ଅଭ୍ୟାସ ମ୍ୟାଚ୍ ଆଜିଠୁ: ପ୍ରାରମ୍ଭିକ ଯୋଡ଼ି ଓ ସ୍ପିନରଙ୍କ ଉପରେ ନଜର

ହାମିଲଟନ୍: ନ୍ୟୁଜିଲାଣ୍ଡ ଗସ୍ତର ଏକମାତ୍ର ଅଭ୍ୟାସ ମ୍ୟାଚ୍ ଭାରତୀୟ କ୍ରିକେଟ୍ ଦଳ ଶୁକ୍ରବାରଠାରୁ ଖେଳିବ। ଭାରତ ଏହି ତିନି ଦିନିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବୋର୍ଡ ସଭାପତି ଏକାଦଶ ସହ ଲଢ଼ିବ। ଦିନିକିଆ ଶୃଙ୍ଖଳାରେ ମୂଳପୋଛ ହେବା ପରେ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ପୁଣି ଥରେ ଦଳୀୟ ସନ୍ତୁଳନ ସଜାଡ଼ିବା ଲାଗି ଏହି ମ୍ୟାଚ୍ ଭାରତ ପାଇଁ ଢେର ଗୁରୁତ୍ବ ବହନ କରିବ। ନ୍ୟୁଜିଲାଣ୍ଡ ଏକାଦଶରେ ଈଶ୍ ସୋଢ଼ି, ଜେମ୍ସ ନିସାମ ଓ ଟମ୍ ସେଫର୍ଟଙ୍କ ଭଳି ଖେଳାଳି ଥିବାରୁ ଭାରତ ପାଇଁ ନିଜ ଶକ୍ତିକୁ ପରଖିବା ଲାଗି ଏହା ମଧ୍ୟ ଏକ ବଳିଷ୍ଠ ମଞ୍ଚ ହେବ। ବିଶେଷ କରି ଦୁଇ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଓ ଶୁବମନ ଗିଲ୍‌ ଭଲ ପ୍ରଦର୍ଶନ କରି ଚୂଡ଼ାନ୍ତ ଟେଷ୍ଟ୍‌ ଦଳରେ ନିଜ ନିଜ ସ୍ଥାନ ପକ୍କା କରିବା‌ ଆଶାରେ ରହିବେ। ହାମିଲଟନର ସେଡନ୍‌ ପାର୍କରେ ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍ ଅଶ୍ବିନ ନ୍ୟୁଜିଲାଣ୍ଡର ଡାରିଲ ମିଚେଲ, ଟମ୍ ବ୍ରୁସ୍ ଓ ସେଫର୍ଟଙ୍କ ଭଳି ଖେଳାଳିଙ୍କୁ ବୋଲିଂ କରିବାର ସୁଯୋଗ ପାଇବେ। ଅଭ୍ୟାସ ମ୍ୟାଚ୍‌ରେ ଭଲ କଲେ ଜାଦେଜାଙ୍କୁ ପଛରେ ପକାଇ ଅଶ୍ବିନ ପ୍ରଥମ ଟେଷ୍ଟ ଲାଗି ଭାରତୀୟ ଚୂଡ଼ାନ୍ତ ଦଳରେ ସ୍ଥାନ ସୁରକ୍ଷିତ କରିନେବେ।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଏକାଦଶରେ ଡେନ୍ କ୍ଲେଭରଙ୍କ ଭଳି ଖେଳାଳି ଅଛନ୍ତି। ଯିଏ କି ଭାରତ ‘ଏ’ ବିପକ୍ଷ ଅଣଆନୁଷ୍ଠାନିକ ଟେଷ୍ଟ୍‌ରେ ୧୯୬ ଓ ୫୩ ରନ୍ କରିଛନ୍ତି। ସେ ମଧ୍ୟ ନିଜ ଦେଶର ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ନିକଟ ଅତୀତରେ ବିଦେଶ ମାଟିରେ ଭାରତୀୟ କ୍ରିକେଟ୍ ଦଳ ଅଧିକାଂଶ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିଛି। ଏଥିରେ ସାଧାରଣତଃ ଘରୋଇ ଦଳ ଗୋଟିଏ ଦିନ ଓ ଭ୍ରମଣକାରୀ ଦଳ ଗୋଟିଏ ଦିନ ବ୍ୟାଟିଂ କରିଥାଆନ୍ତି। ହେଲେ ହାମିଲଟନ୍ ଅଭ୍ୟାସ ମ୍ୟାଚ୍ ତିନି ଦିନିଆ ହୋଇଥିବାରୁ ଏହା ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ମ୍ୟାଚ୍ ଭାରତୀୟ ସମୟ ରାତି ସାଢ଼େ ୩ଟାରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆସନ୍ତା ୨୧ ତାରିଖରୁ ୱେଲିଂଟନରେ ଖେଳାଯିବ। ସେହିଭଳି ଦ୍ବିତୀୟ ଟେଷ୍ଟ୍ ୨୯ରୁ ଖ୍ରୀଷ୍ଟଚର୍ଚରେ ଖେଳାଯିବ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ଋଦ୍ଧିମାନ ଶାହ, ହନୁମା ବିହାରୀ, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ ବୁମରା, ମହମ୍ମଦ ସାମି, ଉମେଶ ଯାଦବ, ରବିଚନ୍ଦ୍ରନ୍ ଅଶ୍ବିନ, ଋଷବ ପନ୍ତ, ନଭଦୀପ ସୈନି, ଶୁବମନ ଗିଲ୍‌।

ନ୍ୟୁଜିଲାଣ୍ଡ ଏକାଦଶ: ଡାରିଲ ମିଚେଲ (ଅଧିନାୟକ), ଫିନ୍ ଆଲେନ, ଟମ୍ ବ୍ରୁସ୍, ଡେନ୍ କ୍ଲେଭର, ହେନରି କୁପର, ସ୍କଟ୍ କୁଗେଲିନ, ଜେମ୍ସ ନିସାମ, ରାଚିନ ରବୀନ୍ଦ୍ର, ଟମ୍ ସେଫର୍ଟ, ଈଶ୍ ସୋଢ଼ି, ବ୍ଲେୟର ଟିକନର, ୱିଲ୍ ୟଙ୍ଗ, ଜେକ୍ ଗିବସନ୍ (ତ୍ରୟୋଦଶ ଖେଳାଳି, ଶୁକ୍ରବାର), ସ୍କଟ୍ ଜନଷ୍ଟନ (ତ୍ରୟୋଦଶ ଖେଳାଳି, ଶନିବାର-ରବିବାର)।

ବ୍ଲୁ ସ୍ପ୍ରିଙ୍ଗ୍’ ବୁଲିଲେ ଭାରତୀୟ ଖେଳାଳି
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ଲଗାତାର ମ୍ୟାଚ୍ ଖେଳୁଛି। ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ମିଳିଥିବା ଗୁରୁବାରର ବିଶ୍ରାମ ଦିବସକୁ ଖେଳାଳିମାନେ କିନ୍ତୁ ଖୁସିରେ କଟାଇଛନ୍ତି। ସେମାନେ ଆଜି ନ୍ୟୁଜିଲାଣ୍ଡର ପୁଟରୁରୁରେ ଥିବା ବ୍ଲୁ ସ୍ପ୍ରିଙ୍ଗ୍’ ଝରଣା ବୁଲା ବୁଲି କରି ସମୟ ବିତାଇଛନ୍ତି। ବିସିସିଆଇ ଟ୍ବିଟ୍ କରି ଏହା ଜଣାଇଛି। ନିଜ ଟ୍ବିଟର ପୃଷ୍ଠାରେ ବିସିସିଆଇ ମଧ୍ୟ ଭାରତୀୟ ଖେଳାଳି ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରୁଥିବାର ଫଟୋ ପ୍ରକାଶ କରିଛି। ଦ୍ରୁତ ବୋଲର ମହମ୍ମଦ ସାମି ବି କିଛି ଫଟୋ ପ୍ରକାଶ କରିଛନ୍ତି। ଏଥିରେ ତାଙ୍କୁ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଦେଖିବାକୁ ମିଳୁଛି। ଦିନିକିଆ ଓ ଟେଷ୍ଟ୍‌ ଶୃଙ୍ଖଳା ଖେଳିଥିବା ଭାରତୀୟ ଦଳର କିଛି ଖେଳାଳି ସ୍ବଦେଶ ଫେରି ଆସିଥିଲା ବେଳେ ୱିକେଟ୍ ରକ୍ଷକ ଋଦ୍ଧିମାନ ଶାହ, ଚେତେଶ୍ବର ପୂଜାରା, ରବିଚନ୍ଦ୍ରନ୍‌ ଅଶ୍ବିନ ଓ ଉମେଶ ଯାଦବ ପ୍ରମୁଖ ଟେଷ୍ଟ୍ ଦଳରେ ଯୋଗ ଦେଇଛନ୍ତି। ଏମାନେ ସମସ୍ତେ ବ୍ଲୁ ସ୍ପ୍ରିଙ୍ଗ୍ ବୁଲି ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ନିଜକୁ ପ୍ରସ୍ତୁତ କରିଛନ୍ତି। ସେପଟେ ଅନୁଷ୍କା ପତି ବିରାଟଙ୍କ ସହ ସମୟ କଟାଇବା ଲାଗି ଏବେ ନ୍ୟୁଜିଲାଣ୍ଡରେ ପହଞ୍ଚି ଯାଇଛନ୍ତି। ବ୍ଲୁ ସ୍ପ୍ରିଙ୍ଗ୍ ତା’ର ପ୍ରା‌କୃତିକ ସୌନ୍ଦର୍ଯ୍ୟ ଓ ସ୍ବଚ୍ଛ ତଥା ନିର୍ମଳ ଜଳ ପାଇଁ ବିଶ୍ବ ପ୍ରସିଦ୍ଧ। ଭାରତୀୟ ଖେଳାଳିଙ୍କ ମନକୁ ମଧ୍ୟ ଏହା ମୋହି ନେଇଥିବା ବିସିସିଆଇ ପ୍ରକାଶ କରିଥିବା ଫଟୋରୁ ଅନ୍ତତଃ ସ୍ପଷ୍ଟ ହେଉଛି।

ସମ୍ବନ୍ଧିତ ଖବର