବିବାର କସରତ ହେବ। ତେବେ ଭାରତ ଲଗାତାର ଭାବେ ଘରୋଇ ଶୃଙ୍ଖଳା ଜିତିଆସୁଥିବାରୁ ଦ୍ବିତୀୟ ମ୍ୟାଚ୍ ସମ୍ମାନର ପ୍ରଶ୍ନ ରହିଛି।
ଶୁକ୍ରବାର ପ୍ରଥମ ମ୍ୟାଚ୍ରେ ଭାରତ ୨୧ ରନ୍ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ରେ ଭାରତର ବୋଲିଂ ଦୁର୍ବଳତା ପଦାରେ ପଡ଼ିଯାଇଥିଲା। ବିଶେଷ କରି ଅର୍ଶଦୀପ ସିଂହ ଓ ଉମ୍ରାନ ମଲ୍ଲିକ ମହଙ୍ଗା ହୋଇ ଭାରତ ପରାଜୟର ଅନ୍ୟତମ ବଡ଼ କାରଣ ପାଲଟିଥିଲେ। ଶେଷ ଓଭରରେ ଅର୍ଶଦୀପ ୨୭ ରନ୍ ବ୍ୟୟ କରିବାରୁ ଏହା ଭାରତୀୟ ବ୍ୟାଟରଙ୍କୁ ଅତିରିକ୍ତ ଚାପ ଦେଇଥିଲା। ସେହିପରି ଶୀର୍ଷ ୩ ଭାରତୀୟ ବ୍ୟାଟର ମାତ୍ର ୧୫ ରନ୍ ଭିତରେ ଆଉଟ୍ ହେବାରୁ ଦଳ ପ୍ରଥମରୁ ଚାପରେ ଖେଳିଥିଲା। ଯେଉଁଥିପାଇଁ ଘରୋଇ ଦଳ ଓଭର ଶେଷ ବେଳକୁ ୧୫୫/୯ କରିପାରିଥିଲା। ଆରମ୍ଭରୁ ମଧ୍ୟ ଭାରତ ୧୫୦ ରନ୍କୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ବୋଲରଙ୍କ ବ୍ୟୟବହୁଳ ସ୍ପେଲ୍ ସବୁ ଆଶାରେ ପାଣି ମଡ଼ାଇ ଦେଇଥିଲା। ତେଣୁ ଦ୍ବିତୀୟ ମ୍ୟାଚ୍ରେ ଅର୍ଶଦୀପଙ୍କ ସ୍ଥାନରେ ନବାଗତ ମୁକେଶ କୁମାରଙ୍କୁ ନେଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କିଛିଟା ପରୀକ୍ଷା କରିପାରନ୍ତି।

ଅନ୍ୟପକ୍ଷରେ ଦିନିକିଆରେ ଶୁବମନ ଗିଲ୍ ଚମତ୍କାର ଫର୍ମରେ ଥିଲେ ବି ଟ୍ବେଣ୍ଟି-୨୦ରେ ତାଙ୍କର ଅଭିଜ୍ଞତା ହୋଇନି। ଏପର୍ଯ୍ୟନ୍ତ ମାତ୍ର ୪ ମ୍ୟାଚ୍ ସେ ଖେଳିଛନ୍ତି। ଏଭଳିସ୍ଥିତିରେ ଈଶାନ କିଶନ ଓ ଦୀପକ ହୁଦାଙ୍କ ପ୍ରଦର୍ଶନ ଭାରତୀୟ ଶିବିରକୁ ଚିନ୍ତାରେ ପକାଇଛି। କିଛି ଦିନ ତଳେ ଦିନିକିଆରେ ଦ୍ବିଶତକ ମାରିଥିବା କିଶନ ଏହି କ୍ଷୁଦ୍ର ଫର୍ମାଟ୍ର ଶୀର୍ଷ ଭାଗ ସମ୍ବାଳି ପାରୁନାହାନ୍ତି। ଦ୍ବିଶତକୀୟ ମ୍ୟାଚ୍ ପରଠୁ ୩୭, ୨, ୧, ୫, ୮*, ୧୭ ଓ ୪ ରନ୍ ତାଙ୍କର ଶେଷ ୭ ପାଳିରୁ ଆସିଛି। ଶେଷ ଥର ପାଇଁ ଗତବର୍ଷ ଜୁନ୍ ୧୪ରେ ତାଙ୍କ ବ୍ୟାଟ୍ରୁ ଅର୍ଦ୍ଧଶତକ ବାହାରିଥିଲା। ହୁଦା ମଧ୍ୟ ନିମ୍ନକ୍ରମରେ ଗତ ୧୩ ପାଳିରୁ ୧୭.୮୮ ହାରରେ ରନ୍ କରିଆସୁଛନ୍ତି। ୱାଙ୍ଖଡେରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ୪୧ ରନ୍ ତାଙ୍କର ସର୍ବାଧିକ ସ୍କୋର ଥିଲା। ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ର ପ୍ରଥମ ମ୍ୟାଚ୍ରେ ସେ ୭ ନମ୍ବର ସ୍ଥାନରେ ବ୍ୟାଟିଂକୁ ଆସି ୧୦ ବଲ୍ରୁ ୧୦ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପାଳି ମଧ୍ୟରେ ୧ ରନ୍ ବାହାର କରିବାରେ ମଧ୍ୟ ସମସ୍ୟା ହେଉଥିବା ଦେଖିବାକୁ ମିଳିଥିଲା। ତେଣୁ ଈଶାନ ଓ ହୁଦାଙ୍କ ସମୟ ସରିଆସୁଥିବା କୁହାଯାଉଥିଲା ବେଳେ ଦ୍ବିତୀୟ ମ୍ୟାଚ୍ରେ ଜିତେଶ ଶର୍ମାଙ୍କୁ ନେଇ ଆଉ ଏକ ପରୀକ୍ଷା କରିବାକୁ ପାଣ୍ଡ୍ୟା ଚାହିଁବେ।
ଦୁଇ ନକାରାତ୍ମକ ଘଟଣା ପରେ ସକାରାତ୍ମକ ଭାବେ ୱାସିଂଟନ୍ ସୁନ୍ଦରଙ୍କ ଦ୍ବିତୀୟ ଅର୍ଦ୍ଧଶତକ ଭାରତୀୟ ଶିବିରରେ ଖୁସି ଆଣିଥିଲା। ସେହିପରି ସୂର୍ଯ୍ୟକୁମାର ଯାଦବ ବ୍ୟାଟରଙ୍କ ମଧ୍ୟରେ ଶୀର୍ଷକୁ ଆସିଯାଇଥିବାରୁ ଏମାନଙ୍କଠାରୁ ଦଳ ପ୍ରତି କୌଣସି ବିପଦ ନାହିଁ। ତେବେ ଶୀର୍ଷକ୍ରମରେ ଜଣେ ଆକ୍ରମଣାତ୍ମକ ବ୍ୟାଟରଙ୍କୁ ପଠାଇବାକୁ ହେବ। କାରଣ ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ର ବାଉଣ୍ଡରୀ ଅନ୍ୟ ପଡ଼ିଆ ଆପେକ୍ଷା ବହୁତ ବଡ଼ ରହିଛି। ତେଣୁ ଆରମ୍ଭରୁ ରନ୍ ପକାଇପାରିଲେ ଭ୍ରମଣକାରୀ ଦଳକୁ ଚାପରେ ରଖିହେବ।
ସମ୍ଭାବ୍ୟ ଭାରତ ୧୧: ଈଶାନ କିଶନ, ଶୁବମନ ଗିଲ୍, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଦା, ୱାସିଂଟନ୍ ସୁନ୍ଦର, ଶିବମ ମାଭି, କୁଲଦୀପ ଯାଦବ, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହ।
ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ୧୧: ଫିନ୍ ଆଲେନ୍, ଡେଭନ୍ କନୱେ, ମାର୍କ ଚାପମାନ୍, ଡାରିଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ମିଚେଲ୍ ସାଣ୍ଟନର, ମାଇକେଲ୍ ବ୍ରେସ୍ୱେଲ୍, ଜାକୋବ ଡଫି, ଈଶ୍ ସୋଢି, ଲୋକି ଫର୍ଗୁସନ୍, ବ୍ଲେୟର ଟିକନର।