ଆଜି ଦ୍ବିତୀୟ ଦିନିକିଆ, ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ଭାରତ

କଲମ୍ବୋ: ପ୍ରଥମ ଦିନିକିଆରେ ଏକତରଫା ବିଜୟ ଲାଭ କରିଥିବା ଭାରତୀୟ ଦଳ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ। ଏଥି ସହ ଶୃଙ୍ଖଳାକୁ ମଧ୍ୟ ଆଗୁଆ କବ୍‌ଜା କରିନେବା ଲକ୍ଷ୍ୟରେ ରହିଛି। ଭାରତୀୟ ଯୁବ ଦଳ ଶ୍ରୀଲଙ୍କାର ଅନଭିଜ୍ଞ ଦଳ ଉପରେ ଆଧିପତ୍ୟ ବିସ୍ତାର କରିବାର ସ‌ୁଯୋଗ ଥିବାରୁ ଭାରତ ମଙ୍ଗଳବାର ୨-୦ରେ ଅପରାଜେୟ ଅଗ୍ରଣୀ ନେଇଯିବ ବୋଲି ବିଶ୍ବାସ କରାଯାଉଛି। ରବିବାର ରାତିରେ ଅଧିନାୟକ ଶିଖର ଧାୱନଙ୍କ ସହ ପୃଥ୍ବୀ ସ’ ଏବଂ ଦୁଇ ପ୍ରଥମ ପଦାର୍ପଣକାରୀ ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂରେ ଚମକ ଦେଖାଇଥିଲେ। ବୋଲରମାନେ ମଧ୍ୟ ମିଳିତ ଭାବେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଭାରତର ଗଭୀର ବେଞ୍ଚ ଷ୍ଟ୍ରେଙ୍ଗ୍‌ଥ ଏତେ ରହିଛି ଯେ ପ୍ରଥମ ବଲରୁ ହିଁ ଶିଖର ଧାୱନଙ୍କ ଦଳ ଆଧିପତ୍ୟ ବିସ୍ତାର ଆରମ୍ଭ କରି ଦେଉଛି। ଏହି କାରଣରୁ ପ୍ରଥମ ମ୍ୟାଚ୍‌କୁ ଭାରତ ୮୦ ବଲ୍‌ ପୂର୍ବରୁ ୭ ୱିକେଟ୍‌ ବ୍ୟବଧାନ‌ରେ ବିଜୟୀ ‌ହୋଇଥିଲା। ସମସ୍ତ ଯୁବ ଖେଳାଳି ଭଲ ଲୟରେ ବ୍ୟାଟିଂ କରୁଥିବା ବେଳେ ଅପେକ୍ଷାକୃତ ଅଧିକ ଅଭିଜ୍ଞ ମନୀଷ ପାଣ୍ଡେ ୪୦ ବଲ୍‌ ଖେଳିବା ପରେ ମାତ୍ର ୨୬ ରନ୍‌ରେ ଆଉଟ୍ ହୋଇଯିବା ତାଙ୍କ ପାଇଁ ଚିନ୍ତାର କାରଣ ହୋଇଥିବ। ପୃଥ୍ବୀ ସ’ ବଡ଼ ପାଳି ଖେଳିଲେ ଭାରତକୁ ରୋକିବା ଶ୍ରୀଲଙ୍କା ପାଇଁ କାଠିକର ପାଠ ହେବ।

ବୋଲିଂ ବିଭାଗରେ ଭାରତୀୟ ସ୍ପିନରମାନେ ଅଧିକ ବୋଲିଂ କରିଥିବା ବେଳେ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ବହୁ ଦିନ ପରେ ୫ ଓଭର ବୋଲିଂ କରି ଆଶା ଦେଖାଇଛନ୍ତି। ଭ୍ରମଣକାରୀ ଦଳକୁ ଅଟକାଇବାକୁ ହେଲେ ଘରୋଇ ଶ୍ରୀଲଙ୍କା ଦଳକୁ ନିଶ୍ଚିତ କିଛି ସ୍ବତନ୍ତ୍ର କରିବାକୁ ପଡ଼ିବ। ତଥାପି ଘରୋଇ ଦଳ ପାଇଁ ରବିବାର ୮ ଜଣ ଖେଳାଳି ଭଲ ବ୍ୟାଟିଂ କରିଥିଲେ ମଧ୍ୟ କେହି ୪୦ ଟପି ପାରିନଥିଲେ। ୮ ନମ୍ବରରେ ଖେଳି ଚାମିକା କରୁଣାରତ୍ନେ ୩୫ ବଲରୁ ୪୩ ରନ୍ କରିବାରୁ ଦଳ ଶେଷରେ ୨୬୨ ରନ୍‌ କରିଥିଲା। ଭଲ ଆରମ୍ଭକୁ ହାତଛଡ଼ା ନକଲେ ଶ୍ରୀଲଙ୍କା ନିୟମିତ ଭାବେ ୩୦୦ରୁ ଊର୍ଧ୍ବ ରନ୍‌ କରିପାରିବ ବୋଲି କରୁଣାରତ୍ନେ ମଧ୍ୟ ଆଶା ପ୍ରକାଶ କରିଛନ୍ତି।

ଆମ ନିକଟରେ ୩୦୦/୩୫୦ ରନ୍‌ କରିବା ଦକ୍ଷତା ରହିଛି ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ଭାରତର ଉଚ୍ଚମାନର ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ଆମ ବୋଲରଙ୍କୁ ନିଜ ଖେଳର ସ୍ତରକୁ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ପିଚ୍‌ ବ୍ୟାଟିଂ ସହାୟକ ଥିଲେ ମଧ୍ୟ ସାମାନ୍ୟ ମନ୍ଥର ଥିବାରୁ ଉଭୟ ଦଳ ପଶ୍ଚାତଧାବନ କରିବାକୁ ଚାହିଁବେ। ଏଥି ପାଇଁ ଦଳକୁ ଟସ୍‌ ଭାଗ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ। ଖେଳାଳି ପରିବର୍ତନ ସମ୍ଭାବନା ଦୃଷ୍ଟିକୋଣରୁ‌ ଦେଖିଲେ ଭାରତୀୟ ଦଳ ଭୁବନେଶ୍ବର କୁମାର ଏବଂ ଶ୍ରୀଲଙ୍କା ଦଳ ଇସୁରୁ ଉଦାନାଙ୍କ ବିକଳ୍ପ ଆଣିପାରନ୍ତି। ଉଭୟ ରବିବାର ପ୍ରଭାବହୀନ ରହିଥିଲେ।

ଭାରତ ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ (ଅଧିନାୟକ), ପୃଥ୍ବୀ ସ’, ଈଶାନ କିଶନ (ୱିକେଟରକ୍ଷକ), ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଦୀପକ ଚହର, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ଅଭିଷ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା (ୱିକେଟରକ୍ଷକ), ଭାନୁକା ରାଜପାକ୍ସା, ଧନଞ୍ଜୟ ଡି’ସିଲଭା (ଉପଅଧିନାୟକ), ଚରିତ ଅସଲଙ୍କା, ଦାସୁନ ସନକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଲକ୍ଷଣ ସନ୍ଦକଣ, ଲାହିରୁ କୁମାରା।

ସମ୍ବନ୍ଧିତ ଖବର