ଆଜିଠୁ ପାକିସ୍ତାନ ପାଳି, ଭୁବନେଶ୍ବର ଗଲ୍ଫ କ୍ଲବ୍‌ରେ ଆର୍ଜେଣ୍ଟିନା ଖେଳାଳି

ହାସନ ସର୍ଦାରଙ୍କ ଚେତାବନୀ

ଭୁବନେଶ୍ବର: ଶନିବାରଠାରୁ ହକି ବିଶ୍ବକପ୍‌ର ସବୁଠୁ ସଫଳ ଦେଶ ପାକିସ୍ତାନ ଅଭିଯାନ ଆରମ୍ଭ କରିବ। ପୁଲ୍ ଅଫ୍ ଡେଥ୍ ‘ଡି’ର ଦ୍ବିତୀୟ ମ୍ୟାଚ୍‌ରେ ବିଶ୍ବକପ୍ ଇତିହାସରେ ସର୍ବାଧିକ ୪ ଥର ବିଜେତା ପାକିସ୍ତାନ ଭେଟିବ ଜର୍ମାନିକୁ। ସଂଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବା ପୂର୍ବରୁ ୫ଟା ବେଳେ ସମାନ ପୁଲ୍‌ର ପ୍ରଥମ ମ୍ୟାଚ୍‌ରେ ଅନ୍ୟତମ ସଫଳ ବିଶ୍ବକପ୍ ଦଳ ନେଦରଲାଣ୍ଡ ଭେଟିବ ଏସୀୟ ଶକ୍ତି ମାଲେସିଆକୁ। ଏହି ପୁଲରେ ନେଦରଲାଣ୍ଡ ଏବଂ ଜର୍ମାନି ନିଜର ସାମ୍ପ୍ରତିକ ପ୍ରଦର୍ଶନ ବଳରେ ଦାବିଦାର ରହିଛନ୍ତି। ଏହି ପୁଲ୍‌ରେ ସବୁ ଦଳ କିନ୍ତୁ ସିଧାସଳଖ କ୍ବାର୍ଟର ଫାଇନାଲ୍ ଯିବାର ଦକ୍ଷତା ରଖିଛନ୍ତି। ୩ ଥର ବିଜେତା ନେଦରଲାଣ୍ଡ ଏବେ ଏଫ୍‌ଆଇଏଚ୍ ମାନ୍ୟତାରେ ୪ ନମ୍ବର ସ୍ଥାନରେ ଥିବାବେଳେ ପ୍ରତିଦ୍ବନ୍ଦ୍ବୀ ମାଲେସିଆ ରହିଛି ୧୨ତମ ସ୍ଥାନରେ। ମ୍ୟାକ୍ସ କାଲଡାସଙ୍କ ପ୍ରଶିକ୍ଷିତ ୟୁରୋପୀୟ ବିଜେତା ନେଦରଲାଣ୍ଡ୍ ନିଜର ଚତୁର୍ଥ ବିଶ୍ବକପ୍ ହାସଲ ଅଭିଯାନକୁ ବିଜୟ ସହ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଭାରତୀୟ ଦଳ ପ୍ରଶିକ୍ଷକ ପଦରୁ ବିତାଡ଼ିତ ରୋଲାଣ୍ଟ୍ ଅଲ୍ଟମ୍ୟାନ ଏବେ ନିଜ ନିଆରା ରଣକୌଶଳ ବଳରେ ମାଲେସିଆକୁ ଗଢ଼ି ତୋଳିଥିବାରୁ ନେଦରଲାଣ୍ଡକୁ ସହଜରେ ବାଟ ଛାଡ଼ିବା ସ୍ଥିତିରେ ନାହାନ୍ତି। ଦ୍ବିତୀୟ ମ୍ୟାଚ୍‌ରେ ପାକିସ୍ତାନ ମହମ୍ମଦ ରିଜୱାନ ସିନିୟରଙ୍କ ଅଧୀନରେ କିଛି କରିସ୍ମା ଛାଡ଼ିବା ଆଶାରେ ରହିଛି। ଭୁବନେଶ୍ବର ପ୍ରଶଂସକମାନେ ଭାରତ ବାଦ୍ ପାକିସ୍ତାନକୁ ସମର୍ଥନ କରିବାର ଉଦାହରଣ ରହିଥିବା‌ରୁ ମଧ୍ୟ ଏହି ପଡ଼ୋଶୀ ଦେଶକୁ ଘରୋଇ ପରିବେଶରେ ଖେଳିବାର ଅନୁଭବ ମିଳିପାରେ। ୨୦୧୪ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଭାରତକୁ ହରାଇବା ପରେ କଳିଙ୍ଗ ପ୍ରଶଂସକଙ୍କୁ ପାକିସ୍ତାନୀ ଖେଳାଳିଙ୍କ ଦୁର୍ବ୍ୟବହାରକୁ ସେମାନେ ଭୁଲି ନ ଥିବାରୁ ଘୃଣାର ଶିକାର ହେବା ଆଶଙ୍କା ମଧ୍ୟ ରହିଛି। ଅନ୍ୟ ସବୁ ତୁଳନାରେ ପାକିସ୍ତାନ ଦଳକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଥିବାରୁ ଏହି ଦଳ ମଧ୍ୟ ଖୋଲା ଅଭ୍ୟାସର ସୁଯୋଗ ପାଇନାହିଁ। ହକି କଳାର ଦେଶ ପାକିସ୍ତାନ ଗତ ମାସରେ ଭାରତ ସହିତ ଯୁଗ୍ମଭାବେ ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇ ଆସିଥିବାରୁ ଜର୍ମାନିକୁ ଚକ୍‌ମା ଦେବାର ଯୋଜନାରେ ରହିଛି। ମାନ୍ୟତାକୁ ବିଚାର କଲେ କିନ୍ତୁ ଜର୍ମାନି (୬) ଠାରୁ ପାକିସ୍ତାନ (୧୨) ଢ଼େର ପଛରେ ରହିଛି।

