ଆଜି ତୃତୀୟ ଟ୍ବେଣ୍ଟି-୨୦: ରୋହିତଙ୍କୁ ନେଇ ରହସ୍ୟ ଜାରି, ବିନା ଦର୍ଶକରେ ବଳକା ମ୍ୟାଚ୍‌

କିଶନ୍‌ଙ୍କ ଭୟହୀନ ବ୍ୟାଟିଂ ପ୍ରେମରେ କୋହଲି

ଅହମଦାବାଦ: ଫଟାଫଟ୍ କ୍ରିକେଟ୍‌ର ଏକନମ୍ବର ଏବଂ ଦୁଇ ନମ୍ବର ଦଳ ଇଂଲଣ୍ଡ ଓ ଭାରତ ମଧ୍ୟରେ ଏଠାରେ ଚାଲିଥିବା ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମୁକାବିଲା ମଙ୍ଗଳବାର ଖେଳାଯିବ। ଏହି ବହୁପ୍ରତୀକ୍ଷିତ ଶୃଙ୍ଖଳାରେ ଦୁଇଟି ଯାକ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଥିବାରୁ ମଙ୍ଗଳବାରର ମ୍ୟାଚ୍ ଜିତି ଅଗ୍ରଣୀ ଲାଭ କରିବା ଲକ୍ଷ୍ୟରେ ଉଭୟ ପଡ଼ିଆକୁ ଓହ୍ଲାଇବେ। ଦ୍ବିତୀୟ ମୁକାବିଲାକୁ ସହଜରେ ୭ ୱିକେଟ୍‌ରେ ଜିତି ନେବା ପରେ ଆତ୍ମବିଶ୍ବାସରେ ଭରପୁର ଭାରତ ନିର୍ଭୀକ ଓ ଚାପମୁକ୍ତ କ୍ରିକେଟ୍ ଖେଳିବ ବୋଲି ଆଭାସ ଦେଇଛି। ସେପଟେ ବିସ୍ଫୋରକ ବ୍ୟାଟିଂ ଏବଂ ସନ୍ତୁଳିତ ବୋଲିଂ ପାଇଁ ପରିଚିତ ଇଂଲଣ୍ଡ ଏକାଦଶ ପ୍ରଥମ ମ୍ୟାଚ୍‌ର ଆଧିପତ୍ୟଭରା ୮ ୱିକେଟ୍‌ ବିଜୟକୁ ଦୋହରାଇବାର ଦମ୍ଭ ଦେଖାଇଛି। ଏସବୁ ଭିତରେ କିନ୍ତୁ ପିଚ୍ ଓ ଟସ୍ ପୁଣି ଥରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି। କରୋନା ସଂକ୍ରମଣ ମାମଲାର ବର୍ଦ୍ଧିତ ରୂପ ପାଇଁ ବଳକା ତିନିଟି ମ୍ୟାଚ୍ ବିନା ଦର୍ଶକରେ ‌େହବ ବୋଲି ଆୟୋଜକ ଗୁଜରାଟ କ୍ରିକେଟ୍ ସଂଘ କହିଛି।

ପ୍ରଥମ ମୁକାବିଲାରେ ଏକରକମ ଆତ୍ମସମର୍ପଣ କରି ତୀବ୍ର ସମାଲୋଚିତ ହୋଇଥିବା ଭାରତୀୟ କ୍ରିକେଟ୍ ଦଳ ରବିବାରର ଦ୍ବିତୀୟ ମୁକାବିଲାରେ କିନ୍ତୁ ସବୁ ଦିଗରୁ ଉନ୍ନତ ଧରଣର କ୍ରିକେଟ୍‌ ଖେଳିଥିଲା। ତେବେ ପ୍ରଥମ ଭଳି ଦ୍ବିତୀୟ ମ୍ୟାଚ୍‌ରେ ବି ପ୍ରଶଂସକ ପ୍ରାରମ୍ଭିକ ବ୍ୟାଟର୍ ରୋହିତ ଶର୍ମାଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିଲେ। ଶୃଙ୍ଖଳା ଆରମ୍ଭ ହେବାର ପୂର୍ବଦିନ ହିଟ୍‌ମ୍ୟାନ୍ ରୋହିତ ଓ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ ବୋଲି ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ପରଦିନର ପ୍ରଥମ ମ୍ୟାଚ୍‌ରେ କିନ୍ତୁ ଶିଖର ଧାୱନ ଓ ରାହୁଲଙ୍କ ଦ୍ବାରା ପାଳି ଆରମ୍ଭ କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ରାହୁଲଙ୍କ ସହ ପଦାର୍ପଣକାରୀ ଈଶାନ୍‌ କିଶନ୍‌ ଓପନିଂ କରିଥିଲେ। ଉଭୟ ମ୍ୟାଚ୍‌ରେ ରାହୁଲ କିନ୍ତୁ ବିଫଳ ହୋଇଥିଲେ। ତଥାପି ତୃତୀୟ ମ୍ୟାଚ୍‌ରେ ରୋହିତ ଖେଳିବେ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା କୋହଲି କିମ୍ବା ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦେଇ ନାହାନ୍ତି। ଏଣୁ ରୋହିତଙ୍କୁ ନେଇ ଏବେବି ରହସ୍ୟ ଜାରି ରହିଛି। ପ୍ରଥମ ମ୍ୟାଚ୍‌ର ଟସ୍ ବେଳେ ରୋହିତଙ୍କୁ ପ୍ରଥମ ଦୁଇ ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇଥିବା କୋହଲି କହିଥିବାରୁ ମଙ୍ଗଳବାର ସେ ପଡ଼ିଆକୁ ଫେରି ପାରନ୍ତି। ଏଥିନେଇ ରୋହିତ ସମର୍ଥକ ବି ଉତ୍ସାହିତ ଅଛନ୍ତି।

ଇଂଲଣ୍ଡର ଆହତ ଦ୍ରୁତ ବୋଲର ମାର୍କ ଉଡ୍‌ ତୃତୀୟ ମୁକାବିଲାରେ ଫେରିବ ବୋଲି ଅଧିନାୟକ ଇଅନ ମୋର୍ଗାନ ସଙ୍କେତ ଦେଇଛନ୍ତି। ତା’ ଛଡ଼ା ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶରେ ବଡ଼ ଧରଣର ଅଦଳବଦଳ ସମ୍ଭାବନା ଢେର କମ୍ ରହିଛି। ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ବଲ୍ ଓ ବ୍ୟାଟ୍‌ରେ ସଂଘର୍ଷ କରିବା ଅବଶ୍ୟ ଇଂଲଣ୍ଡ ପାଇଁ ବଡ଼ ଚିନ୍ତା ଭାବେ ଉଭା ହୋଇଛି। ମଙ୍ଗଳବାର ମ୍ୟାଚ୍ ଲାଲ୍ ମାଟିରେ ତିଆରି ପିଚ୍‌ରେ ଖେଳାଯିବ ବୋଲି କ୍ୟୁରେଟର ସୂଚନା ଦେଇଛନ୍ତି। ଏଣୁ ବୋଲରମାନେ ଅପେକ୍ଷାକୃତ ଅଧିକ ଫାଇଦାରେ ରହିପାରନ୍ତି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା/କେଏଲ୍ ରାହୁଲ, ଈଶାନ୍‌ କିଶନ୍‌, ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ଶାର୍ଦୁଳ ଠାକୁର, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲ।

ସମ୍ଭାବ୍ୟ ଇଂଲଣ୍ଡ: ଜାସନ ରାୟ, ଜୋସ୍ ବଟଲର, ଦାୱିଦ ମଲାନ, ଜନି ବେୟାରଷ୍ଟୋ, ଇଅନ ମୋର୍ଗାନ (ଅଧିନାୟକ), ବେନ୍ ‌ଷ୍ଟୋକ୍ସ, ମୋଇନ ଅଲ୍ଲୀ, ସାମ୍ କରନ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍/କ୍ରିସ୍ ଜୋର୍ଡାନ।

ନିର୍ଭୀକ ଓ ସାହସିକ ବ୍ୟାଟିଂ ପାଇଁ ରବିବାର ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍ ଈଶାନ୍‌ କିଶନ୍‌ଙ୍କ ପ୍ରେମରେ ପଡ଼ି ଯାଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଈଶାନ୍‌ ହିଁ ନିଜ ବିସ୍ଫୋରକ ବ୍ୟାଟିଂରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ର ଗତିପଥ ବଦଳାଇ ଦେଇଥିଲେ ବୋଲି ସ୍ବୀକାର କରିଛନ୍ତି ସେ। ଏହିକ୍ରମରେ କୋହଲି ମଧ୍ୟ ଆଇପିଏଲ୍ ୨୦୨୦ କଥା ମନେ ପକାଇଥିଲେ। ‘‘ଆଇପିଏଲ୍‌ରେ କିଶନ ବହୁ ଦକ୍ଷ ଅନ୍ତର୍ଜାତୀୟ ଦ୍ରୁତ ବୋଲରଙ୍କୁ ବିଶାଳ ଛକା ମାରିବା ମୁଁ ଦେଖିଛି। ସେ ଜଣେ ଭୟହୀନ ବ୍ୟକ୍ତି। ନିଜ ସ୍ବାଭାବିକ ଖେଳକୁ ସେ ଜାରି ରଖିବା ଉଚିତ। ପଡ଼ିଆ ଭିତରେ ଆମେ ଏକଥା ଆଲୋଚନା କରିଥିଲୁ ଏବଂ ସେ ଖେଳର ସ୍ଥିତିକୁ ଭଲ ଭାବରେ ପଢ଼ିଥିଲେ। ଯାହାକୁ ନେଇ ମୁଁ ବହୁତ ଖୁସି’’ ବୋଲି କୋହଲି କହିଛନ୍ତି। ପାଞ୍ଚଟି ପାଳିରେ ଦୁଇ ଥର ଖାତା ଖୋଲି ନପାରିବା ପରେ ରବିବାରର ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ଲାଗି କୋହଲି ନିଜ ଆଇପିଏଲ୍ ସଥୀ ଏବି ଡି’ଭିଲିୟର୍ସଙ୍କୁ ଧନ୍ୟବାଦ ଦେଇଥିଲେ। ‘‘ଏବି ମୋତେ କହିଥିଲେ ତୁମେ ବଲ୍‌କୁ ଭଲ ଭାବରେ ଦେଖ, ମୁଁ ଠିକ୍ ସେକଥା କରି ସଫଳ ହେଲି’’ ବୋଲି ବିଶ୍ବର ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ୩,୦୦୦ ରନ୍ ପୂରଣ କରିଥିବା କୋହଲି କହିଥିଲେ।

 

 

ସମ୍ବନ୍ଧିତ ଖବର