ଟୋକିଓ : କରୋନା ମହାମାରୀର ଭୟ, ଏହାକୁ ନେଇ ଜାପାନବାସୀଙ୍କ ବିରୋଧ, ବିକ୍ଷୋଭ, ଚେତାବନୀ ସତ୍ତ୍ବେ ପ୍ରଥମ ଥର ବିନା ଦର୍ଶକରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ୍ସ। ମାନବିକ କ୍ରୀଡ଼ା ଦକ୍ଷତାର ଶିଖରତମ ପ୍ରତିଷ୍ପର୍ଦ୍ଧା ବିବେଚିତ ହେଉଥିବା ଅଲିମ୍ପିକ୍ସରେ ଏଥର ୨୦୦ରୁ ଅଧିକ ଦେଶର ପାଖାପାଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ। ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ଜାପାନ ରାଜଧାନୀ ଟୋକିଓରେ ଶୁକ୍ରବାରଠାରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କ୍ରୀଡ଼ା ମହାସମର।

Advertisment

କରୋନା ସଂକ୍ରମଣ ସଙ୍କଟ ପାଇଁ ୨୦୨୦ରୁ ୨୦୨୧କୁ ଘୁଞ୍ଚିଥିବା ଟୋକିଓ ଅଲିମ୍ପିକ୍ସ ଅନେକ ଦୃଷ୍ଟିରୁ ଅସାଧାରଣ, ଅସ୍ବାଭାବିକ ଓ ଆହ୍ବାନପୂର୍ଣ୍ଣ ରହିବ। କ୍ରୀଡ଼ାଗ୍ରାମରେ ସାମାଜିକ ଦୂରତା, ଖେଳାଳି ପହଞ୍ଚିବା କ୍ଷଣି କରୋନା ପରୀକ୍ଷା, ପଦକ ଉତ୍ସବରେ ନାନା କଟକଣା, ନିରାଡ଼ମ୍ବର ଉଦଘାଟନୀ ଉତ୍ସବ ସହ ଆଲିଙ୍ଗନ ଓ କରମର୍ଦ୍ଦନ ଉପରେ ବାସନ୍ଦା‌ଦେଶ ଭଳି ଅନେକ ନୂଆ କଥା ଏଥରର ଅଲିମ୍ପିକ୍ସରେ ଦେଖିବାକୁ ମିଳିବ। ଏସବୁ ସତ୍ତ୍ବେ ‘ଆବେଗ ଭିତରେ ଏକତା’ର ବାର୍ତ୍ତା ବହନ କରୁଥିବା ଟୋକିଓ ଅଲିମ୍ପିକ୍ସ ସଫଳତାର ସହ ଶେଷ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଆଶା ରଖିଛି।

ଭାରତୀୟ କ୍ରୀଡ଼ାବିତମାନେ ମଧ୍ୟ ସବୁ ଆହ୍ବାନ ଲାଗି ପୂରା ପ୍ରସ୍ତୁତ ଅଛନ୍ତି। ଏଥର ଭାରତ ୧୨୭ ଜଣ ଖେଳାଳି ଟୋକିଓ ପଠାଇଛି। ପ୍ରଥମ ଥର ନିଜ ପଦକ ସଂଖ୍ୟାକୁ ଦୁଇ ଅଙ୍କରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଭାରତୀୟ ଦଳକୁ ଦେଶର ୧୪୦ କୋଟି ଜନତା ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଓଡ଼ିଶା କ୍ରୀଡ଼ାପ୍ରେମୀ ଅଲିମ୍ପିକ୍ସକୁ ନେଇ ବେଶ୍ ଉତ୍ସାହିତ ଥିଲା ବେଳେ ରାଜ୍ୟର ୫ ଜଣ କ୍ରୀଡ଼ା ତାରକା ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରୋହି ଦାସ, ଦୀପ‌ଗ୍ରେସ୍ ଏକ୍କା, ନମିତା ଟୋ‌ପ୍ପୋ (ସଂରକ୍ଷିତ ଖେଳାଳି) ଏଥର ଅଲିମ୍ପିକ୍ସରେ ନିଜ ଯାଦୁ ଦେଖାଇବେ। ଓଡ଼ିଶାକୁ ପ୍ରଥମ ଅଲିମ୍ପିକ୍ସ ପଦକ ଆଣିବାର ସ୍ବପ୍ନକୁ ସାକାର କରିବା ଲାଗି ପ୍ରଚେଷ୍ଟା କରିବେ।