ସମାରା/ରସ୍ତନ ଅନ୍ ଡନ୍: ଫିଫା ବିଶ୍ୱକପ୍ରେ ସୋମବାର ମଧ୍ୟ ଖେଳାଯିବ ଦୁଇଟି ପ୍ରି-କ୍ୱାର୍ଟର ଫାଇନାଲ୍ ମ୍ୟାଚ୍। ସଂଧ୍ୟା ୭.୩୦ରେ ୫ ଥର ବିଜେତା ବ୍ରାଜିଲ୍ ଭେଟିବ ନିଜ ଦକ୍ଷିଣ ଆଫ୍ରିକା ମହାଦେଶୀୟ ପ୍ରତିଦ୍ୱନ୍ଦ୍ୱୀ ମେକ୍ସିକୋକୁ। ସେହିଭଳି ରାତି ୧୧.୩୦ ମିନିଟ୍ରେ ମୁହାଁମୁହିଁ ହେବେ ଏସୀୟ ଆଶା ଜାପାନ ଓ ୟୁରୋପୀୟ ଶକ୍ତି ବେଲ୍ଜିୟମ। ସମାରା ଷ୍ଟାଡିୟମରେ ମେକ୍ସିକୋ ବିପକ୍ଷ ମ୍ୟାଚ୍କୁ ବ୍ରାଜିଲ୍ ସହଜରେ ନେଉନାହିଁ କି ନେବା ଉଚିତ୍ ନୁହେଁ। ବ୍ରାଜିଲ୍ ୫ ଥର ବିଜେତା ହୋଇପାରେ, କିନ୍ତୁ ବିଗତ ୧୬ ବର୍ଷ ଧରି ମୁକୁଟ ବିହୀନ ରହିଛି। ଅନ୍ୟପକ୍ଷରେ ମେକ୍ସିକୋ ସାମ୍ପ୍ରତିକ ସମୟରେ ଚକିତ କଲା ଭଳି ଦକ୍ଷତା ଦେଖାଇ ସାରିଛି। ୨୦୦୦ ମସିହାଠାରୁ ଦେଖିଲେ କୌଣସି ପ୍ରତିଯୋଗିତାର ନକ୍ ଆଉଟ୍ ପର୍ଯ୍ୟାୟରେ ବ୍ରାଜିଲ୍ ବିପକ୍ଷରୋ ୭ ପ୍ରତିଦ୍ୱନ୍ଦ୍ୱୀ ଦଳ ଗୋଟିଏ ବି ବିଜୟ ପାଇନାହାନ୍ତି। ଅବଶ୍ୟ ସ୍ପେନ୍, ଡେନ୍ମାର୍କ ଏବଂ ବେଲଜିୟମ୍କୁ ଦଳ ଥରେ ମାତ୍ର ଭେଟିଛି। କିନ୍ତୁ ଏହି ସମୟରେ ବ୍ରାଜିଲ୍ ସହ ୧୪ ମ୍ୟାଚ୍ ଖେଳି ମେକ୍ସିକୋ ୬ ଜିତିିଛି। ପ୍ରିକ୍ୱାର୍ଟରରେ ଥିବା ଅନ୍ୟ ଦଳ ଗୁଡ଼ିକ ମଧ୍ୟରୁ ଫ୍ରାନ୍ସ ୩ ଥର ବ୍ରାଜିଲ୍କୁ ହରାଇ ଦ୍ୱିତୀୟରେ ରହିଛି। ଅନ୍ୟପକ୍ଷରେ ବ୍ରାଜିଲ୍ ବିପକ୍ଷ ନିଜର ଶେଷ ୯ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ରୁ ମେକ୍ସିକୋ ୬ ଜିତି ୨ ହାରିବା ମଧ୍ୟ ଦଳକୁ ସୋମବାରର ସମାରା ଲଢ଼େଇ ପୂର୍ବରୁ ଆତ୍ମବିଶ୍ୱାସରେ ରଖିଛି। ୨୦୧୨ ଲଣ୍ଡନ୍ ଅଲିକ୍ସିକ୍ସରେ ବ୍ରାଜିଲ୍କୁ ହରାଇ ମେକ୍ସିକୋ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲା। ୨୦୧୪ ବିଶ୍ୱକପ୍ରେ ବ୍ରାଜିଲ୍ ସହିତ ମଧ୍ୟ ଗୋଲଶୂନ୍ୟ ଅମୀମାଂସିତ ଖେଳିଥିଲା ମେକ୍ସିକୋ। ୨୦୦୧ କୋପା ଆମେରିକାରେ ମେକ୍ସିକୋ ୧-୦ରେ ବିଜୟୀ ହୋଇଥିଲେ ମଧ୍ୟ ୧୨ ମାସ ପରେ ବ୍ରାଜିଲ୍ ଜାପାନ-କୋରିଆରେ ବିଶ୍ୱକପ୍ ଜିତି ନେଇଥିଲା। ସେହିଭଳି ମେକ୍ସିକୋ ୨୦୧୪ ବିଶ୍ୱକପ୍ ପ୍ରି-କ୍ୱାର୍ଟର ଫାଇନାଲ୍ରେ ନେଦରଲାଣ୍ଡ୍ଠୁ ହାରି ଦ୍ୱିତୀୟ ରାଉଣ୍ଡ୍ରୁ ଲଗାତାର ଷଷ୍ଠ ଥର ବିଦାୟ ନେଇଥିଲା। ଦଳର ଲମ୍ବା ଯାତ୍ରା କିନ୍ତୁ ସୀମିତ ରହିଛି। ୧୫ ଥର ବିଶ୍ୱକପ୍ ଖେଳିଥିଲେ ମଧ୍ୟ ମେକ୍ସିକୋ ମାତ୍ର ୨ ଥର କ୍ୱାର୍ଟର ଫାଇନାଲ୍ ପହଞ୍ଚିଛି। ଶେଷ ଥର ପାଇଁ ୧୯୮୬ରେ ଆୟୋଜକ ଥିବାବେଳେ ଏହା ହୋଇଥିଲା। ଏବେ ୩ ଦଶନ୍ଧି ପରେ ଶ୍ରେଷ୍ଠ ପ୍ରଦର୍ଶନର ସମକକ୍ଷ ହେବା ଆଶାରେ ରହିଛି।
ରୁଷିଆ ସଂସ୍କରଣରେ ସ୍ୱିଜରଲାଣ୍ଡ ସହ ୧-୧ ଅମୀମାଂସିତ ପରେ ବ୍ରାଜିଲ୍ ୨-୦ରେ ଦଳ କୋଷ୍ଟାରିକାକୁ ଏବଂ ୨-୧ରେ ସର୍ବିୟାକୁ ହରାଇ ଗ୍ରୁପ୍ ‘ଇ’ ବିଜେତା ଭାବେ ଆସିଛି। ଅନ୍ୟପକ୍ଷରେ ଗ୍ରୁପ୍ ‘ଏଫ୍’ ଉପ ବିଜେତା ଭାବେ ଆସିଥିବା ମେକ୍ସିକୋ ପ୍ରଥମ ମ୍ୟାଚ୍ରେ ୨୦୧୪ ବିଜେତା ଜର୍ମାନିକୁ ହରାଇବା ପରେ ଆତ୍ମବିଶ୍ୱାସରେ ଆଗକୁ ବଢ଼ିଥିଲା। ଦକ୍ଷିଣ କୋରିଆଠୁ ୨-୧ରେ ଜିତିବା ପରେ ପ୍ରି-କ୍ୱାର୍ଟର ସ୍ଥାନ ପକ୍କା କରି ନେଇଥିଲା। ଶେଷ ମ୍ୟାଚ୍ରେ ସ୍ୱିଡେନ୍ ନିକଟରୁ ୦-୩ରେ ହାରିଯିବା ଦଳର ମନୋବଳକୁ ତଳେ ରଖିଛି। ସବୁଠାରୁ ବଡ଼ କଥା ହେଉଛି ବିଗତ ୪ ବିଶ୍ୱକପ୍ ମୁକାବିଲାରେ ମେକ୍ସିକୋଠାରୁ ବ୍ରାଜିଲ୍ ଗୋଲ୍ ବରଣ କରିନାହିଁ। ବରଂ ୧୧-୦ରେ ଆଗୁଆ ରହିବା ନେମାରଙ୍କ ଦଳକୁ ଦୃଢ଼ ଆତ୍ମବିଶ୍ୱାସ ଦେଇଛି। ବ୍ରାଜିଲ୍ ନିଶ୍ଚିତ ସମାରାରେ ଥିଆଗୋ ସିଲ୍ଭା, ଲୁଇ ଫିଲିପ୍, ପୌଲିନୋ, କଟିନୋ ଓ ନେମାରଙ୍କ ଉପରେ ଭରସା ରଖିବ। ମେକ୍ସିକୋକୁ ଆନ୍ଦ୍ରେସ ଗୁଆର୍ଡାଡୋ, ୟୋନାଥନ୍ ଡସ୍ ସାଣ୍ଟୋସ୍, ହେକ୍ଟର ହିରେରା, ଗୁଲେର୍ମୋ ଓକୋଆଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ।
