ଆଜିଠୁ ରଣଜୀ ଫାଇନାଲ୍‌: ୩ ଦଶନ୍ଧିର ଟ୍ରଫି ମରୁଡ଼ି ଅବସାନ ଲକ୍ଷ୍ୟରେ ବେଙ୍ଗଲ

ଘରୋଇ ପଡ଼ିଆରେ ଭାଗ୍ୟ ଖୋଲିବା ଆଶାରେ ସୌରା‌ଷ୍ଟ୍ର

‌ରାଜକୋଟ: ଚଳିତ ଋତୁର ରଣଜୀ ଟ୍ରଫି ଫାଇନାଲ୍‌ ମ୍ୟାଚ୍‌ ସୋମବାରଠୁ ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମରେ ଆରମ୍ଭ ହେବ। ଏହି ୫ ଦିନିଆ ଟ୍ରଫି ଲଢ଼େଇରେ ଦୁଇ ଥରର ବିଜେତା ବେଙ୍ଗଲ୍‌କୁ ଭେଟିବ ଘରୋଇ ସୌରାଷ୍ଟ୍ର। ସେମିଫାଇନାଲ୍‌ରେ କର୍ଣ୍ଣାଟକକୁ ୧୭୪ ରନ୍‌ରେ ପରାସ୍ତ କରି ବେଙ୍ଗଲ ଏବଂ ଗୁଜରାଟକୁ ୯୨ ରନ୍‌ରେ ହରାଇ ସୌରାଷ୍ଟ୍ର ଫାଇନାଲ୍‌ ଲଢ଼େଇରେ ଅବତୀର୍ଣ୍ଣ ହୋ‌ଇଛନ୍ତି। ବେଙ୍ଗଲ ୧୩ ଥର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ କେବଳ ଦୁଇଥର ଏହି ଟ୍ରଫି ଧରିବାର ସୌଭାଗ୍ୟ ପାଇଛି। ହେଲେ ୧୯୮୯-୯୦ ଋତୁରେ ବିଜେତା ହେବା ପରଠୁ ବେଙ୍ଗଲ ଦଳ ଆଉ ଟ୍ରଫି ଜିତିବାରେ ସଫଳ ହୋଇନାହିଁ। ଏହାପରେ ଦଳ ୩ ଥର ‌ଫାଇନାଲ୍‌ରେ ପହଞ୍ଚିଛି ହେଲେ ସବୁଥର ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଚଳିତ ବର୍ଷ ଏହି ଦଳ ତ୍ରୟୋଦଶ ଥର ଫାଇନାଲ୍‌ ପହଞ୍ଚିଥିବା ବେଳେ ତିନି ଦଶନ୍ଧିର ଟ୍ରଫି ମରୁଡ଼ିର ଅବସାନ ଲକ୍ଷ୍ୟ ରହିଛି। ଶେଷ ଥର ଲାଗି ବେଙ୍ଗଲ ୨୦୦୬-୦୭ ଋତୁରେ ଫାଇନାଲ୍‌‌ ଖେଳିଥିଲା। ଏହି ଫାଇନାଲ୍‌‌ ଖେଳିଥିବା ମନୋଜ ତିୱାରୀ କେବଳ ଏବର ଦଳରେ ରହିଛନ୍ତି।

ଅନ୍ୟପକ୍ଷରେ ଏଥରକୁ ମିଶାଇ ସୌରାଷ୍ଟ୍ର ଚତୁର୍ଥ ଥର ଲାଗି ଫାଇନାଲ୍‌ରେ ପହଞ୍ଚିଛି। ପୂର୍ବ ତିନି ଥର ଉପବିଜେତାରେ ସନ୍ତୁଷ୍ଟ ରହିଥିଲା ବେଳେ ଚଳିତ ବର୍ଷ ଘରୋଇ ପଡ଼ିଆରେ ଖେଳୁଥିବାରୁ ଭାଗ୍ୟ ଖୋଲିବା ଆଶାରେ ରହିଛି ସୌରାଷ୍ଟ୍ର। ରଣଜୀ ଟ୍ରଫିରେ ଉଭୟ ଦଳ ମଧ୍ୟରେ ହୋଇଥିବା ଶେଷ ୪ ମୁକାବିଲାରୁ ୩ ଥର ମ୍ୟାଚ୍‌ ଅମୀମାଂସିତ ରହିଥିଲା ବେଳେ ଥରେ ସୌରାଷ୍ଟ୍ର ବିଜୟୀ ହୋଇଛି। ଫଳରେ ଫାଇନାଲ୍‌ରେ ସୌରାଷ୍ଟ୍ରର ଆତ୍ମବିଶ୍ବାସ ଉପରେ ରହିବାର ଆଶା ରହିଛି। ଦଳକୁ ଫାଇନାଲ୍‌‌ ପହଞ୍ଚାଇବାରେ ସୌରାଷ୍ଟ୍ରର ଅଧିନାୟକ ଜୟଦେବ ଉନାଦକଟ୍‌ (୬୫ ୱିକେଟ୍‌) ପ୍ରମୁଖ ଭୂମିକା ନେଇଥିଲା ବେଳେ ନିର୍ଭରଯୋଗ୍ୟ ବ୍ୟା‌ଟ୍ସମ୍ୟାନ୍‌ ଚେତେଶ୍ବର ପୂଜାରା ଫେରିଛନ୍ତି। ସେ ଫେରିବା ପରେ ସୌରାଷ୍ଟ୍ରର ଚୂଡ଼ାନ୍ତ ଏକାଦଶରୁ କିଷନ ପାରମାର ବାଦ୍‌ ପଡ଼ିବା ନିଶ୍ଚିତ ହୋଇଛି। ପାରମାର ସେମିଫାଇନାଲ୍‌ରେ ୩୭ ଓ ୦ କରିଥି‌ଲେ। ବେଙ୍ଗଲ ଦଳ ସହ ଶନିବାର ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ସାହା ଯୋଗ ଦେଇଛନ୍ତି। ଜଣେ ଅତିରିକ୍ତ ସ୍ପିନର୍‌ ଅର୍ନବ ନନ୍ଦିଙ୍କୁ ଖେଳାଇବା ଲାଗି ବେଙ୍ଗଲ ମଧ୍ୟ ନିଷ୍ପତ୍ତି ନେଇଛି।

ସୌରାଷ୍ଟ୍ର (ସାମ୍ଭାବ୍ୟ ଏକାଦଶ): ହାର୍ଦିକ ଦେଶାଇ, ଅଭି ବାରୋତ, ଚେତେଶ୍ବର ପୂଜାରା, ସେଲ୍‌ଡନ ଜ୍ୟାକ୍‌ସନ, ଅର୍ପିତ ଭାସାବାଦା, ବିଶ୍ବରାଜ ‌ଜାଦେଜା, ଚିରାଗ ଜାନି, ପ୍ରେରକ ମଙ୍କଡ଼, ଧର୍ମେନ୍ଦ୍ର ଜାଦେଜା, ଜୟଦେବ ଉନାଦକଟ (ଅଧିନାୟକ), ଚେତନ ସାକାରିୟା।

ବେଙ୍ଗଲ୍‌ (ସାମ୍ଭାବ୍ୟ ଏକାଦଶ): ଅଭିଶେକ ରମଣ, ଅଭିମନ୍ୟୁ ଈଶ୍ବରନ୍‌, ସୁଦୀପ ଚାଟ୍ଟାର୍ଜୀ, ମନୋଜ ତିୱାରୀ, ଅନୁଷ୍ଟୁପ ମଜୁମଦାର, ରିଦ୍ଧିମାନ ସାହା, ଅର୍ନବ ନନ୍ଦି, ଶାହବାଜ ଅହମ୍ମଦ, ଆକାଶ ଦୀପ, ମୁକେଶ କୁମାର, ଈଶାନ ପୋରେଲ।

ସମ୍ବନ୍ଧିତ ଖବର