ଆଜିଠାରୁ ଅନ୍‌ଲାଇନ୍ ଟିକେଟ୍: ସକାଳ ମ୍ୟାଚ୍ ଲାଗି ମାଗଣା ପ୍ରବେଶ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପର ସଫଳ ଆୟୋଜନ କରି ଅନ୍ତର୍ଜାତୀୟ ହକି ଜଗତ ତଥା ପ୍ରଶଂସକଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିବା ଓଡ଼ିଶା ଆଉ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାର ଆୟୋଜକ ହେବାକୁ ଯାଉଛି।

କଳିଙ୍ଗ ଷ୍ଟାଡିୟମରେ ୮ ଅନ୍ତର୍ଜାତୀୟ ଦଳକୁ ନେଇ ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଅନୁଷ୍ଠିତ ହେବ। ଭାରତର ନୂଆ କ୍ରୀଡ଼ା କ୍ୟାପିଟାଲର ମାନ୍ୟତା ପାଇଥିବା ଭୁବନେଶ୍ବର ଫନି ବୀଭିଷିକାକୁ ପଛରେ ପକାଇ ହକି ରଙ୍ଗରେ ରଙ୍ଗାୟିତ ହେବ। ଏହି ୧୦ ଦିନିଆ ପ୍ରତିଯୋଗିତା ଲାଗି ମଙ୍ଗଳବାରଠାରୁ ଅନଳାଇନରେ ଟିକେଟ ବିକ୍ରି ଆରମ୍ଭ ହେବ। ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟିକେଟ ହାସଲର ସୁଯୋଗ ଥିବା ଏଫଆଇଏଚ୍ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତ ସହ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଜାପାନ, ମେକ୍ସିକୋ, ଆମେରିକା, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ରୁଷିଆ, ଉଜବେକିସ୍ତାନ ଅଂଶ ଗ୍ରହଣ କରିବେ। ଭାରତ ସର୍ବୋଚ୍ଚ ମାନ୍ୟତା ଦଳ ଭାବେ ଖେଳିବ। ବିଶ୍ବକପ୍ ଟିକେଟ୍ ବିକ୍ରି ଦାୟିତ୍ବରେ ଥିବା ଟିକେଟ ଜେନି କଂପାନି ମଧ୍ୟ ଏହି ପ୍ରତିଯୋଗିତାର ଟିକେଟ ବିକ୍ରି ଦାୟିତ୍ବରେ ରହିଛି। ମଙ୍ଗଳବାର ଦିନ ୧୧ଟାଠାରୁ ହକିପ୍ରେମୀ https://in.ticketgenie.in/sports/FIH-Mens-Series-Finals-Bhubaneswar-Odisha-2019କୁ ଲଗ ଅନ୍ କରି ଟିକେଟ କିଣି ପାରିବେ। ଅଧିକରୁ ଅଧିକ ହକି ପ୍ରେମୀଙ୍କୁ ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବାର ସୁଯୋଗ ଦେବା ଲାଗି ଟିକେଟ ଦର ୧୦୦ରୁ ୨୫୦ ଟଙ୍କା ମଧ୍ୟରେ ରଖା ଯାଇଛି। ଜୁନ୍ ୬ରୁ ୧୨ ପର୍ଯ୍ୟନ୍ତ ଖେଳା ଯିବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ଲାଗି କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଳେକ୍ସର ପୂର୍ବ ଷ୍ଟାଣ୍ଡ ଟିକେଟ ଦର ୨୦୦ ଏବଂ ଦକ୍ଷିଣ ଓ ଉତ୍ତର ଷ୍ଟାଣ୍ଡ ଲାଗି ୧୦୦ ଟଙ୍କା ରଖା ଯାଇଛି। ଜୁନ୍ ୧୪ ଓ ୧୫ରେ ଖେଳା ଯିବାକୁ ଥିବା ସେମିଫାଇନାଲ ଏବଂ ଫାଇନାଲ୍ସ ଲାଗି ଏହି ସବୁ ଷ୍ଟାଣ୍ଡ ଟିକେଟ୍ ଦର ଯଥାକ୍ରମେ ୨୫୦ ଓ ୧୫୦ ଟଙ୍କା ଲେଖାଏଁ ରହିଛି। ପଶ୍ଚିମ ଷ୍ଟାଣ୍ଡ ଏବଂ କାଉଣ୍ଟର ଟିକେଟ୍ ବିକ୍ରି ନେଇ ଆୟୋଜକ କିନ୍ତୁ କୌଣସି ସୂଚନା ଦେଇ ନାହାନ୍ତି। ଜୁନ୍ ୬, ୭, ୧୦, ୧୨ ଓ ୧୪ ତାରିଖରେ ସକାଳ ୮ଟା ୪୫ରୁ ଆରମ୍ଭ ହେବାକୁ ଥିବା ମ୍ୟାଚଗୁଡ଼ିକ ଲାଗି ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି। ସାମୁଦ୍ରିକ ଘୂଣ୍ଣିଝଡ଼ ଫନି ଦ୍ବାରା ଅଧା ଓଡ଼ିଶା ପ୍ରଭାବିତ ହେବା ସତ୍ତ୍ବେ ପ୍ରତିଯୋଗିତା ଆୟୋଜନ ଲାଗି ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ଓଡ଼ିଶା ସରକାର ହକି ଇଣ୍ଡିଆକୁ ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର