ଆଜିଠୁ ରଣଜୀ ଟ୍ରଫି ସେମିଫାଇନାଲ୍‌: ରାଜକୋଟରେ ଗୁଜରାଟ-ସୌରାଷ୍ଟ୍ର, କୋଲ୍‌କାତାରେ ବେଙ୍ଗଲ-କର୍ଣ୍ଣାଟକ ମୁହାଁମୁହିଁ

କଟକ: ରଣଜୀ ଟ୍ରଫି ୨୦୧୯-୨୦ ଋତୁର ସେମିଫାଇନାଲ୍‌ ପର୍ଯ୍ୟାୟ ଶନିବାରଠୁ ଆରମ୍ଭ ହେବ। ପ୍ରଥମ ମୁକାବିଲା ରାଜକୋଟରେ ୨୦୧୬-୧୭ ଋତୁର ବିଜେତା ଗୁଜରାଟ ଓ ତିନିଥର ଉପବିଜେତା ସୌରାଷ୍ଟ୍ର ମଧ୍ୟରେ ହେବ। ସମାନ ସମୟରେ ଦ୍ବିତୀୟ ସେମିଫାଇନାଲ୍‌ କୋଲ୍‌କାତାର ଇଡେନ ଗାର୍ଡେନ୍‌ରେ ଦୁଇ ଥରର ବିଜେତା ବେଙ୍ଗଲ ଓ ୮ ଥର ବିଜେତା କର୍ଣ୍ଣାଟକ ମଧ୍ୟରେ ଖେଳାଯିବ। ଉଭୟ ମ୍ୟାଚ୍‌ର ବିଜେତାଙ୍କୁ ନେଇ ୯ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଆୟୋଜିତ ହେବ। ଏଥିସହିତ ସେମିଫାଇନାଲ୍‌ ଓ ଫାଇନାଲ୍‌ରେ ଡିଆର୍‌ଏସ୍‌ର ପ୍ରୟୋଗ ହେବାକୁ ଯାଉଥିବାରୁ ମ୍ୟାଚ୍‌ର ରୋମାଞ୍ଚ ବୃଦ୍ଧି ପାଇବ। ସେମିଫାଇନାଲ୍‌ରେ ଭାରତୀୟ କ୍ରିକେଟ ଦଳର ଵିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ କର୍ଣ୍ଣାଟକ ପକ୍ଷରୁ ଖେଳିବାକୁ ଯାଉଥିବାରୁ ଏହି ଦଳ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇପାରିଛି। ଅନ୍ୟପକ୍ଷରେ ବେଙ୍ଗଲ ଅନେକ କଷ୍ଟକର ମ୍ୟାଚ୍‌ର ସାମ୍ନା କରି ସେମି ପର୍ଯ୍ୟନ୍ତ ପହଞ୍ଚିଛି। ମନୋଜ ତିଵାରୀ (୬୫୧), ଅନୁଷ୍ଟୁପ ମଜୁମଦାର (୪୫୧), ଶାହାବାଜ ଅହମ୍ମଦ (୪୨୭) ଦଳକୁ ସେମିଫାଇନାଲ୍‌ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ।

ସେହିପରି ଜୟଦେବ ଉନାଦକତଙ୍କ ନେତୃତ୍ବରେ ଗତ ସ˚ସ୍କରଣର ଉପବିଜେତା ସୌରାଷ୍ଟ୍ର ପୂରା ଦମ୍‌ରେ ଗୁଜରାଟ ବିପକ୍ଷରେ ଖେଳିବାକୁ ଯାଉଛି। ଘରୋଇ ପରିବେଶରେ ସୌରାଷ୍ଟ୍ର ଅଧିକ ଶକ୍ତିଶାଳୀ ମନେ ହେଉଥିଲେ ବି ପାର୍ଥିବ ପଟେଲଙ୍କ ଦଳ କ୍ବାର୍ଟର ଫାଇନାଲ୍‌ର ପ୍ରଦର୍ଶନକୁ ଏଠାରେ ଦୋହରାଇବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ସୌରାଷ୍ଟ୍ର ପାଇଁ ସର୍ବାଧିକ ଵିକେଟ ଦଖଲକାରୀ ଜୟଦେବ (୫୫) ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ହେବେ। ତାଙ୍କ ସହ ଧର୍ମେନ୍ଦ୍ରସିନ୍‌ ଜାଦେଜା ଗୁଜରାଟର ଶକ୍ତ ବ୍ୟାଟି˚କ୍ରମକୁ ରୋକିବାରେ ସହାୟକ ହେବେ।

ସମ୍ବନ୍ଧିତ ଖବର