ବାରବାଟୀ ଟ୍ବେଣ୍ଟି-୨୦ ଆଉ ୫ ଦିନ: ବ୍ୟାଟର୍‌ଙ୍କୁ ସୁହାଇବ ପିଚ୍‌

ଆଜିଠୁ ଅଫଲାଇନ୍‌ ଟିକେଟ ବିକ୍ରି

କଟକ: ବାରବାଟୀ ପିଚ୍‌ ବ୍ୟାଟରଙ୍କ ସପକ୍ଷରେ ରହିବ। ସାଢେ ୩ ଘଣ୍ଟାର ଖେଳକୁ ଅଧିକ ରୋମାଞ୍ଚକର କରିବା ପାଇଁ ପିଚ୍‌ରୁ ଅଧିକ ରନ୍‌ ବାହାର କରିବାକୁ ଏଭଳି ଢଙ୍ଗରେ ପିଚ୍‌ ଓ ପଡ଼ିଆ ପ୍ରସ୍ତୁତ କରାଯାଇଛି। ପ୍ରଥମେ ବ୍ୟାଟି˚ କରୁଥିବା ଦଳ ୧୫୦ରୁ ଅଧିକ ରନ୍‌ ସ˚ଗ୍ରହ କରିବା ଭଳି ସମ୍ଭାବନା ରହିଥିବା ପିଚ୍‌ ଓ ପଡ଼ିଆ ପ୍ରସ୍ତୁତକାରୀ କର୍ମଚାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ କ୍ୟୁରେଟର ପଙ୍କଜ ପଟ୍ଟନାୟକଙ୍କ କହିବାନୁଯାୟୀ, ନୂଆ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ବର୍ଷେ ସମୟ ଲାଗିଥିଲା। ପରେ ପିଚ୍‌କୁ ପରୀକ୍ଷା କରିବା ପାଇଁ ଏଠାରେ ତିନିଟି ରଣଜୀ ଟ୍ରଫି ମ୍ୟାଚ ଖେଳାଯାଇଛି। ଫଳାଫଳ ଭଲ ଆସିଥିବାରୁ ଆନ୍ତର୍ଜାତିକ ମ୍ୟାଚ୍‌ରେ ହାଇସ୍କୋରି˚ ହେବାନେଇ ସମସ୍ତେ ଆଶା ରଖିଛନ୍ତି। ନୂଆ ଆଉଟଫିଲ୍ଡ ଦ୍ରୁତ ଥିଲାବେଳେ ଖେଳାଳିମାନେ ଡାଇଭ୍‌ ମାରିଲେ ଆହତ ସମସ୍ୟା ରହିବନି। ଏପରିକି ବର୍ଷା ହେଲେ କାଦୁଅ ହେବ ନାହିଁ। ଜୁନ୍‌ ମାସରେ କାକର ସମସ୍ୟା ନାହିଁ। ତେଣୁ ଭଲ ମ୍ୟାଚ୍‌ ହେବ ବୋଲି କ୍ୟୁରେଟର ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି। ବାରବାଟୀ ପିଚ୍‌ ଓ ପଡ଼ିଆ ପ୍ରସ୍ତୁତିରେ ମୁଖ୍ୟ କ୍ୟୁରେଟର ଶ୍ରୀ ପଟ୍ଟନାୟକଙ୍କ ସହିତ ହୃଷିକେଶ ସି˚ହ, ଶରତ ସାହୁ, ମୁରଲି ପାତ୍ର, ସେକ୍‌ ରହିମ, ବିଜୟ ବାରିକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବେଳେ ଆହୁରି ୪୦ ଜଣ ସହାୟକ କର୍ମଚାରୀଙ୍କ ପରିଶ୍ରମ ଯୋଗୁଁ ବାରବାଟୀ ପଡ଼ିଆ ଇତିହାସ ରଚିବାକୁ ଯାଉଛି।

ଆଜିଠୁ ଅଫଲାଇନ୍‌ ଟି‌େକଟ୍‌ ବିକ୍ରି
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ମଙ୍ଗଳବାରଠୁ ଅଫଲାଇନ ଟି‌େକଟ ବିକ୍ରି ଆରମ୍ଭ ହେଉଛି। ଓସିଏ ଅନୁବନ୍ଧିତ ସ˚ସ୍ଥା, କ୍ଲବ୍‌, ସ୍କୁଲ୍‌, କଲେଜ ଓ ଜିଲ୍ଲାମାନଙ୍କୁ ଓସିଏ କନଫରେନ୍ସ ହଲ୍‌ରେ ସକାଳ ୧୦ଟାରୁ ଟି‌େକଟ ବିକ୍ରି କରାଯିବ। ପାଖାପାଖି ୮ହଜାର ଟିକଟକୁ ଦୁଇଦିନ ମଧ୍ୟରେ ବକ୍ରି କରାଯିବ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଜରିଆରେ ଓସିଏ ସଦସ୍ୟମାନେ ଟି‌େକଟ କିଣିବେ। ପୁଲିସ୍‌ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେବଳ ଅନୁମତି ଥିବା ସଦସ୍ୟଙ୍କୁ କନ୍‌ଫରେନ୍ସ ହଲ୍‌କୁ ପଠାଯିବ। ଯଦି କୌଣସି ଟିକଟ ବଳକା ରହିଯାଏ, ସେଗୁଡ଼ିକ ୯ ଓ ୧୦ ତାରିଖରେ ସାଧାରଣ କାଉଣ୍ଟରରେ ବିକ୍ରି ପାଇଁ ପଠାଇଦିଆଯିବ। ଓସିଏ ପକ୍ଷରୁ ୨୯୧୫୪ ଟି‌େକଟ ବିକ୍ରି ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ସେଥିରୁ ଅନ୍‌ଲାଇନ୍‌ରେ ୫ହଜାର ଟିକଟ ବିକ୍ରି ଶେଷ ହୋଇଛି।

