ଆଜି କଳିଙ୍ଗରେ ଓଏଫ୍‌ସି-ଚେନ୍ନାୟିନ୍‌ ଏଫ୍‌ସି ମୁହାଁମୁହିଁ

ଭୁବ‌ନେଶ୍ବର: ‌ଚଳିତ ଆଇଏସ୍‌ଏଲ୍‌ରେ ୫ ମ୍ୟାଚ୍‌ ଖେଳି ୩ ବିଜୟ ପାଇଥିବା ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଗୁରୁବାର ନିଜ ଘରୋଇ ପଡ଼ିଆ କଳିଙ୍ଗ ‌ଷ୍ଟାଡିୟମରେ ଚେନ୍ନାୟିନ୍‌ ଏଫ୍‌ସିକୁ ଭେଟିବ। ଏହି ମ୍ୟାଚ୍‌ ରାତି ୭.୩୦ରେ ଖେଳାଯିବାକୁ ଥିଲା ବେଳେ ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟ୍ସରେ ହେବ। ଓଡ଼ିଶା ଜାମସେଦପୁରରେ ଜାମସେଦପୁର ଏଫ୍‌ସିକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ମୁମ୍ବାଇରେ ମୁମ୍ବାଇ ସିଟି ଏଫ୍‌ସିଠୁ ହାରି ଘରୋଇ ପଡ଼ିଆକୁ ଫେରିଥିଲା। ଘରୋଇ ପଡ଼ିଆରେ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇ ବିଜୟ ଲୟକୁ ଫେରି ହାଇଦ୍ରାବାଦ ଓ କୋଲ୍‌କାତା ଗସ୍ତ କରିଥିଲା। ହାଇଦ୍ରାବାଦରେ ହାଇଦ୍ରାବାଦ ଏଫ୍‌ସି ବିପକ୍ଷରେ ହାରିଥିଲା ବେଳେ ‌ କୋଲ୍‌କାତାରେ ଇଷ୍ଟ ବେଙ୍ଗଲ ଏଫ୍‌ସିକୁ ପରାସ୍ତ କରି ବିଜୟ ଲୟକୁ ଫେରିଛି। ତେଣୁ ଗୁରୁବାର ଏହି ଦଳ କଳିଙ୍ଗରେ ମ୍ୟାଚ୍‌ ଜିତି ‌ଘରୋଇ ପଡ଼ିଆ ବିଜୟ ଧାରା ଜାରି ରଖିବା ସହ ପଏଣ୍ଟ ‌ଟେବୁଲର ଦ୍ବିତୀୟ ସ୍ଥାନ ଦଖଲ ଲକ୍ଷ୍ୟରେ ରହିବ। ସଂପ୍ରତି ଓଡ଼ିଶା ୬ ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହ ୧୨ ପଏଣ୍ଟ୍‌ ପାଇ ଟେବୁଲର ପଞ୍ଚମ ସ୍ଥାନରେ ରହିଛି।

ଗତ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ପ୍ରଥମାର୍ଦ୍ଧରେ ଦୁଇଟି ଗୋଲ୍‌ ବରଣ କରି ପଛୁଆ ରହିବା ପ‌ରେ ଦ୍ବିତୀୟାର୍ଦ୍ଧରେ ମୁଖ୍ୟ ପ୍ରଶିକ୍ଷକ ଯୋସେପ ‌ଗୋମ୍ବାଉ ରଣନୀତି ବଦଳାଇଥିଲେ। ଦ୍ବିତୀୟାର୍ଦ୍ଧରେ ସେ ୪ ଜଣ ଖେଳାଳିଙ୍କୁ ବଦଳାଇଥିଲେ। ବଦଳ ଖେଳାଳି ଭାବେ ପଡ଼ିଆକୁ ଆସିଥିବା ପେଡ୍ରୋ ମାର୍ଟିନ ପ୍ରଥମ ୩ ମିନିଟ୍‌ରେ ୨ଟି ଗୋଲ୍‌ ଦେଇ ସ୍ଥିତି ସମାନ କରିଥିଲେ। ଏହାପରେ ଦଳ ୪-୨ରେ ବିଜୟୀ ହୋଇଥିଲା। ‘‘ବିରୋଧୀ ଦଳକୁ ଦେଖି ଆମେ ରଣନୀତି କରିଥାଉ। ଆକ୍ରମଣ ବା ରକ୍ଷଣାତ୍ମକ ଖେଳିବୁ ତାହା ସେହି ଅନୁସାରେ ବଦଳାଉ। ଚେନ୍ନାୟିନ୍‌ ବିପକ୍ଷରେ ଏହି ସମାନ ପଦ୍ଧତିରେ ଖେଳିବୁ। କିଛି ଖେଳାଳି ୧୦୦ ପ୍ରତିଶତ ପ୍ରଦର୍ଶନ ଦେଇନାହାନ୍ତି କିନ୍ତୁ ଆମ ପାଖରେ ଭଲ ଦଳ ରହିଛି। ଗତ ସପ୍ତାହରେ ବଦଳ ଖେଳାଳି ପ୍ରତ୍ୟାବର୍ତ୍ତନ ବିଜୟରେ ବଡ଼ ଭୂମିକା ତୁଲାଇଥିଲେ’’ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଗୋମ୍ବାଉ କହିଛନ୍ତି। ଅନ୍ୟପକ୍ଷରେ ଚେ‌ନ୍ନାୟିନ୍‌ ଏଫ୍‌ସି ୬ ମ୍ୟାଚ୍‌ ଖେଳି ୩ ବିଜୟ, ୨ ପରାଜୟ ଓ ୧ ଅମୀମାଂସିତ ସହ ୧୦ ପଏଣ୍ଟ୍‌ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଏହି ଦଳ ଏଟିକେ ମୋହନବାଗାନ, ଇଷ୍ଟ ବେଙ୍ଗଲ ଓ ଜାମସେଦପୁର ବିପକ୍ଷରେ ବିଜୟୀ ‌ହୋଇଥିଲା ବେଳେ ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷରେ ଅମୀମାଂସିତ ରଖିଥିଲା। ଓଡ଼ିଶା ଏଫ୍‌ସି ବିପକ୍ଷରେ ଚେନ୍ନାୟିନ୍‌ ୬ ମ୍ୟାଚ୍‌ ଖେଳିଥିଲା ବେଳେ ଅଧା ମ୍ୟାଚ୍‌ (୩) ଅମୀମାଂସିତ ରହିଥିଲା। ଗୋଟିଏ ଓଡ଼ିଶା ଏବଂ ଅନ୍ୟ ଦୁଇଟିରେ ଚେନ୍ନାୟିନ୍‌ ଜିତିଥିଲା। ଓଡ଼ିଶା ଏହି ଏକମାତ୍ର ବିଜୟଟି ୨୦୧୯-୨୦ ଋତୁରେ କଳିଙ୍ଗ ‌ଷ୍ଟାଡିୟମରେ ପାଇଥିଲା।

ସମ୍ବନ୍ଧିତ ଖବର