ଆଜି ଓଡ଼ିଶା ଏଫ୍‌ସି-ଗୋଆ ଏଫ୍‌ସି ମୁକାବିଲା

ଭୁବନେଶ୍ବର : ଚଳିତ ଆଇଏସ୍‌ଏଲ୍ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ନିଜର ଘର ବାହାର ମ୍ୟାଚ୍‌ରେ ଶନିବାର ଭେଟିବ ଗୋଆ ଏଫ୍‌ସିକୁ। ଫତୋର୍ଦାର ପଣ୍ଡିତ ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ ଅପରାହ୍ଣ ୫.୩୦ ମିନିଟ୍‌ରେ। ଓଡ଼ିଶା ଏଫ୍‌ସି ଚଳିତ ଋତୁରେ ଅଦ୍ୟାବଧି ୮ ମ୍ୟାଚ୍‌ରୁ ୬ ଜିତି ପଏଣ୍ଟ ଟେବୁଲ୍‌ର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଗୋଆ ଏଫ୍‌ସି ସମାନ ୮ ମ୍ୟାଚ୍‌‌ ଖେଳି ୪ଟି ଜିତି ଷଷ୍ଠ ସ୍ଥାନରେ ରହିଛି। ଓଡ଼ିଶା ଏଫ୍‌ସି ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ୪ରୁ ୪ ଜିତି ୧୦୦ ପ୍ରତିଶତ ସଫଳତା ରଖିଥିଲେ ମଧ୍ୟ ବାହାରେ ୪ରୁ ୨ ଜିତି ୫୦ ପ୍ରତିଶତ ସଫଳତା ପାଇଛି। ଏହି ସ୍ଥିତିରେ ସୁଧାର ଆଣିବାକୁ ଦଳ ଚେଷ୍ଟା କରିବ‌ ବୋଲି ପ୍ରଶିକ୍ଷକ ଯୋ‌ସେଫ ଗମ୍ଭାୟୁ ପ୍ରକାଶ କରିଛନ୍ତି।

ଗୋଆ ଏକ ଭଲ ଦଳ ବୋଲି ମଧ୍ୟ ସେ ସ୍ବୀକାର କରିଛନ୍ତି। ଓଡ଼ିଶା ଗତ ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ୍‌କୁ ପରାସ୍ତ କରିଥିବା ବେଳେ ଗୋଆ ଘରୋଇ ପଡିଆରେ ମୁମ୍ବାଇ ସିଟି ନିକଟରୁ ୧-୪ରେ ହାରି ଚାପରେ ରହିଛି। ଓଡ଼ିଶାର ବିଜୟ ଧାରାକୁ ରୋକିବା ଏହି ଦଳ ପାଇଁ ନିଶ୍ଚିତ ଆହ୍ବାନ ହେବ। ତେବେ ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ଦଳ ବିଜୟୀ ହେବାକୁ ଚେଷ୍ଟା କରିବ। ଆଇଏସ୍‌ଏଲ୍‌ ଇତିହାସରେ ଓଡ଼ିଶା ଏଫ୍‌ସି ଏବଂ ଗୋଆ ଏଫ୍‌ସି ପରସ୍ପର ସହ ୬ ଥର ଭେଟିଥିଲେ ମଧ୍ୟ ଓଡ଼ିଶା ଦଳ କେବେ ବିଜୟୀ ହୋଇନାହିଁ। ଗୋଆ ୪ ଜିତି ୨ଟି ଅମୀମାଂସିତ ରଖିଛି। ଚଳିତ ଋତୁରେ ପରସ୍ପରକୁ ପ୍ରଥମ ଥର ଭେଟୁଛନ୍ତି ଏହି ଦୁଇ ଦଳ। ଫଳରେ ଓଡ଼ିଶା ଏଫ୍‌ସିର ଆତ୍ମବିଶ୍ବାସକୁ ପ୍ରତିହତ କରିବାକୁ ଘରୋଇ ପ୍ରଶଂସକଙ୍କ ଉତ୍ସାହର ସହାୟତା ନେବାକୁ ନିଶ୍ଚିତ ଗୋଆ ଏଫ୍‌ସି ଆଶା ରଖିବ।

ସମ୍ବନ୍ଧିତ ଖବର