ଆଜି ଶେଷ ଦିନିକିଆ: ସଂରକ୍ଷିତଙ୍କୁ ମିଳିବ ସୁଯୋଗ

ସେଞ୍ଚୁରିଅନ୍‌: ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳାର ଷଷ୍ଠ ତଥା ଅନ୍ତିମ ଦିନିକିଆ ଶୁକ୍ରବାର ସେଞ୍ଚୁରିଅନର ସୁପରସ୍ପୋର୍ଟସ ପାର୍କରେ ଖେଳାଯିବ। ଚଳିତ ଗସ୍ତରେ ତୃତୀୟ ଥର ପାଇଁ ଭାରତ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ତିନି ଟିକିଆ ଟେଷ୍ଟ ଶୃଙ୍ଖଳାର ଏଠାରେ ଖେଳା ଯାଇଥିବା ଦ୍ୱିତୀୟ ମୁକାବିଲାକୁ ଘରୋଇ ଦକ୍ଷିଣ ଆଫ୍ରିକା ୧୩୫ ରନ୍‌ରେ ଜିତି ନେଇଥିଲା। ୬ ଟିକିଆ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌କୁ ୯ ଓ୍ଵିକେଟ୍‌ରେ ଜିତି ନେଇ ଭାରତ ଏହାର ମଧୁର ପ୍ରତିଶୋଧ ନେଇଥିଲା। ଆସନ୍ତାକାଲି ଏଠାକାର ତୃତୀୟ ମୁକାବିଲାରେ ଭାରତ ଶୃଙ୍ଖଳାକୁ ୫-୧ କରିବା ଲକ୍ଷ୍ୟରେ ରହିବ। ଅନ୍ୟ ପକ୍ଷରେ ଟେ୍ଵଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ବିଜୟ ସହ ଆତ୍ମବିଶ୍ୱାସ ବଢ଼ାଇବା ଆଶାରେ ଦକ୍ଷିଣ ଆଫ୍ରିକା ରହିବ। ଭାରତ ଶୃଙ୍ଖଳାର ପ୍ରଥମ ପାଞ୍ଚଟି ମ୍ୟାଚ୍‌ରେ ସବୁ ପ୍ରମୁଖ ବୋଲରଙ୍କୁ ଖେଳାଇଥିଲା। ହେଲେ ଶୃଙ୍ଖଳା ବିଜୟର ଲକ୍ଷ୍ୟ ପୂରଣ ହୋଇ ସାରିଥିବାରୁ ଶୁକ୍ରବାର ଏପର୍ଯ୍ୟନ୍ତ ସୁଯୋଗ ପାଇ ନଥିବା କେତେକ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ଏହି ସଂକେତ ଅଧିନାୟକ ବିରାଟ କୋହଲି ମଧ୍ୟ ଦେଇ ସାରିଛନ୍ତି। ଏପରିକି ଗତ ଦେଢ଼ ମାସ ହେବ ଲଗାତାର କ୍ରିକେଟ୍‌ ଖେଳି ଚାଲିଥିବା ଭାରତୀୟ ଖେଳାଳିମାନେ ଶୁକ୍ରବାର ମ୍ୟାଚ୍‌ ପାଇଁ ଅଭ୍ୟାସ ବି କରି ନାହାନ୍ତି । ଯସପ୍ରୀତ ବୁମରା ଏବଂ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ମିଳିପାରେ। ମହମ୍ମଦ ସାମି କିମ୍ବା ସାର୍ଦୁଲ ଠାକୁର ଚୂଡ଼ାନ୍ତ ଏକାଦଶରେ ରହି ପାରନ୍ତି। ସେହିଭଳି ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ପ୍ରଥମ ଥର ପଡ଼ିଆକୁ ଓହ୍ଲାଇ ପାରନ୍ତି।