ଟ୍ବେଣ୍ଟି-୨୦ ରୋମାଞ୍ଚ ଆରମ୍ଭ କରିଥିଲା ଆଇପିଏଲ୍‌

ବାରବାଟୀ ଷ୍ଟାଡିୟମରେ ପେସାଦାର ଟ୍ବେଣ୍ଟି-୨୦ ମ୍ୟାଚ ଆପିଏଲ୍‌ ଯୋଗୁଁ ସମ୍ଭବ ହୋଇଛି। ଯଦିଓ ପୂର୍ବରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର କିଛି ମ୍ୟାଚ ଏଠାରେ ଖେଳାଯାଇଛି, ହେଲେ ଆଇପିଏଲ୍‌ ଆସିବା ପରଠୁ ଏହି ସଂକ୍ଷୀପ୍ତ ଫର୍ମାଟର ଖେଳରେ ରୋମାଞ୍ଚ ଭରିଯାଇଛି। ବାରବାଟୀରେ ବର୍ତ୍ତମାନ ସୁଦ୍ଧା ୭ ଆଇପିଏଲ୍‌ ମ୍ୟାଚ ଖେଳାଯାଇଛି। ପ୍ରଥମେ ଡେକାନ ଚାର୍ଜର୍ସ ବାରବାଟୀକୁ ଘରୋଇ ପଡ଼ିଆ କରିବା ପରେ ୨୦୧୦ରେ ଦଳ ଏଠାରେ ଦୁଇଟି ମ୍ୟାଚ ଖେଳିଥିଲା। ଏଠାରେ ଓଡ଼ିଆ ଖେଳାଳି ବିପ୍ଲବ ସାମନ୍ତରାୟ ଏହି ଦଳରେ ସାମିଲ ହୋଇଥିଲାବେଳେ ଦୁଇଟି ଯାକ ମ୍ୟାଚରେ ଡେକାନ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚରେ ଡେକାନ ୬ ରନ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଚାବକୁ ଓ ଦ୍ବିତୀୟ ମ୍ୟାଚରେ ୧୦ ରନ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ହରାଇଥିଲା। ୨୦୧୨ ସ˚ସ୍କରଣରେ ଡେକାନ ପୁଣି ଦୁଇଟି ମ୍ୟାଚ ଖେଳିଥିଲାବେଳେ ପ୍ରଥମ ମ୍ୟାଚରେ କୋଲକାତାଠୁ ୫ ଵିକେଟରେ ପରାସ୍ତ ହୋଇଥିଲାବେଳେ ଦ୍ବିତୀୟ ମ୍ୟାଚରେ ପୁନେ ଵାରିୟର୍ସକୁ ୧୩ ରନ୍‌ରେ ମାତ୍‌ ଦେଇଥିଲା। ୨୦୧୪ରେ ଶେଷ ଥର ପାଇଁ ବାରବାଟୀରେ ଆଇପିଏଲ୍‌ ଖେଳାଯାଇଥିଲା। କିଙ୍ଗ୍ସ ଏକାଦଶ ପଞ୍ଜାବ ବାରବାଟୀକୁ ଘରୋଇ ପଡ଼ିଆ ଭାବେ ବ୍ୟବହାର କରିଥିଲାବେଳେ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୪୪ ରନ୍‌ରେ ହରାଇଥିଲାବେଳେ ଦ୍ବିତୀୟ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସଠୁ ୯ ଵିକେଟରେ ପଞ୍ଜାବ ହାରିଯାଇଥିଲା। ପରେ ମୁମ୍ବାଇ ଇଣ୍ତିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଉ ଏକ ମ୍ୟାଚ ସୁରକ୍ଷା ଜନିତ କାରଣରୁ ଇଡେନ ଗାର୍ଡେନରୁ ବାରବାଟୀକୁ ଆସିଥିଲା। ଏହି ମ୍ୟାଚରେ କେକେଆର୍‌ ୬ ଵିକେଟରେ ବିଜୟୀ ହୋଇଥିଲା। ଏହି ୭ ଆଇପିଏଲ୍‌ ମଧ୍ୟରୁ ନିଜ ନିଜ ଦଳ ପାଇଁ ଆଣ୍ଡ୍ରିଉ ସାଇମଣ୍ଡସ (୫୩), ଇର୍ଫାନ ପଠାନ (୬୦), ଡେଭିଡ୍‌ ଵାର୍ଣ୍ଣର (୫୭), ଶିଖର ଧାଵନ (୫୦), କାମେରନ ହ୍ବାଇଟ (୭୪), କୁମାର ସାଙ୍ଗାକାରା (୮୨), ଗ୍ଲେନ ମାକ୍ସେଵଲ (୯୦), ଫାଫ୍‌ ଡୁପ୍ଲେସିସ୍‌ (୫୨), ବୀରେନ୍ଦ୍ର ସେହଵାଗ (୭୨), ଗୌତମ ଗମ୍ଭୀର (୬୩), ରୋହିତ ଶର୍ମା (୫୧), ରବିନ ଉଥପ୍ପା (୮୦) ଅର୍ଧଶତକ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର