ରାଞ୍ଚି: ବିଶ୍ବକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଶିଖର ଧାୱନଙ୍କ ଦଳ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ଏବେ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଲକ୍ଷ୍ନୌରେ ପ୍ରଥମ ମ୍ୟାଚ୍‌ ହାରିଯାଇଥିବା ଭାରତ ପାଇଁ ଆସନ୍ତାକାଲି ରାଞ୍ଚିରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ ଶୃଙ୍ଖଳା ବଞ୍ଚାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। କାରଣ ଏହି ମ୍ୟାଚ୍‌ ହାରିଗଲେ ଭାରତ ଶୃଙ୍ଖଳା ହାତଛଡ଼ା କରିବ। ଯଦିଓ ଏହି ଶୃଙ୍ଖଳାର ଫଳାଫଳ ବିଶ୍ବକପ୍‌ ପ୍ରସ୍ତୁତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ତଥାପି ସମ୍ମାନ ଦୃଷ୍ଟିରୁ ଶିଖର ଧାୱନ ଏହି ମ୍ୟାଚ୍‌ ଜିତିବାକୁ ଚାହିଁବେ। ଏଭଳିସ୍ଥିତିରେ ଦଳର ପ୍ରମୁଖ ଦ୍ରୁତ ବୋଲର ଦୀପକ ଚହରଙ୍କ ଆହତ ସମସ୍ୟା ଚିନ୍ତାର କାରଣ ପାଲଟିଛି। ତାଙ୍କ ସ୍ଥାନରେ ୱାସିଂଟନ୍‌ ସୁନ୍ଦର ବଦଳ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ଏପରିକି ମହମ୍ମଦ ସିରାଜ ଓ ଆୱେସ ଖାନ୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଭାବୀ ହୋଇପାରିନଥିବାରୁ ବେଙ୍ଗଲ ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ଦ୍ବିତୀୟ ମ୍ୟାଚ୍‌ରେ ଖେଳାଯିବା ସମ୍ଭାବନା ସୃଷ୍ଟି ହୋଇଛି।

Advertisment

ଏହାବାଦ୍‌ ଲକ୍ଷ୍ନୌରେ ପ୍ରାରମ୍ଭିକ ବିଫଳତା ପରେ ବି ଶ୍ରେୟସ ଆୟରଙ୍କ ବ୍ୟାଟ୍‌ରୁ ଭଲ ରନ୍‌ ବାହାରିଥିଲା। ବିଶ୍ବକପ୍‌ର ଅତିରିକ୍ତ ଖେଳାଳି ଭାବେ ଶ୍ରେୟସ ରହିଥିବାରୁ ଏହିଭଳି ବ୍ୟାଟିଂ ଅଭ୍ୟାସ ଜାରି ରହିବା ଆବଶ୍ୟକ ହୋଇପଡ଼ିଛି। ଅନ୍ୟପକ୍ଷରେ ସଂଜୁ ସାମସନ୍‌ଙ୍କ ବ୍ୟାଟ୍‌ରୁ ବଡ଼ ସଟ୍‌ ବାହାରିବା ଓ ଦଳକୁ ବିଜୟ ନିକଟତର କରାଇବା ସବୁଠାରୁ ବଡ଼ ସକାରାତ୍ମକ ଦିଗ ରହିଛି। ୭ ବର୍ଷ ଧରି ଭାରତୀୟ ଦଳରେ ସୁଯୋଗ ମିଳିନଥିଲେ ବି ସେ ଆତ୍ମବିଶ୍ବାସ ହରାଇନଥିବା ସ୍ପଷ୍ଟ ହୋଇଥିଲା। ଋତୁରାଜ ଗାଏକ୍ବାଡ୍‌ ଓ ଇଶାନ କିଶାନଙ୍କଠାରୁ ମଧ୍ୟ ଦଳ ବଡ଼ ସ୍କୋର ଆଶା ରଖିବ। ଶିଖର ଧାୱନ ତାଙ୍କ ନେତୃତ୍ବର ଦକ୍ଷତାକୁ ପ୍ରମାଣିତ କରିବାକୁ ଆଉ ଏକ ସୁଯୋଗ ପାଇବେ। ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଯେଉଁଭଳି ଭାବେ ତାଙ୍କର ଦବ୍‌ଦବା ରହିଥିଲା, ଦକ୍ଷିଣ ଆଫ୍ରିକା ଆଗରେ ସମାନ କରାମତି ଦେଖାଇବାକୁ ହେବ।

ଏପଟେ ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ତେମ୍ବା ବଭୂମାଙ୍କ ପ୍ରଦର୍ଶନ ଚିନ୍ତାଜନକ ହୋଇପଡ଼ିଛି। ବର୍ତ୍ତମାନ ସେ ତାଙ୍କର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଏହି ଗସ୍ତର ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ସେ ଖାତା ଖୋଲିପାରିନଥିଲା ବେଳେ ତୃତୀୟ ମ୍ୟାଚ୍‌ରେ ମାତ୍ର ୩ ରନ୍‌ କରିଥିଲେ। ଲକ୍ଷ୍ନୌ ଦିନିକିଆରେ ତାଙ୍କ ବ୍ୟାଟ୍‌ରୁ ମାତ୍ର ୮ ରନ୍ ବାହାରିଥିଲା। ଆଉ ଦୁଇ ସପ୍ତାହ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଥିବାରୁ ବଭୂମାଙ୍କୁ ପୁରୁଣା ଲୟକୁ ଫେରିବା ଜରୁରି ଅଟେ। ଡେଭିଡ୍‌ ମିଲର ଏହି ଗସ୍ତରେ ଭାରତ ପାଇଁ ଦୁଃସ୍ବପ୍ନ ପାଲଟିଛନ୍ତି। ଗୁଆହାଟୀରେ ଅପରାଜିତ ଶତକ ସହ ଗତ ମ୍ୟାଚ୍‌ରେ ୭୫* ରନ୍‌ ସଂଗ୍ରହ କରି ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ପୁଣି କାଗିସୋ ରବାଦାଙ୍କ ନେତୃତ୍ବାଧୀନ ବୋଲିଂ ଆକ୍ରମଣକୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ବେଳେ ଅନେକ ସମାଲୋଚନାର ସରବ୍ୟ ହେବାକୁ ପଡ଼ିଥିଲା ବେଳେ ଦିନିକିଆରେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେଣୁ ଦ୍ବିତୀୟ ମ୍ୟାଚ୍‌ରେ ଏଭଳି ପ୍ରଦର୍ଶନ ଜାରି ରଖିବାକୁ ଦଳ ଆଶା କରିବ।

ସମ୍ଭାବ୍ୟ ଭାରତ ଏକାଦଶ: ଶିଖର ଧାୱନ୍‌ (ଅଧିନାୟକ), ଶୁବମନ ଗିଲ୍‌, ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଶ୍ରେୟସ ଆୟର, ସଞ୍ଜୁ ସାମ୍‌ସନ (ୱିକେଟ୍‌ରକ୍ଷକ), ଶାର୍ଦୁଳ ଠାକୁର, ରବି ବିଷ୍ଣୋଇ/ସା‌ହବାଜ୍‌ ଅହମ୍ମଦ, ଆୱେସ ଖାନ୍‌, କୁଲ୍‌ଦୀପ ଯାଦବ, ମହମ୍ମଦ ସିରାଜ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ: କ୍ବିଣ୍ଟନ ଡି’ କକ୍‌, ଜାନେମନ ମଲାନ, ତେମ୍ବା ବଭୂମା (ଅଧିନାୟକ), ଏଦେନ୍‌ ମର୍କରାମ, ହେନ୍‌ରିକ୍‌ କ୍ଲାସେଁ, ଡେଭିଡ୍‌ ମିଲର, ୱେନ୍‌ ପାର୍ନେଲ/ଆନ୍ଦିଲେ ଫେଲୁକ୍ବାୟୋ, କେଶବ ମହାରାଜ, କାଗିସୋ ରବାଦା, ତାବ୍ରିଜ୍‌ ସାମ୍‌ସୀ/ମାର୍କୋ ଜାନ୍‌ସେନ/ଅନ୍‌ରିକ୍‌ ନର୍ଖିୟା, ଲୁଙ୍ଗି ଏନ୍‌ଗିଡ଼ି।

ଶିଖରଙ୍କ ନେତୃତ୍ବାଧୀନ ଦଳକୁ ଦ୍ବିତୀୟ ଶ୍ରେଣୀର ଭାରତୀୟ ଦଳ କହିବା ଠିକ୍ ହେବନି: କେଶବ ମହାରାଜ୍‌

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳୁଥିବା ଭାରତୀୟ ଦଳରେ ଯଦିଓ ରୋହିତ ଶର୍ମା କିମ୍ବା ବିରାଟ କୋହଲି ନାହାନ୍ତି, ତଥାପି ଶିଖର ଧାୱନଙ୍କ ନେତୃତ୍ବାଧୀନ ଦଳକୁ ଦ୍ବିତୀୟ ସ୍ତରୀୟ ଭାରତୀୟ ଦଳ କହିବା ଉଚିତ୍‌ ନୁହେଁ ବୋଲି ଭ୍ରମଣକାରୀ ଦଳର ସ୍ପିନର କେଶବ ମହାରାଜ୍‌ ପ୍ରତିକ୍ରିୟା ଦେଇଛନ୍ତି। ରବିବାର ଦ୍ବିତୀୟ ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେଶବ କହିଛନ୍ତି ଯେ ଭାରତରେ ପ୍ରତିଭାବାନ୍‌ ଖେଳାଳି ଭରପୂର ଅଛନ୍ତି। ସମସ୍ତଙ୍କ ପାଖରେ ଆଇପିଏଲ୍‌ ଖେଳିବା ଅଭିଜ୍ଞତା ରହିଛି।

ତେଣୁ ଭାରତ ପାଖରେ ଗୋଟିଏ ସମୟରେ ୪ରୁ ୫ଟି ଦଳ ଗଠନ କରିବା ଭଳି ବିକଳ୍ପ ରହିଥିବା ମହାରାଜ୍‌ କହିଛନ୍ତି। ତେବେ ଲକ୍ଷ୍ନୌରେ ପୂର୍ବତନ ବିଶ୍ବ ୧ ନମ୍ବର ବୋଲର ତାବ୍ରିଜ୍‌ ସାମ୍‌ସୀ ପ୍ରଭାବହୀନ ରହିଥଇଲେ। ସେ ୮ ଓଭରରେ ୮୯ ରନ୍‌ ବ୍ୟୟ କରି ମାତ୍ର ୧ ୱିକେଟ ଅକ୍ତିଆର କରିଥିଲେ। ଏଭଳି ପ୍ରଦର୍ଶନ ସତ୍ତ୍ବେ ମହାରାଜ, ସାମ୍‌ସୀଙ୍କୁ ସମର୍ଥନ କରିଛନ୍ତି। ଏହା ତାଙ୍କ ପାଇଁ‌ କେବଳ ଏକ ଖରାପ ଦିନ ଥିଲା ବୋଲି ମହାରାଜ୍‌ ପ୍ରତିକ୍ରିୟା ଦେଇଥିଲେ।