ପରିସଂଖ୍ୟାନ
ସମଗ୍ର ଗସ୍ତରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ମାତ୍ର ଗୋଟିଏ ଶତକ ଅର୍ଜନ କରିଛନ୍ତି। ଅନ୍ୟ ପକ୍ଷରେ ଭାରତ ଖେଳାଳିମାନେ ପାଞ୍ଚଟି ଶତକ ହାସଲ କରିଛନ୍ତି। ସେଥିମଧ୍ୟରୁ ଅଧିନାୟକ କୋହଲି ତିନିିଟି ଶତକ ଅର୍ଜନ କରିଥିଲା ବେଳେ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଗୋଟିଏ ଲେଖାଏଁ ଶତକ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ଖେଳାଳିମାନେ ୨୨.୬୫ ଏବଂ ୫୦.୨ ହାରରେ ବ୍ୟାଟିଂ ଓ ବୋଲିଂ କରିଛନ୍ତି। ଯାହା କୌଣସି ଘରୋଇ ଦ୍ୱିପାକ୍ଷିକ ଶୃଙ୍ଖଳାରେ ଏହି ଦଳର ସବୁଠାରୁ ଖରାପ ପ୍ରଦର୍ଶନ। ଶୁକ୍ରବାର ଏହାକୁ ସୁଧାରିବାକୁ ଘରୋଇ ଖେଳାଳିମାନେ ଚେଷ୍ଟା କରିବେ। ଅଷ୍ଟ୍ରେଲିଆ ପରେ ଭାରତ ଏକମାତ୍ର ଦଳଭାବେ ଦକ୍ଷିଣ ଆଫ୍ରିକାକୁ ଦକ୍ଷିଣ ଆଫ୍ରିକା ମାଟିରେ ୫ କିମ୍ବା ତାଠାରୁ ଅଧିକ ମ୍ୟାଚ୍‌ ଥିବା ଦିନିକିଆ ଶୃଙ୍ଖଳାରେ ହରାଇଛି।

ପିଚ୍‌ ଓ ପରିବେଶ
ସେଞ୍ଚୁରିଅନ ପିଚ୍‌ ଏବଂ ପରିବେଶ ଭାରତୀୟ ଖେଳାଳିଙ୍କୁ ବେଶ୍‌ ସୁହାଇବ। ଗତ କିଛି ଦିନ ହେବ ଏଠାରେ ଘଡ଼ ଘଡ଼ି ସହ ବର୍ଷା ହୋଇଛି। ତେବେ ପାଣି ସୁଖାଇବାର ଉନ୍ନତ ବ୍ୟବସ୍ଥା ଥିବାରୁ ଏହାର ବିଶେଷ ପ୍ରଭାବ ପିଚ୍‌ ଉପରେ ପଡ଼ିବାର ଆଶଙ୍କା କମ୍‌ ରହିଛି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ, ଅଜିଙ୍କ୍ୟ ରାହାଣେ, ଶ୍ରେୟସ୍‌ ଆୟର/କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର/ମହମ୍ମଦ ସାମି, ଯସପ୍ରୀତ ବୁମରା/ସାର୍ଦୁଲ ଠାକୁର।

ସମ୍ଭାବ୍ୟ ଦକ୍ଷିଣ ଆଫିି୍ରକା: ଏଦେନ ମର୍କରାମ (ଅଧିନାୟକ), ହାସିମ ଆମଲା, ଜେପି ଡୁମିନି, ଇମ୍ରାନ ତାହିର, ଡେଭିଡ୍‌ ମିଲର, ମର୍ନି ମର୍କେଲ, କ୍ରିସ୍‌ ମୋରିସ୍‌, ଲୁଙ୍ଗି ଏନଗିଡ଼ି, ଆନ୍ଦିଲ ଫେଲୁଖୋଓ୍ଵା, କାଗିସୋ ରବାଦା, ତାବ୍ରାଇଜ୍‌ ସାମି, ହେନରିକ୍‌ କ୍ଲାସେନ, ଏବି ଡିଭିଲିୟର୍ସ।

ସମ୍ବନ୍ଧିତ ଖବର