ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଫର୍ମରେ ଥିବା ଓଡ଼ିଶା ଏଫ୍‌ସି ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ହ୍ୟାଟ୍ରିକ୍‌ ବିଜୟ ପରେ ବୁଧବାର ହାଇଦ୍ରାବାଦରେ ହାଇଦ୍ରାବାଦ୍‌ ଏଫ୍‌ସି ବିପକ୍ଷରେ ଖେଳିବାକୁ ଯାଉଛି। କଳିଙ୍ଗରେ ଘରୋଇ ଦଳ ଜାମସେଦପୁର ଏଫ୍‌ସି, ଚେନାୟିନ୍‌ ଏଫ୍‌ସି ଓ ମୁମ୍ବାଇ ସିଟି ଏଫ୍‌ସିକୁ ପରାସ୍ତ କରିସାରିଛି। ଏହି ବିଜୟ ଧାରା ବଜାୟ ରଖିବା ସହ ଜୋସେପ ଗୋମ୍ବଉଙ୍କ ଦଳ ହାଇଦ୍ରାବାଦଠୁ ପୂରା ପଏଣ୍ଟ୍‌ କରାୟତ୍ତ କରିବା ଲକ୍ଷ୍ୟରେ ରହିଛି। ସଂପ୍ରତି ଓଡ଼ିଶା ପଏଣ୍ଟ୍‌ ଟେବୁଲର ଚତୁର୍ଥରେ ଥିଲା ବେଳେ ହାଇଦ୍ରାବାଦ ‌ଶେଷ ସ୍ଥାନରେ ରହିଛି।

ଆମ ପାଇଁ ପ୍ରତି‌ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ପ୍ରତ୍ୟେକ ମ୍ୟାଚ୍‌ରେ ଆମେ ଶ୍ରେଷ୍ଠ ଦେବାକୁ ଚେଷ୍ଟା କରୁ। କେବେ ବି ‌ମୁଁ ଖେଳାଳିମାନଙ୍କୁ ଅଧିକ ଚାପ ଦେବାକୁ ଚାହିଁ ନଥାଏ। ଆମ ପାଖରେ ବଡ଼ ଦଳ ରହିଛି। ଶୀର୍ଷ ୪ ମଧ୍ୟରେ ରହିଛୁ, ହେଲେ ଆମକୁ ଆହୁରି ୬ ମ୍ୟାଚ୍‌ ଖେଳିବାର ଅଛି। ଏଥିରେ ୩ ବାହାର ମ୍ୟାଚ୍‌ ରହିଛି। ଶୀର୍ଷ ୪ ଦଳ ମଧ୍ୟରେ ସ୍ଥାନ ବଜାୟ ରଖିବା ଲାଗି ଆମ ପାଇଁ ପ୍ରତି ମ୍ୟାଚ୍‌ ଫାଇନାଲ୍‌ ସଦୃଶ ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ଗୋମ୍ବଉ। ଚଳିତ ଋତୁରେ ଆମେ ଭଲ କରିନାହୁଁ। ମଧ୍ୟଭାଗରେ ଆମ ପ୍ରବନ୍ଧକ ବିଦାୟ ନେଇଛନ୍ତି ଏବଂ ଦଳ ପଏଣ୍ଟ୍‌‌ ଟେବୁଲର ‌ଶେଷରେ ରହିଛି। ଏଥିସହ ଚଳିତ ଋତୁରେ ଆମ ପ୍ରଦର୍ଶନ ଦର୍ଶକ, ଅଧିକାରୀ ଓ ଖେଳାଳିଙ୍କୁ ନିରାଶ କରିଛି। ଆଗକୁ ୬ ମ୍ୟାଚ୍‌ ଥିବାରୁ ଦଳର ସ୍ବାଭିମାନ ଓ ସମ୍ମାନ ରଖିବା ଲାଗି ଅମେ ଭଲ କରିବୁ। ଖେଳାଳିମାନେ ଜାଣିଛନ୍ତି ଦଳ ଶେଷ ୪ରେ ପହଞ୍ଚି ପାରିବନି ତଥାପି ନିଜ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ହାଇଦ୍ରାବାଦର ସହପ୍ରଶିକ୍ଷକ ମେହରାଜୁଦ୍ଦିନ ୱାଦୁ।
ଓଡ଼ିଶାର ରକ୍ଷଣଭାଗର ନେତୃତ୍ବ ମାଥ୍ୟୁ କ୍ଲିଙ୍ଗାଲନ୍‌ଙ୍କ ହାତରେ ରହିଛି। ସେ ଭଲ କରିବା ସହ ଗୋଲ୍‌ ବରଣ ହାର କମାଇଛନ୍ତି। ଦଳ ପାଇଁ ଗୋଲ୍‌ ସ୍କୋର୍‌ କରିବା ଲାଗି ରହିଛନ୍ତି ଅଗ୍ରଭାଗ ଖେଳାଳି ଆରିଦାନେ ସାନ୍ତନା ଓ ଜି‌ସ୍କୋ ହର୍ନାନ୍ଦେଜ। ସାନ୍ତନା ଏ ପର୍ଯ୍ୟନ୍ତ ୭ ଗୋଲ୍‌ କରିଥିଲା ବେଳେ ହର୍ନାନ୍ଦେଜ ୫ ଗୋଲ୍‌ ଦେଇଛନ୍ତି। ମଧ୍ୟଭାଗ ଖେଳାଳି ବିନିତ ରାୟ ବାସନ୍ଦ ହୋଇଥିବାରୁ ତାଙ୍କ ସେବା ପାଇବାରୁ ଓଡ଼ିଶା ବଞ୍ଚିତ ହେବ। ଓଡ଼ିଶାକୁ ହ୍ୟାଟ୍ରିକ୍‌ ବିଜୟ ନିଜ ଘରୋଇ ପରିବେଶ ଭୁବନେଶ୍ବରରେ ମିଳିଛି। ହେଲେ ହାଇଦ୍ରାବାଦରେ ଦଳ କିଭଳି ପ୍ରଦର୍ଶନ ଦେଉଛି ଦେଖିବାର ଅଛି। କାରଣ ବାହାରେ ଓଡ଼ିଶା ପ୍ରଦର୍ଶନ ଭଲ ନାହିଁ। ଓଡ଼ିଶା ନିଜର ୬ ବାହାର ମ୍ୟାଚ୍‌ରୁ ଗୋଟିଏ ଜିତିବାକୁ ସକ୍ଷମ ହୋଇଛି।

ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌ ଓଡ଼ିଶା ଏଫ୍‌ସିର ବୃହତ୍‌ ବିଜୟ
ଭୁବନେଶ୍ବର: ଚଳିତ ଏଆଇଏଫ୍‌ଏଫ୍‌ ଏଲିଟ୍ ଲିଗ୍‌ରେ ଯୁବ (୧୮ ବର୍ଷରୁ କମ୍‌) ଓଡ଼ିଶା ଏଫ୍‌ସି ଦଳ ମଙ୍ଗଳବାର ବୃହତ୍‌ ବିଜୟ ପାଇଛି। ପୂର୍ବ ୬ ମ୍ୟାଚ୍‌ରେ ଅପରାଜେୟ (୩ ବିଜୟ, ୩ ଅମୀମାଂସିତ) ରହିଥିବା ଓଡ଼ିଶା ଏଫ୍‌ସି ମଙ୍ଗଳବାର ନିଜର ସପ୍ତମ ମ୍ୟାଚ୍‌ରେ ୟୁଥ୍‌ ଏଫ୍‌ସିକୁ ୭-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ପଞ୍ଜାବର ୱାଇଏଫ୍‌ସି ରୁର୍‌କା କାଲାନ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବିଜୟୀ ଓଡ଼ିଶା ଏଫ୍‌ସି ପକ୍ଷରୁ ଅକ୍‌ସୁନା ତ୍ୟାଗୀ ୩ (୯, ୧୪ ଓ ୩୪ ମିନିଟ୍‌) ଓ ଋଷଭ ଦୋବ୍ରିୟାଲ ୨ (୨୭ ଓ ୬୫ ମିନିଟ୍‌) ଗୋଲ୍‌ କରିଥିଲା ବେଳେ ପ୍ରାଣଞ୍ଜୟ ସିଂହ (୩୬ ମିନିଟ୍‌) ଓ ଜୋନ୍‌ସ ଲାଥାକିମୋ (୪୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ। ଫଳରେ ୭ ମ୍ୟାଚ୍‌ରୁ ଏହି ଭୁବନେଶ୍ବର ଦଳ ଓଡ଼ିଶା ଏଫ୍‌ସିର ଏହା ଚତୁର୍ଥ ବିଜୟ ଥିଲା। ଏହି ଦଳ ପରବର୍ତୀ ମ୍ୟାଚ୍‌ ଆସନ୍ତା ୧୮ ତାରିଖରେ ସୁଦେଭା ଫୁଟ୍‌ବଲ ଏକାଡେମିକୁ ଭେଟିବ।

ସମ୍ବନ୍ଧିତ ଖବର