ଭାରତ-ଇଣ୍ଡିଜ୍ ମ୍ୟାଚ୍‌ ଟାଇ

ହୋସ୍ ଉଡ଼ାଇଲେ ହୋପ୍-ହେଟ୍‌ମେୟର, ଶେଷ ବଲ୍‌ ଚୌକାରେ ଟାଇ

ବିଶାଖାପାଟଣା : ଭାରତ-‌ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆ ରୋମାଞ୍ଚକର ଭାବେ ଟାଇ ରହିଛି। ଶେଷ ଓଭରରୁ ୧୪ ରନ୍‌ର ଦରକାର ଥିଲା ବେଳେ ଭାରତ ୧୩ ରନ୍‌ ବ୍ୟୟ କରିବା ପରେ ଇଣ୍ଡିଜ୍‌ ହୃଦୟ ଜିତିଛି। ଶେଷ ବଲ୍‌ରେ ସାଇ ହୋପଙ୍କ ଦର୍ଶନୀୟ ଚୌକା ହିଁ ଭାରତ ହାତରୁ ବିଜୟ ଛଡ଼ାଇ ନେଇଥିଲା। ଭାରତ ଆଜି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୨୧ ରନ୍ କରିଥିଲା। ଇଣ୍ଡିଜ୍ ବି ୭ ୱିକେଟ୍ ବିନିମୟରେ ଠିକ୍ ୩୨୧ ରନ୍ କରିଥିଲା। ଫଳରେ ବିଶାଖାପାଟଣାରେ ଏକ ଚିତ୍ତାକର୍ଷକ ଲଢ଼େଇ ଦେଖିବାକୁ ମିଳିଥିଲା।

ବିଶାଖାପାଟଣା ଦିନିକିଆ ରୋମାଞ୍ଚକର ଭାବେ ଟାଇ ରହିଛି। ଭାରତ ୩୨୧/୬ କରିବା ପରେ ୱେଷ୍ଟଇଣ୍ଡିଜ୍ ନିର୍ଧାରିତ ୫୦ ଓଭରରେ ୩୨୧/୭ କରିଛି। ଫଳରେ ଦର୍ଶକଙ୍କର ଭରପୁର ମନୋରଞ୍ଜନ ହୋଇଛି। ଭାରତ ଗସ୍ତରେ ପ୍ରଥମ ଥର ପାଇଁ ଇଣ୍ଡିଜ୍ ମଧ୍ୟ ଘରୋଇ ଦଳ ମନରେ ଭୟ ସଂଚାର କରିପାରିଛି। ୩୨୨ ରନ୍‌ର ବିଜୟ ଲକ୍ଷ୍ୟ ଅନଭିଜ୍ଞ ଇଣ୍ଡିଜ୍ ପାଇଁ ଅସମ୍ଭବ ମନେ ହେଉଥିଲା। ହେଲେ ଏହି ଦଳର ଦୁଇ ଯୁବ ତାରକା ସିମରନ୍ ହେଟମେୟର (୯୪ ରନ୍, ୬୪ ବଲ୍, ୪ ଚୌକା, ୭ ଛକା) ଓ ସାଇ ହୋପ୍ (୧୨୩* ରନ୍, ୧୩୪ ବଲ୍, ୧୦ ଚୌକା, ୩ ଛକା) ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। ଏପରିକି ହୋପ୍ ନିଜ ଦଳକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ଶେଷ ୭ ଓଭରରେ ଭାରତ ଅବଶ୍ୟ ରନ୍ ହାର ଉପରେ ଅଙ୍କୁଶ ଲଗାଇବାକୁ ସକ୍ଷମ ହୋଇଥିଲା। ନିମୟିତ ୱିକେଟ୍ ନେଇ ଇଣ୍ଡିଜ୍ ଉପରେ ଚାପ ସୃଷ୍ଟି କରି ପାରିଥିଲା। ସେଥିପାଇଁ ଏକଦା ରନ୍ ତୁଳନାରେ ଅଧିକ ବଲ୍ ଥିବା ଇଣ୍ଡିଜ୍ ପାଇଁ ଶେଷ ଓଭରରୁ ବିଜୟ ପାଇଁ ୧୪ ରନ୍‌ ଦରକାର ପଡ଼ିଥିଲା। ଯାହା ପରେ ଶେଷ ବଲ୍‌ରୁ ୫ ରନ୍‌ରେ ବଦଳିଥିଲା। ଉମେଶ ଯାଦବଙ୍କ ବଲ୍‌କୁ ହୋପ୍ ଚୌକା ମାରିବା ସହ ମ୍ୟାଚ୍ ଟାଇ ରହି ଯାଇଥିଲା। ଭାରତ ବି ପରାଜୟରୁ ବର୍ତି ଯାଇଥିଲା।

ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ହିଁ ଭାରତ ପାଳିର ପ୍ରମୁଖ ଆକର୍ଷଣ ଥିଲା। ଧିମା ପିଚ୍ ହେଉକି ଦ୍ରୁତ, ଭଲ ପ୍ରତିପକ୍ଷ ହେଉ କି ଖରାପ। ପ୍ରଥମେ ବ୍ୟାଟିଂ ହେଉ କି ଦ୍ବିତୀୟ। ତାଙ୍କୁ କିଛି ଫରକ ପଡ଼େ ନାହିଁ ବୋଲି କୋହଲି ପୁଣି ଥରେ ପ୍ରମାଣିତ କରି ଦେଇଥିଲେ। ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ସେ ନିଜ ୩୭ତମ ଶତକ ପୂରଣ କରି ଦ୍ରୁତତମ ୧୦,୦୦୦ ରନ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଥିଲେ। ୨୫୦ ରନ୍ ଭଳି ପିଚ୍‌ରେ ଭାରତର ସ୍କୋରକୁ ୩୦୦ ରନ୍ ଟପାଇ ଦେଇଥିଲେ। ଭାରତ ଆଜି ମାତ୍ର ୪୦ ରନ୍ ଭିତରେ ରୋହିତ ଶର୍ମା (୪) ଓ ଶିଖର ଧାୱନ (୨୯)ଙ୍କୁ ହରାଇଥିଲା। ହେଲେ କୋହଲି ଏବଂ ଅମ୍ବାତି ରାୟୁଡୁ (୭୩) ତୃତୀୟ ୱିକେଟ୍‌ରେ ୧୩୯ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ରାୟୁଡୁ ଭଲ ଖେଳୁଥିଳା ବେଳେ ଆସଲେ ନର୍ସଙ୍କ ତଳିଆ‌ ରହିଥିବା ବଲ୍‌କୁ ବୁଝି ନପାରି ବୋଲ୍ଡ ହୋଇଥିଲେ। କୋହଲି ଋଷବ ପନ୍ତ (୧୭)ଙ୍କୁ ଅଟକାଇ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୦)ଙ୍କୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ ପାଇଁ ଡାକିଥିଲେ। ହେଲେ ଉଭୟ ବିଫଳ ହୋଇଥିଲେ। ତେବେ କୋହଲି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଏମାନେ କରିଥିବା ତ୍ରୁଟିର କ୍ଷତିକୁ ଭରଣା କରି ନେଇଥିଲେ। ସେ ମଧ୍ୟ ୨୦୧୮ରେ ୧,୦୦୦ ଦିନିକିଆ ରନ୍ ପୂରଣ କରିଥିଲେ। କୋହଲି ବ୍ୟକ୍ତିଗତ ୪୪ ରନ୍‌ରେ ଥିଲା ବେଳେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର ତାଙ୍କର କ୍ୟାଚ୍ ହାତଛଡ଼ା କରିବା ଭ୍ରମଣକାରୀ ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ନିଜେ ସମ୍ମୁଖୀନ ହୋଇଥିବା ଶେଷ ୧୭ ବଲ୍‌ରୁ କୋହଲି ୪୮ ରନ୍ ସଂଗ୍ରହ କରି ନେଇଥିଲେ। ସେ ମଧ୍ୟ ଚତୁର୍ଥ ଥର ପାଇଁ ଦିନିକିଆରେ ଦେଢ଼ ଶହରୁ ଅଧିକ ରନ୍‌ର ପାଳି ଖେଳିଥିଲେ।

ସମ୍ବନ୍ଧିତ ଖବର