ଭୁବନେଶ୍ବରରେ ଅନୁଷ୍ଠିତ ୨୦୧୪ ଏଫଆଇଏଚ୍ ଚାମ୍ପିଅନ୍ସ ଟ୍ରଫି ଅବସରରେ ପାକିସ୍ତାନ ଖେଳାଳିଙ୍କ ବ୍ୟବହାରକୁ ନେଇ ଉପୁଜିଥିବା ପରିସ୍ଥିତିକୁ ନଜରରେ ରଖି ଦଳର ପ୍ରବଂଧକ ହାସନ ସର୍ଦାର କଡ଼ା ଚେତାବନୀ ଦେଇଛନ୍ତି। ଏଣିକି ଖେଳାଳିଙ୍କ କୌଣସି ପ୍ରକାର ଆଚରଣ ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାର୍ହି ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଭୁବନେଶ୍ବରରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିବାରୁ ଜଣେ ବରିଷ୍ଠ ଖେଳାଳି ଅଭିଯ‌ୋଗ କରିଥିବା ମଧ୍ୟ ଜଣାପଡ଼ିଛି। ଏହାକୁ ନେଇ କିନ୍ତୁ କିମ୍ବଦନ୍ତୀ ବ୍ୟକ୍ତିତ୍ବ ସର୍ଦାର ବିଶେଷ ଚିନ୍ତିତ ‌ହୋଇନାହାନ୍ତି, ମ୍ୟାଚ୍ ଉପରେ ଏକାଗ୍ରତା ରଖିବାକ ପରାମର୍ଶ ଦେଇଛନ୍ତି। ଭାରତୀୟ ପ୍ରଶଂସକମାନେ ବହୁବାର ପାକିସ୍ତାନକୁ ସମର୍ଥନ ଦେଇଥିଲେ। ୧୯୮୨ରେ ସେମାନେ ବମ୍ବେରେ ଆମକୁ ବିଶ୍ବ ବିଜୟ ବେଳେ ବି ଢେର ସମର୍ଥନ ଯୋଗାଇଥିଲେ। ୪ ବର୍ଷ ତଳେ କଳିଙ୍ଗ ଷ୍ଟାଡିୟମ୍‌ରେ ମଧ୍ୟ ଭାରତ ବିପକ୍ଷ ସେମିଫାଇନାଲ୍‌ ପୂର୍ବ ପର୍ଯ୍ୟନ୍ତ ଉତ୍ସାହିତ କରୁଥିଲେ। ଏପରିକି ଗତ ସପ୍ତାହରେ ଭୁବନେଶ୍ବରରେ ପାଦ ଥାପିବାବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମଧ୍ୟ ପାକିସ୍ତାନ ଦଳକୁ ପ୍ରଶଂସକମାନେ ଭଲ ସ୍ବାଗତ ସମର୍ଧନା ଜଣାଇଥିଲେ। ସୂଚନାଯୋଗ୍ୟ, ପାକିସ୍ତାନ ଦଳ ଏବେ ଦୁଇ ପୂର୍ବତନ ଅଧିନାୟକଙ୍କ ଦାୟିତ୍ବରେ ଓଡ଼ିଶା ଆସିଛି। ମହମ୍ମଦ ସାକଲେନ୍ ପ୍ରଶିକ୍ଷକ ଏବଂ ହାସନ ସର୍ଦାର ପ୍ରବଂଧକ ଥିଲେ ବି ଉଭୟଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଥିବା ଗତ ମସ୍କାଟ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭାରତ ନିକଟରୁ ଲିଗ୍ ପରାଜୟ ପରେ ପଦାରେ ପଡ଼ିଥିଲା।

ନମାଜ ପଢ଼ିଲେ ପାକ୍ ଖେଳାଳି
ଭୁବନେଶ୍ବର: ୮ ବର୍ଷ ପରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ପାକିସ୍ତାନ ନିଜର ପ୍ରଥମ ମ୍ୟାଚ୍ ପୂର୍ବରୁ ଭୁବନେଶ୍ବରରେ ନିଜର ଧର୍ମୀୟ ଭାବନା ଓ ବିଶ୍ବାସକୁ ପ୍ରକଟିତ କରିଛି। କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ଏକ ସପ୍ତାହ ହେବ ଭୁବନେଶ୍ବରରେ ରହିଥିବା ପାକିସ୍ତାନ ଶୁକ୍ରବାର ପୂର୍ବାହ୍ନରେ ସୈନିକସ୍କୁଲ୍‌ ଅଞ୍ଚଳ ଗଜପତିନଗର ନିକଟରେ ଥିବା ମସଜିଦ୍ ଯାଇ ପ୍ରାର୍ଥନା କରିଥିଲେ। ୪ ବର୍ଷ ତଳର ସଫଳତାକୁ ଦୋହରାଇବା ଓ ବ୍ୟବହାରଜନିତ ତିକ୍ତତାକୁଭୁଲି ଖେଳିବାକୁ ଆଶା ରଖିଛି ପାକିସ୍ତାନ ଦଳ। ଶନିବାର ସଂଧ୍ୟା ୭ଟାରେ ପାକିସ୍ତାନ ଭେଟିବ ଜର୍ମାନିକୁ। ସୂଚନାଯୋଗ୍ୟ, ୨୦୧୪ ଦି ହେଗ୍ ବିଶ୍ବକପ୍ ଲାଗି ପାକିସ୍ତାନ ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିପାରିନଥିଲା।

ସମ୍ବନ୍ଧିତ ଖବର