ରସ୍ତନ୍ରେ ଏସୀୟ ଆଶା ଜାପାନ ଆଗରେ ରହିଛି ବେଲ୍ଜିୟମ। ଗୋଲ୍ ଦେବାରେ ମାହିର୍ ବେଲ୍ଜିୟମ୍ ତୃତୀୟ ଥର ପାଇଁ କ୍ୱାର୍ଟର ଫାଇନାଲ୍ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଥର ପ୍ରିକ୍ୱାର୍ଟର ଫାଇନାଲ୍ ସୀମା ଡେଇଁବା ଆଶାରେ ରହିଛି ଜାପାନ। ଲାଲବାହିନୀ ବେଲ୍ଜିୟମ୍ ପୂର୍ବରୁ ୧୯୮୬ ଏବଂ ୨୦୧୪ରେ କ୍ୱାର୍ଟର ଫାଇନାଲ୍ ଉଠି ପାରିଥିଲା। ସେହିଭଳି ଗତ ସଂସ୍କରଣ ଭଳି ୪ ଲଗାତାର ବିଜୟ ଅର୍ଜନ କରି ନିଜ କୀର୍ତିମାନର ସମକକ୍ଷ ଲକ୍ଷ୍ୟରେ ରହିବ ଦଳ। ବେଲ୍ଜିୟମ୍ ଏବେ ଶେଷ ୨୨ ମ୍ୟାଚ୍ରେ ଅପରାଜିତ ରହିବା ଦଳର ପ୍ରତିଭାକୁ ଦର୍ଶାଉଛି। ଅନ୍ୟପକ୍ଷରେ ଫେୟାର ପ୍ଲେ ଆଧାରରେ ପ୍ରିକ୍ୱାର୍ଟର ଫାଇନାଲ୍ ଆସିଥିବା ଜାପାନ ନିଜ ଅଭିଜ୍ଞତାକୁ ଉପଯୋଗ କରି ଇତିହାସ ରଚିବା ଲକ୍ଷ୍ୟରେ ରହିଛି। ଇଜି କାଓ୍ଵାସୀମା, ମାକୋତୋ ହସେବେ, ୟୁତୋ ନାଗାତୋମୋ ଏବଂ ସିନ୍ଜି ଓକାରାଜି ନସିଜ ନିଜର ଏକାଦଶ ବିଶ୍ୱକପ୍ ମ୍ୟାଚ୍ ଖେଳିବେ। ଯାହାକି ଏକ ଜାତୀୟ କୀର୍ତିମାନ। କିଜୁକୋ ହୋଣ୍ଡା ମଧ୍ୟ ୨୦୧୦ରେ ପାରାଗୁଏ ପରାଜୟ ଦୁଃଖକୁ ଭୁଲିବାକୁ ଚାହିଁବେ ଏଠାରେ। ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଜାପାନ ପ୍ରିକ୍ୱାର୍ଟର ଉଠି ପାରାଗୁଏଠୁ ହାରିଥିଲା। ୪-୪-୨ ଶୈଳୀରେ ଖେଳୁଥିବା ଜାପାନ ଶେଷ ଲିଗ୍ରେ ପୋଲାଣ୍ଡ ନିକଟରୁ ହାରିଯିବାରୁ ଏହାକୁ ୪-୨-୩-୧ରେ ପରିଣତ କରିବା କୌଶଳ ରଖିଛି। ଲିଗ୍ରେ କଲମ୍ବିଆକୁ ହରାଇବା ଏବଂ ସେନେଗାଲ୍କୁ ଅଟକାଇବାର ଆତ୍ମବିଶ୍ୱାସ ରଖିଛି ଦଳ। ଇଂଲଣ୍ଡ ବିପକ୍ଷରେ ବେଲ୍ଜିୟମ୍ ପ୍ରଶିକ୍ଷକ ରବର୍ଟ ମାର୍ଟିନେଜ ନିଜର ଅଧିକାଂଶ ପ୍ରଥମ ପସନ୍ଦ ଖେଳାଳିଙ୍କୁ ବିଶ୍ରାମ ଦେଇ କାର୍ଡ ଆଶଙ୍କାଠାରୁ ଦୂରରେ ରଖିଥିଲେ। ରସ୍ତନ ଅନ୍ ଡନ୍ରେ ଦଳ ପାଇଁ କେଭିନ୍ ଡି ବ୍ରୁଇନ୍, ଇଦେନ୍ ହାଜାର୍ଡ, ରୋମେଲୁ ଲୁକାକୁ, ମେର୍ଟେନ୍ସଙ୍କ ଉପରେ ଭରସା ରଖି ଦଳ ଆଗକୁ ଯିବା ଆଶାରେ ରହିଛି।