ତୃତୀୟ ଟ୍ବେଣ୍ଟି-୨୦ ଆଜି: କର ବା ମର ସ୍ଥିତିରେ ଭାରତ

୨୦୨୩ ବିଶ୍ବକପ୍‌ ମ୍ୟାଚ୍‌ ଦାବି କଲା ଓସିଏ

ବିଶାଖାପାଟଣା: ନୂଆଦିଲ୍ଲୀ ଓ କଟକରେ ଶୋଚନୀୟ ପରାଜୟ ବରଣ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଶୃଙ୍ଖଳା ପରାଜୟ ଦ୍ବାରଦେଶରେ। ମଙ୍ଗଳବାର ବିଶାଖାପାଟଣାରେ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ୫ ମ୍ୟାଚ୍‌ ଶୃଙ୍ଖଳାରେ ଏବେ ଅବଶିଷ୍ଟ ୩ ମ୍ୟାଚ୍‌ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ମଙ୍ଗଳବାର ହାରିଗଲେ ଭାରତ ହାତରୁ ଶୃଙ୍ଖଳା ଖସିଯିବ। ସେହି ଦୃଷ୍ଟିରୁ ଏବେ ଭାରତ ପାଇଁ ପ୍ରତିଟି ମ୍ୟାଚ୍‌ କର ବା ମର ସ୍ଥିତି ଆଣିଛି। ନୂଆଦିଲ୍ଲୀରେ ଭାରତର ବୋଲିଂ ଓ ଫିଲ୍‌ଡିଂ ଦୁର୍ବଳତା ପଦାରେ ପଡ଼ିଥିଲା। କଟକରେ କିନ୍ତୁ ବ୍ୟାଟି ଦୁର୍ବଳତା ମଧ୍ୟ ମୁକୁଳା ପଡ଼ିଥିଲା। ବାରବାଟୀରେ ଭୁବନେଶ୍ବର କୁମାର (୪/୧୩) ପ୍ରଦର୍ଶନ ଛଡ଼ା ଅନ୍ୟ କିଛି ପ୍ରଶଂସାଯୋଗ୍ୟ ନଥିଲା। ଅନ୍ୟପକ୍ଷରେ ଗତବର୍ଷର ବିଶ୍ବକପ୍‌ ପରଠାରୁ ଶକ୍ତିଶାଳୀ ଉଭା ହୋଇଥିବା ଦକ୍ଷିଣ ଆଫ୍ରିକା ଶେଷ ୧୪ଟିରୁ ୧୩ଟି ଜିତି ସମ୍ବଳଭରା ଥିବା ପ୍ରମାଣିତ କରିଛି। ଏହି ୧୩ଟିରୁ ମଧ୍ୟ ଦଳ ପଶ୍ଚାତଧାବନ ବେଳେ ସମସ୍ତ ୭ଟି ମ୍ୟାଚ୍‌ ଜିତିଛି। ଆହତ କ୍ବିଣ୍ଟନ୍ ଡି’କକ୍‌ ଫିଟ୍‌ ହୋଇଗଲେଣି କି ନା ସ୍ପଷ୍ଟ ହୋଇନଥିଲେ ମଧ୍ୟ କଟକରେ ତାଙ୍କ ବଦଳରେ ଖେଳିଥିବା ହେନରିକ୍ କ୍ଲାସେଁଙ୍କ ଲଢ଼ୁଆ ବ୍ୟାଟିଂ ତାଙ୍କ ଆବଶ୍ୟକତାକୁ ଫରକ ପକାଇବ ନାହିଁ‌। ୨୦୧୦ ମସିହା ପରଠାରୁ ଦକ୍ଷିଣ ଆଫ୍ରିକା ଭାରତ ମାଟିରେ ସୀମିତ ଓଭର ଶୃଙ୍ଖଳା ହାରିନଥିବାରୁ ଏହାକୁ ଆଗକୁ ନେବାର ସମସ୍ତ ସୁଯୋଗ ଓ ସମ୍ଭାବନା ରଖିଛି।

