ବିଚକ୍ଷଣ ବୁଦ୍ଧି ଓ ବୌଦ୍ଧିକତାର ଖେଳ ଚେସ୍ ହେଉଛି ମଧୁର, ସୁନ୍ଦର, ଶାନ୍ତ ଓ ଚମତ୍କାର। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବନିତା ଏବଂ ଲିଙ୍ଗଗତ ପ୍ରଭେଦ ବିହୀନ ଭାବେ ଖେଳିହୁଏ। ସର୍ବଜନ ଆଦୃତ ତଥା ବୟସ ଓ ସ୍ଥାନର କୌଣସି ପ୍ରତିବନ୍ଧକ ନଥିବାରୁ ଏହା ସବୁ ବର୍ଗରେ ସବୁଠିରେ ଗ୍ରହଣୀୟ। ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଭାରତରେ ଏହି ଖେଳ ସୃଷ୍ଟି ହୋଇଥିଲା। ପାର୍ସି ଓ ଦକ୍ଷିଣ ୟୁରୋପକୁ ବ୍ୟାପିବା ପରେ ସମଗ୍ର ୟୁରୋପରେ ଏହି ଖେଳର ଆଧୁନିକ ରୂପ ବିକଶିତ ହୋଇଥିଲା। ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ୧୯୨୪ ମସିହାରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ସମୟରେ ଜୁଲାଇ ୨୦ ତାରିଖରେ ଚେସ୍ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଡେ ସ୍ଥାପିତ ହୋଇଥିଲା। ଏହି ଦିବସକୁ ୧୯୬୬ ମସିହାରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଚେସ୍ ଦିବସ ଭାବେ ପାଳନ କରାଯାଇଥାଏ। ୨୦୧୯ ମସିହା ଡିସେମ୍ବର ୧୨ ତାରିଖରେ ଜାତିସଂଘ ମହାସଭା ଦ୍ବାରା ଏହି ଦିବସକୁ ସ୍ବୀକୃତି ମିଳିଛି। ବିଶ୍ବର ପ୍ରାୟ ୧୮୮ ଦେଶରେ ପ୍ରାୟ ସାଢ଼େ ୬ କୋଟି ସ୍ବୀକୃତିପ୍ରାପ୍ତ ଚେସ୍ ଖେଳାଳି ଅଛନ୍ତି। ଚଳିତ ବର୍ଷର ବିଶ୍ବ ଚେସ୍ ଦିବସର ମୋଟୋ ରହିଛି ‘ପ୍ରତ୍ୟେକଙ୍କୁ ଚେସ୍ ଶିଖାଇବା’।
ଚେସ୍ ଖେଳ ଅନ୍ୟ ଖେଳଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ତାଳି ନଥାଏ କି ଜୟ ପରାଜୟରେ କୌଣସି ଶବ୍ଦ ବା ଚିତ୍କାର ବି ନଥାଏ। ଫଳରେ ବ୍ୟକ୍ତିର ଆଦ୍ୟ ଜୀବନକୁ ଶୃଙ୍ଖଳିତ କରିବା ସହ ଶୃଙ୍ଖଳିତ ଚରିତ୍ରର ଅବଧାରଣ କରିଥାଏ। ମାନସିକ ଓ ବୌଦ୍ଧିକ ବିକାଶର ଏହା ଅନ୍ୟତମ ଉପଯୁକ୍ତ ମାଧ୍ୟମ ଥିବାରୁ ଚେସ୍ ଖେଳାଳି ଓ ଖେଳ ପ୍ରତି ସମାଜରେ ସମ୍ମାନ ବଢ଼ିଥାଏ। ଏଥି ସହିତ ଚେସ୍ ଅନେକ ମାନବୀୟ ଗୁଣ ସବୁକୁ ଶିକ୍ଷା ଦେଇଥାଏ। ସ୍ମରଣଶକ୍ତି, ମାନସିକ ଦକ୍ଷତା, ଗଣନା କ୍ଷମତା, ଭାବନା ଶକ୍ତି, ସୃଜନଶୀଳତା, ଏକାଗ୍ରତା ବୃଦ୍ଧିର ଏହା ମଧ୍ୟ ଅନ୍ୟତମ ଉପଯୁକ୍ତ ମାଧ୍ୟମ।
ବର୍ତ୍ତମାନ ଭାରତ ବିଶ୍ବ ଚେସ୍ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଅନ୍ୟତମ ସୁପର୍ ପାୱାର ଭାବେ ବର୍ତମାନ ରୁଷିଆ ପଛକୁ ଭାରତ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଏବେ ୫୬,୪୪୬ ଅନ୍ତର୍ଜାତୀୟ ଏଲୋ ରେଟେଡ୍ ଖେଳାଳି, ୮୫ ଜଣ ଗ୍ରାଣ୍ଡ ମାଷ୍ଟର୍, ୧୨୪ ଅନ୍ତର୍ଜାତୀୟ ମାଷ୍ଟର୍, ୨୩ ମହିଳା ଗ୍ରାଣ୍ଡ୍ ମାଷ୍ଟର୍, ୪୨ ମହିଳା ଅନ୍ତର୍ଜାତୀୟ ମାଷ୍ଟର୍ ଅଛନ୍ତି। ବିଶ୍ବନାଥନ ଆନନ୍ଦ, କୋନେରୁ ହମ୍ପିଙ୍କ ପରବର୍ତ୍ତୀ ପିଢ଼ିରେ ବର୍ତ୍ତମାନ ଅର୍ଜୁନ ଏରିଗୈସି, ଡି ଗୁକେଶ, ବିଦିତ ଗୁଜରାଟୀ, ନିହାଲ ସାରିନ୍, ହରିକ୍ରୀଷ୍ଣା ଓ ଆର୍ ପ୍ରଜ୍ଞାନନ୍ଦଙ୍କ ଭଳି ଯୁବ ସୁପର ଗ୍ରାଣ୍ଡମାଷ୍ଟର୍ ବିଶ୍ବ ଚେସ୍ରେ ଚହଳ ପକାଇଛନ୍ତି। ମାନ୍ୟତାର ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ପୁରୁଷରେ ଭାରତ ଦ୍ବିତୀୟ (୨୬୭୦) ଏବଂ ମହିଳାରେ ତୃତୀୟ (୨୪୦୫) ସ୍ଥାନରେ ରହିଛି।
ବିଶେଷକରି ନିକଟରେ ମର୍ଯ୍ୟାଦାଜନକ ବିଶ୍ୱ କ୍ୟାଣ୍ଡିଡେଟ ଚେସ ଜିତିବାରେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିବା ଡି ଗୁକେଶ, ବିଶ୍ୱନାଥନ ଆନନ୍ଦଙ୍କ ପରେ ବିଶ୍ୱ ଚାମ୍ପିଅନ ହେବାର ଉଜ୍ବଳ ସମ୍ଭାବନା ସୃଷ୍ଟି କରିଛନ୍ତି। ଓଡ଼ିଶା ମଧ୍ୟ ଅଦ୍ୟାବଧି ୨ ଜଣ ଗ୍ରାଣ୍ଡମାଷ୍ଟର୍ (ଦେବାଶିଷ ଦାସ, ସ୍ବୟମ୍ସ ମିଶ୍ର) ଏବଂ ୭ ଅନ୍ତର୍ଜାତୀୟ ମାଷ୍ଟର୍ (ଶେଖର ଚନ୍ଦ୍ର ସାହୁ, ସ୍ବୟଂଶୁ ସତ୍ୟପ୍ରଜ୍ଞ, ଅନ୍ବେଷ ଉପାଧ୍ୟାୟ, ପଦ୍ମିନୀ ରାଉତ, ସିଦ୍ଧାନ୍ତ ମହାପାତ୍ର, ରାକେଶ ଜେନା, ସମ୍ବିତ ପଣ୍ଡା) ସୃଷ୍ଟି କରି ଭଲ ସ୍ଥିତିରେ ରହିଛି। ଏକମାତ୍ର ମହିଳା ଗ୍ରାଣ୍ଡ ମାଷ୍ଟର କିରଣ ମନିଷା ମହାନ୍ତି ଓ ଅନ୍ତର୍ଜାତୀୟ ମହିଳା ମାଷ୍ଟର ସାଇନା ସାଲୋନିକା ସେମାନଙ୍କ ଜୟଯାତ୍ରା ବଜାୟ ରଖିଥିବାବେଳେ ପ୍ରତିଭାବାନ ମହିତୋଷ ଦେ, ରାଜେଶ ନାୟକ ନିକଟରେ ଅନ୍ତର୍ଜାତୀୟ ମାଷ୍ଟର ହେବାର ସମ୍ଭାବନା ଉଜ୍ବଳ ରଖିଛନ୍ତି।
ଗତବର୍ଷ ୧୦୦ କୋଟି ବଜେଟରେ ତାମିଲନାଡୁରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଭାରତରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବା ବେଳେ ଭାରତ ମଧ୍ୟ ଉଭୟ ପୁରୁଷ ଓ ମହିଳା ବର୍ଗରେ ଐତିହାସିକ ସଫଳତା ଭାବେ କାଂସ୍ୟ ପଦକ ଜିତିଥିଲା। ବିଶ୍ବନାଥନ୍ ଆନନ୍ଦ ୫ ଥର ବିଶ୍ବ ବିଜେତା ହେବା ସହିତ ବର୍ତ୍ତମାନ ଫିଡେର ଡେପୁଟି ପ୍ରେସିଡେଣ୍ଟ୍ ଦାୟିତ୍ବରେ ରହିବା ଏବଂ ଦକ୍ଷ ପ୍ରଶାସକ ଭରତ ସିଂହ ଚୌହାନ ଏସୀୟ ଚେସ୍ ମହାସଂଘର ଅଧ୍ୟକ୍ଷ ନିଯୁକ୍ତ ହେବା ମଧ୍ୟ ମଧ୍ୟ ଭାରତର ପ୍ରାଧାନ୍ୟକୁ ପ୍ରମାଣିତ କରିଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଅନ୍ୟ ଖେଳ ଭଳି ଚେସ୍ ପାଇଁ ମଧ୍ୟ ଏକ ଉଚ୍ଚ ଗୁଣବତ୍ତା ପ୍ରଦର୍ଶନ କେନ୍ଦ୍ର (ଏଚ୍ପିସି) ଖୋଲିଛନ୍ତି। ଭାରତରେ ଖୁବ୍ ଶୀଘ୍ର ଇଣ୍ଡିଆନ୍ ଚେସ୍ ଲିଗ୍ (ଆଇସିଏଲ୍) ସହିତ ବୈପ୍ଳବିକ ପରିବର୍ତନ ଘଟିବାକୁ ଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଚେସ୍ ଏଚ୍ପିସି ଓ ଏସ୍ଆର ଚେସ୍ ସେଣ୍ଟର ଏହି ଖେଳକୁ ନୂଆ ଦିଶା ଦେବ ବୋଲି ଆଶା ରହିଛି।
ସତ୍ୟରଂଜନ ପଟ୍ଟନାୟକ
(ବିଜୁ ପଟ୍ଟନାୟକ ପୁରସ୍କାରପ୍ରାପ୍ତ
ବିଶିଷ୍ଟ ଚେସ୍ ପ୍ରଶିକ୍ଷକ)