ଇଂଲଣ୍ଡ ଆଗରେ କୁଲ୍‌ଦୀପ ପ୍ରହେଳିକା

ଆଜି ଦ୍ୱିତୀୟ ଦିନିକିଆ

ଲଣ୍ଡନ୍‌: ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ପକେଟସ୍ଥ କରି ସାରିଥିବା ଭାରତୀୟ ଦଳ ଏବେ ଦିନିକିଆ ଶୃଙ୍ଖଳାକୁ ଆଗୁଆ ଜିତିନେବା ଲକ୍ଷ୍ୟରେ ରହିଛି। ଗୁରୁବାର ରାତିରେ ଇଂଲଣ୍ଡକୁ ୮ ଓ୍ଵିକେଟ୍‌ରେ ହରାଇଥିବା ଭାରତ ଶନିବାର ଦ୍ୱିତୀୟ ମ୍ୟାଚ୍‌ ଖେଳିବ ଐତିହାସିକ ଲର୍ଡସ ପଡ଼ିଆରେ। ୩ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। ଆତ୍ମବିଶ୍ୱାସରେ ରହିଛି କୋହଲି ବାହିନୀ। ଫିଫା ବିଶ୍ୱକପ୍‌ ଫାଇନାଲ୍‌ ରବିବାର ଥିବାରୁ ଏହି ମ୍ୟାଚ୍‌କୁ ଶନିବାରକୁ ଧାର୍ଯ୍ୟ କରାଯାଇଥିବା ବିଶ୍ୱାସ କରାଯାଉଛି। ନ ହେଲେ ସାଧାରଣତଃ ଦିନିକିଆ ମ୍ୟାଚ୍‌ ମଝିରେ ଦୁଇ ଦିନର ବ୍ୟବଧାନ ରହିଥାଏ, ଯାହା ହୋଇନାହିଁ। ମାଞ୍ଚେଷ୍ଟର୍‌ ଟେ୍ଵଣ୍ଟି-୨୦ ପରେ ନଟିଂହାମ୍‌ରେ ବି କଚଟି ସ୍ପିନର୍‌ କୁଲଦୀପ୍‌ ଯାଦବଙ୍କ ଯାଦୁରେ ଫସିଯାଇଥିଲା ଇଂଲିସ୍‌ ଦଳ। ସେହି କାରଣରୁ ଏବେ କୁଲଦୀପଙ୍କ ପ୍ରହେଳିକାଭରା ବୋଲିଂ ହିଁ ଘରୋଇ ଦଳ ପାଇଁ କାଳ ହୋଇଛି। ଗୁରୁବାର ରାତିରେ ନିଜ ୧୦ ଓଭରରେ ମାତ୍ର ୨୫ ରନ୍‌ ଦେଇ ୬ ଓ୍ଵିକେଟ୍‌ ନେବା କୁଲଦୀପଙ୍କ ଆତ୍ମବିଶ୍ୱାସକୁ ଯେତିକି ଉଚା କରିଛି ଇଂଲଣ୍ଡ ଖେଳାଳିଙ୍କ ମନୋବଳକୁ ସେତିକ ନିମ୍ନମୁଖା ରଖିଛି। ସୀମିତ ଓଭରରେ ଇଂଲଣ୍ଡ ଖେଳାଳି ଭଲ ଥିବାରୁ ଏବେ କେବଳ କୁଲଦୀପକୁ କାବୁ କରିପାରିଲେ ହିଁ ଭାରତକୁ ହରାଇପାରିବେ ବୋଲି ବିଶ୍ୱାସ କରୁଛନ୍ତି। ସ୍ପିନ୍‌ ବୋଲିଂ ମେସିନ୍‌ ମେର୍ଲିନରେ ଅଭ୍ୟାସ କରିଥିଲେ ମଧ୍ୟ କୁଲଦୀପଙ୍କ ବିପକ୍ଷରେ ସେମାନେ ସଫଳ ହୋଇପାରିନାହାନ୍ତି। ଜୋ ରୁଟ୍‌ଙ୍କ ଦୁଇ ସପ୍ତାହ ବିଫଳତା ମଧ୍ୟ ଇଂଲଣ୍ଡକୁ ଅଧିକ ଚିନ୍ତାରେ ପକାଇଛି। ଜାସନ୍‌ ରୟଙ୍କ ରିଭର୍ସ ସୁଇପ୍‌, ଚହଲଙ୍କ ବିପକ୍ଷରେ ଇଅନ୍‌ ମୋର୍ଗାନ୍‌ଙ୍କ ଭୁଲ୍‌ ସଟ୍‌ ମଧ୍ୟ ଇଂଲଣ୍ଡକୁ ଅଡୁଆରେ ପକାଇଛି। କେବଳ ଜୋସ୍‌ ବଟଲର୍‌ ଏବଂ ଆଲେକ୍ସ ହେଲ୍‌ସଙ୍କ ଛାଡ଼ିଦେଲେ ଇଂଲଣ୍ଡ ଖେଳାଳି ନିଜ ପୂର୍ବ ଭୁଲରୁ କିଛି ଶିଖିବା ଭଳି ଲାଗୁ ନାହିଁ।

 

ମାନସିକ ପ୍ରସ୍ତୁତି ବ୍ୟତୀତ ପିଚ୍‌ ବି ଇଂଲଣ୍ଡ ପାଇଁ ନିର୍ଣ୍ଣାୟକ ହୋଇଛି। ଟେ୍ଵଣ୍ଟି-୨୦ରେ ପ୍ରଥମ ମ୍ୟାଚ୍‌ ହାରିଯିବା ପରେ କାର୍ଡିଫ ଓ ବ୍ରିଷ୍ଟଲ୍‌ ପିଚ୍‌ରେ ଘାସ ଥିଲା। କିନ୍ତୁ ଉଭୟ ମ୍ୟାଚ୍‌ରେ ଇଂଲଣ୍ଡ ଖେଳାଳିଙ୍କୁ ସୁଇଙ୍ଗ୍‌ ମିଳିନଥିଲା। ରିଷ୍ଟ ସ୍ପିନ୍‌ରଙ୍କୁ ଭଲରେ ଖେଳିବାକୁ ବି ଏହା ସହାୟକ ହୋଇନଥିଲା। ତୃତୀୟ ଟେ୍ଵଣ୍ଟି-୨୦ରେ ସବୁଜ ପିଚ୍‌ ମିଳିଥିଲେ ମଧ୍ୟ ଶେଷକୁ ଏହା ବ୍ୟାଟିଂ ବିଉଟିରେ ପରିଣତ ହୋଇଥିଲା। ଜୁଲାଇ ୪ ତାରିଖରୁ ଇଂଲଣ୍ଡରେ ଘରୋଇ ଟେ୍ଵଣ୍ଟି-୨୦ ଋତୁ ଆରମ୍ଭ ହୋଇସାରିଥିବାରୁ ଲର୍ଡସ ଓ ଲିଡ୍‌ସରେ ଖେଳାଯିବାକୁ ଥିବା ପିଚ୍‌ରେ ଘାସ ରହିଛି। ଋତୁର ପ୍ରଥମ ଟେ୍ଵଣ୍ଟି-୨୦ରେ ବି ଓଭର ପିଛା ୮ରୁ ଊର୍ଧ୍ୱ ହାରରେ ରନ୍‌ ସଂଗ୍ରହ ହୋଇଛି। ଭାରତ ଯଦି ଦିନିକିଆ ଶୃଙ୍ଖଳାରେ ଶନିବାର ୨-୦ରେ ଆଗୁଆ ହୋଇଯାଏ ତେବେ ଆଇସିସି ମାନ୍ୟତାରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଥିବା ଫରକ କମିଯିବ। ବିରାଟ କୋହଲି କ୍ରମେ ଭଲ ବ୍ୟାଟିଂ କରିବା ଏବଂ ରୋହିତ ଶର୍ମା ଲଗାତାର ଶତକ ମାରିବା ମଧ୍ୟ ଭାରତର ବ୍ୟାଟିଂକୁ ଆତ୍ମବିଶ୍ୱାସକୁ ନେଇଛି।

ଭାରତ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, କେଏଲ୍‌ ରାହୁଲ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ଦୀନେଶ କାର୍ତିକ, ସୁରେଶ ରାଇନା, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ଶ୍ରେୟସ ଆୟର, ସିଦ୍ଧାର୍ଥ କଉଲ୍‌, ଅକ୍ଷର ପଟେଲ୍‌, ଉମେଶ ଯାଦବ, ସାର୍ଦୁଲ ଠାକୁ, ଭ୍‌ୁବନେଶ୍ୱର କୁମାର।

 

ଇଂଲଣ୍ଡ ଦଳ: ଇଅନ୍‌ ମୋର୍ଗାନ୍‌ (ଅଧିନାୟକ), ଜାସନ୍‌ ରୟ, ଜନି ବେୟାରଷ୍ଟୋ, ଜୋସ୍‌ ବଟଲର୍‌ (ଓ୍ଵିକେଟରକ୍ଷକ), ମୋଇନ୍‌ ଅଲୀ, ଜୋ ରୁଟ୍‌, ଜ୍ୟାକ୍‌ ବଲ୍‌, ଟମ୍‌ କୁରାନ୍‌, ଦାଓ୍ଵିଦ୍‌ ମଲାନ୍‌, ଲିଆମ୍‌ ପ୍ଲଙ୍କେଟ, ବେନ୍‌ ଷ୍ଟୋକ୍‌ସ,ର ଆଦିଲ ରସିଦ୍‌, ଡେଭିଡ୍‌ ଓ୍ଵିଲି, ମାର୍କ ଉଡ୍‌।

ସମ୍ବନ୍ଧିତ ଖବର