ଭାରତ ପାଇଁ ଋଷଭ ପନ୍ତଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଓ ନେତୃତ୍ବ ବଡ଼ ଚିନ୍ତାର କାରଣ‌ ହୋଇଛି। ଫେବ୍ରୁଆରିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ପରଠାରୁ ପନ୍ତ୍‌ ଧଳାବଲରେ ଗୋଟିଏ ବି ଅର୍ଦ୍ଧଶତକ ଜମାଇନାହାନ୍ତି। ଏବେ ପରବର୍ତୀ ୩ ମ୍ୟାଚ୍‌କୁ ପନ୍ତ୍‌ କିଭଳି ହାତଉଛନ୍ତି ସବୁଠାରୁ ବଡ଼ କଥା ହେବ। ପନ୍ତ୍‌ ନିଜ ନେତୃତ୍ବକୁ ପ୍ରମାଣିତ କରିନପାରିଲେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ପରେ ହାର୍ଦିକ ପାଣ୍ଡ୍ୟା ନିଶ୍ଚିତ ଏହି ଦୌଡ଼ରେ ସାମିଲ ହୋଇଯିବେ। ବିଶେଷ କରି ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜରାଟ ଟାଇଟନ୍ସ ପଦାର୍ପଣ ଋତୁରେ ଆଇପିଏଲ୍‌ ଜିତିଥିବାରୁ ଏହି ସମ୍ଭାବନାକୁ ଏଡ଼ାଇ ଦେଉହେଉ ନାହିଁ। ଭାରତ ମଙ୍ଗଳବାର ମ୍ୟାଚ୍‌ ପାଇଁ ଦୀପକ ହୁଦାଙ୍କୁ ଖେଳାଇବା ସମ୍ଭାବନା ରହିଛି। ବ୍ୟାଟିଂ ଶକ୍ତିକୁ ବଢ଼ାଇବା ସହ ସେ ମଧ୍ୟ ଅଫସ୍ପିନ୍‌ ବୋଲିଂ କରିପାରିବେ। ଦକ୍ଷିଣ ଆଫ୍ରିକା ଦଳରେ ଏକାଧିକ ବାମହାତୀ ଥିବାରୁ ହୁଦାଙ୍କ ଅଫସ୍ପିନ୍ ଫଳପ୍ରଦ ହୋଇପାରିବ। ସେହିଭଳି ଅଭେସ୍‌ ଖାନ୍‌ଙ୍କ ବଦଳରେ ଉମ୍ରାନ ମଲ୍ଲିକ କିମ୍ବା ଅର୍ଶଦୀପ ସିଂହଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା କଥା ମଧ୍ୟ ଭାରତୀୟ ଦଳ ଗୁରୁତ୍ତର ସହ ବିଚାର କରୁଛି। ବିଶାଖାପାଟଣା ପିଚ୍‌ ଲୋ ସ୍କୋରିଂର ପରମ୍ପରା ରଖିଛି। ୨୦୧୬ରେ ଶୀଲଙ୍କାକୁ ୮୨ରେ ଅଲଆଉଟ୍ କରି ଭାରତ ୧୪ ଓଭର ଭିତରେ ଜିତିଥିଲା। ୨୦୧୯ରେ କିନ୍ତୁ ଭାରତକୁ ୧୨୬ ରନ୍‌ରେ ରୋକି ଅଷ୍ଟ୍ରେଲିଆ ୭ ୱିକେଟ୍‌ରେ ଜିତିଯାଇଥିଲା। ଉଭୟ ପେସ୍‌ ଓ ସ୍ପିନ୍‌ ବୋଲର ଏଠାରେ ସଫଳ ହେଉଥିବା ଦେଖିବାକୁ ମିଳିଛି। ଅର୍ଥାତ୍ ଏହି ଟ୍ରାକ୍‌ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଜଟିଳ ରହିବ ବୋଲି ଆକଳନ କରାଯାଉଛି। ମ୍ୟାଚ୍‌ ପୂର୍ବତନ ସ୍ବଳ୍ପ ବର୍ଷା ହୋଇଥିଲେ ମଧ୍ୟ ମଙ୍ଗଳବାର ବର୍ଷା ସମ୍ଭାବନା ୨୦ ପ୍ରତିଶତ ରହିଛି।

ଭାରତ ଏକାଦଶ (ସମ୍ଭାବ୍ୟ): ଈଶାନ କିଶନ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର/ଦୀପକ ହୁଦା, ଋଷଭ ପନ୍ତ୍‌ (ଅଧିନାୟକ ଓ ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତିକ, ଅକ୍ଷର ପଟେଲ୍‌, ହର୍ଷଲ ପଟେଲ୍‌, ଅଭେସ୍‌ ଖାନ୍‌/ଉମ୍ରାନ ମଲ୍ଲିକ/ଅର୍ଶଦୀପ ସିଂହ, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲ୍‌।

ଦକ୍ଷିଣ ଆଫ୍ରିକା ଏକାଦଶ (ସମ୍ଭାବ୍ୟ): ରିଜା ହେଣ୍ଡ୍ରିକ୍ସ, ତେମ୍ବା ବଭୂମା, ରାଶି ଭାନ୍ ଡର୍‌ ଦସେନ୍‌, ‌ଡେଭିଡ୍ ମିଲର, ହେନରିକ କ୍ଲାସେଁ, ଡ୍ବାଇନ୍ ପ୍ରିଟୋରିୟସ୍‌, ୱନ ପାର୍ନେଲ, କାଗିସୋ ରବାଦା, ଲୁଙ୍ଗି ଏନଗିଡି/କେଶବ ମହାରାଜ, ଅନରିକ୍ ନର୍ଖିୟା, ତାବ୍ରାଇଜ ସାମସୀ।

 

ସମ୍ବନ୍ଧିତ ଖବର