ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦: କୋହଲିଙ୍କ ଉପରେ ଚାପ

ଆଗୁଆ ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ଭାରତ

ବର୍ମିଂହାମ : ଇଂଲଣ୍ଡ ଗସ୍ତରେ ଥିବା ଭାରତ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍‌ରେ ଜିତିଥିଲା। ଦ୍ବିତୀୟ ଟ୍ବେଣ୍ଟି-୨୦ ଶନିବାର ଖେଳାଯିବ। ଏହି ମ୍ୟାଚ୍‌ ଜିତି ୩ ମ୍ୟାଚ୍‌ ବିଶି‌ଷ୍ଟ ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିବା ଲକ୍ଷ୍ୟରେ ରହିବ ଭାରତ। ‌ଟେଷ୍ଟ୍‌ ମ୍ୟାଚ୍‌‌ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି, ଋଷଭ ପନ୍ତ, ଯଶ୍‌ପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଦେଜା ଓ ଶ୍ରେୟସ ଆୟର ଦଳକୁ ଫେରିଛନ୍ତି। ଫଳରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିଥିବା ଚୂଡ଼ାନ୍ତ ‌ଏକାଦଶରେ ଅନେକ ପରିବର୍ତ୍ତନ ସମ୍ଭାବନା ରହିଛି।

ସବୁଠୁ ବଡ଼ କଥା ହେଉଛି ପୂର୍ବତନ ଭାରତୀୟ ଅଧିନାୟକ କୋହଲି ୫ ମାସ ପରେ ଟ୍ବେଣ୍ଟି-୨୦କୁ ଫେରିବେ। ଫର୍ମରେ ନଥିବାରୁ ଏହି ବ୍ୟାଟର୍‌ ନିଜ ପୂରୁଣା ଚମକ ଫେରିପାଇବା ଲାଗି ଚେଷ୍ଟା କରିବେ। ସେ ଦୀପକ ହୁଦାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି। ହୁଦା ପ୍ରଥମ ଟ୍ବେଣ୍ଟି-୨୦ରେ ୧୭ ବଲ୍‌ରେ ୩୩ ରନ୍‌ କରି ଫର୍ମରେ ଥିବା ସୂଚନା ଦେଇଥିଲେ। ଏଥିପାଇଁ କୋହଲିଙ୍କ ଉପରେ ଚାପ ରହିପାରେ। ଯଦି ହୁଦା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତେବେ ଅଧିନାୟକ ରୋହିତ ଶର୍ମାଙ୍କ ସହ କୋହଲି ପାଳି ଆରମ୍ଭ କରିବାର ବିକଳ୍ପ ରହିଛି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲି ବିଶ୍ରାମ ନେବାକୁ ଚାହୁଁଥିବାରୁ ବିଶ୍ବକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ୨ ମ୍ୟାଚ୍‌ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ।

ପ୍ରଥମ ଟ୍ବେଣ୍ଟି-୨୦ରେ ପଦାର୍ପଣ କରିଥିବା ‌ଅର୍ଶଦୀପ ସିଂହ ଦଳରେ ନଥିବାରୁ ତାଙ୍କ ସ୍ଥାନରେ ବୁମ୍‌ରା ଖେଳିବେ। ଜାଦେଜା ଫେରିଥିବାରୁ ସେ ଅକ୍ଷର ପଟେଲଙ୍କ ସ୍ଥାନ ନେଇପାରନ୍ତି। ସେହିଭଳି ପନ୍ତ ଖେଳିଲେ ଦୀନେଶ କାର୍ତ୍ତିକ ବସିପାରନ୍ତି। ଭୁବନେଶ୍ବର କୁମାର ନୂଆ ବଲ୍‌ରେ ଚମତ୍କାର କରୁଥିବା ବେଳେ ଦଳରେ ଉମ୍ରାନ ମଲ୍ଲିକ, ହର୍ଷଲ ପଟେଲ ରହିଛନ୍ତି। ପୁଣି ବୁମ୍‌ରାଙ୍କ ପ୍ରତ୍ୟାବର୍ତନ ପରେ ଅଧିନାୟକ ରୋହିତଙ୍କ ନିକଟରେ ଦ୍ରୁତ ବୋଲରର ଅନେକ ବିକଳ୍ପ ରହିଛି। ହାର୍ଦିକ ପାଣ୍ଡ୍ୟା ପ୍ରଥମ ଟ୍ବେଣ୍ଟି-୨୦ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର କମାଲ ଦେଖାଇଥିଲେ। ହାର୍ଦିକଙ୍କ ସାଙ୍ଗକୁ ସୂର୍ଯ୍ୟକୁମାର ଯାଦବ ଓ ହୁଦା ଭଲ ବ୍ୟାଟିଂ ବି କରିଥିଲେ। ବ୍ୟାଟିଂ ଓ ବୋଲିଂ ନେଇ ଦଳ ଯେତିକି ଚିନ୍ତିତ ନୁହେଁ କ୍ଷେତ୍ରରକ୍ଷଣକୁ ନେଇ ବେଶି ଚିନ୍ତିତ। ‌ପ୍ରଥମ ଟ୍ବେଣ୍ଟି-୨୦ରେ ଏକାଧିକ କ୍ୟାଚ୍‌ ହାତ ଛଡ଼ା ହୋଇଥିଲା। ଏହାକୁ ସୁଧାରିବାକୁ ଦଳ ଚେଷ୍ଟା କରିବ ବୋଲି ରୋହିତ ଅଶା ରଖିଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ପ୍ରଥମ ବଲ୍‌ରେ ଆଉଟ୍‌ ହୋଇ ପାଭିଲିଅନ ଫେରିଥିଲେ। ଦଳର ବ୍ୟାଟିଂ ଶକ୍ତି ଲିଅମ ଲିଭିଂଷ୍ଟୋନ୍‌ ଓ ଜାସନ ରୟ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଦଳ ଏହି ୩ ଜଣଙ୍କଠୁ ଭଲ ପ୍ରଦର୍ଶନ ଆଶା ରଖିଛି। ପ୍ରଥମ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ଇଂଲଣ୍ଡ ଗୋଟିଏ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଦ୍ରୁତ ବୋଲର ତାଇମଲ ମିଲ୍ସଙ୍କ ସ୍ଥାନରେ ରିଚାର୍ଡ ଗ୍ଲିସାନଙ୍କୁ ଖେଳାଇପାରେ ଦଳ।

ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ/ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମ୍‌ରା, ହର୍ଷଲ ପଟେଲ/ଉମ୍ରାନ ମଲ୍ଲିକ, ୟୁଝବେନ୍ଦ୍ର ଚହଲ।

ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ: ଜାସନ ରୟ, ଜୋସ ‌ବଟଲର (ଅଧିନାୟକ), ଦାୱିଦ ମଲାନ, ଲିଅମ ଲିଭିଂଷ୍ଟୋନ, ମୋଇନ ଅଲୀ, ହାରି ବ୍ରୁକ, ସାମ କରନ, କ୍ରିସ ଜୋର୍ଡାନ, ମାଟ ପାର୍କିନସନ, ରେସି ଟପ୍‌ଲେ, ରିଚାର୍ଡ ଗ୍ଲିସନ/ତାଇମଲ ମିଲ୍ସ।

ସମ୍ବନ୍ଧିତ ଖବର