ବିଶାଖାପାଟଣା: ୧୫ ବର୍ଷରୁ ଅଧିକ ସମୟ ହେବ ଭାରତୀୟ କ୍ରିକେଟ୍ ଦଳ ଘରୋଇ ପରିବେଶରେ ଲାଗାତାର ଦୁଇଟି ଶୃଙ୍ଖଳା ହାରିନାହିଁ। ସେହିଭଳି ଭାରତ ମଧ୍ୟ ‌ଘରୋଇ ପରିବେଶରେ କେବେ ବି କ୍ରମାଗତ ପାଞ୍ଚଟି ଦିନିକିଆରେ ପରାଜିତ ହୋଇନାହିଁ। ବିଶାଖାପାଟଣାରେ ବୁଧବାର ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଦିନିକିଆ ହାରିଲେ କୋହଲି ବାହିନୀ ଏହି ଦୁଇଟି ଆଲୋଡ଼ା କୀର୍ତ୍ତିମାନ କରିବାର ଯଥେଷ୍ଟ ଆଶଙ୍କା ରହିଛି। କାରଣ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାରିବା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚଟିକିଆ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍ ଦଳ ଶେଷ ତିନିଟି ମ୍ୟାଚ୍ ହାରି ହ୍ୟାଟ୍ରିକ୍ ପରାଜୟ ବରଣ କରିଥିଲା। ବିଶାଖାପାଟଣାରେ ହାରିଲେ ଭାରତ ମଧ୍ୟ ୯ ଦ୍ବିପାକ୍ଷିକ ଶୃଙ୍ଖଳା ପରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜଠାରୁ ଶୃଙ୍ଖଳା ହାରିବ। ସେପଟେ ଆତ୍ମବିଶ୍ବାସଭରା ୱେଷ୍ଟଇଣ୍ଡିଜ୍ ଆଉ ଏକ ବୃହତ୍ ବିପର୍ଯ୍ୟୟ ସହ ଭାରତରେ ବହୁ ପ୍ରତୀକ୍ଷିତ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିଛି। ସେହିଭଳି ଏହି ଶୃଙ୍ଖଳା ଜିତିଲେ ଟ୍ବେଣ୍ଟି-୨୦ ବିଶେଷଜ୍ଞ ଭାବେ ପରିଚିତ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁବେ। ଦିନିକିଆରେ ମଧ୍ୟ ସେ ଜଣେ ଆଗଧାଡ଼ିର ଖେଳାଳି ଭାବେ ପରିଚିତ ହେବେ।

Advertisment

ଭିଡିସିଏରେ ବଡ଼ ସ୍କୋର ଆଶା
ବୋଲରଙ୍କୁ ସୁହାଉଥିବା ଚେନ୍ନାଇ ପିଚ୍‌ରେ ଭାରତ ୨୮୭ ରନ୍ କରି ହାରିଥିଲା। ଭାରତୀୟ ବୋଲର ସେଠାରେ ଇଣ୍ଡିଜ୍ ବିଜୟକୁ ରୋକି ପାରି ନଥିଲେ। ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ଅଧିକାଂଶ ସମୟ ଗୋଟିଏ ପାଳିରେ ପାଖାପାଖି ୩୦୦ ରନ୍ ସ୍କୋର ହୋଇ ଆସୁଛି। ସେଥିପାଇଁ ଭାରତୀୟ ବୋଲରଙ୍କ ପାଇଁ ସାଇ ହୋପ୍ ଏବଂ ସିମରନ୍ ହେଟମେୟରଙ୍କ ଭଳି ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ତଥା ଯୁବ ତାରକାଙ୍କୁ ରୋକିବା ଆଦୌ ସହଜ ହେବନାହିଁ। ଭାରତ ସେଥିପାଇଁ ପାଞ୍ଚ ଜଣ ବିଶେଷଜ୍ଞ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଳାଇପାରେ। ଚେନ୍ନାଇରେ ୪ ଜଣ ବିଶେଷଜ୍ଞ ବୋଲରଙ୍କୁ ଖେଳାଇବା ଭାରତ ପରାଜୟର ଅନ୍ୟତମ କାରଣ ଥିଲା। ସେହିଭଳି ଦୁଇ ସ୍ପିନର ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବ ମିଳିତ ଭାବେ ୨୦ ଓଭର ବୋଲିଂ କରି ବିନା ୱିକେଟ୍‌ରେ ୧୦୩ ରନ୍ ବ୍ୟୟ କରିଥିଲେ। ନବାଗତ ଶିଭମ ଦୁବେ ମାତ୍ର ୭.୫ ଓଭର ବୋଲିଂ କରି ୬୮ ରନ୍ ବ୍ୟୟ କରିଥିଲେ। ସେଥିପାଇଁ ବିଶାଖାପାଟଣାରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଅଦଳ ବଦଳ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

‘କୁଲ୍‌ଚା’ଙ୍କୁ ମିଳିପାରେ ସୁଯୋଗ
ବିଶ୍ବକପ୍ ପରଠାରୁ ଭାରତର ଦୁଇ କଚଟି ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଏକାଠି ଖେଳି ନାହାନ୍ତି। ‘କୁଲ୍‌ଚା’ ଭାବେ ପରିଚିତ ଏହି ଦୁଇ ଯୁବ ସ୍ପିନରଙ୍କୁ ବିଶାଖାପାଟଣାରେ ସୁଯୋଗ ମିଳିପାରେ। ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କୁଲଦୀପ ଓ ଚହଲଙ୍କୁ ଖେଳାଇଲେ ଶିଭମ ଦୁବେ ଏବଂ ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରୁ ଜଣକୁ ଦଳରୁ ବାଦ୍ ଦେବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍ କଥା ବିଚାରକୁ ନେଲେ ଏଭିନ୍ ଲୁଇସ୍ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି କି ନାହାନ୍ତି, ସେ ବିଷୟରେ କୌଣସି ସୂଚନା ପଦାକୁ ଆସିନି। ସେ ସୁସ୍ଥ ଥିଲେ ସୁନିଲ ଅମ୍ବ୍ରିସଙ୍କ ସ୍ଥାନ ନେଇ ପାରନ୍ତି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, କେଦାର ଯାଦବ, ଋଷବ ପନ୍ତ (ୱିକେଟ୍ ରକ୍ଷକ), ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା/ୟୁଜବେନ୍ଦ୍ର ଚହଲ, ଦୀପକ ଚହର, କୁଲଦୀପ ଯାଦବ, ମହମ୍ମଦ ସାମି।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: ସାଇ ହୋପ୍, ଏଭିନ ଲୁଇସ୍/ସୁନିଲ ଅମ୍ବ୍ରିସ, ସିମରନ୍ ହେଟମେୟର, ନିକୋଲାସ ପୂରନ, ରସ୍ତନ ଚେଜ୍, କିରଣ ପୋଲାର୍ଡ (ଅଧିନାୟକ), ଜାସନ ହୋଲ୍ଡର, କିମୋ ପଲ୍, ହେଡେନ୍ ୱାଲ୍ସ (ଜୁନିଅର), ଆଲଜେରି ଯୋଶେଫ, ସେଲଡନ୍ କଟ୍ରେଲ।

୨୦୧୮ ମୁକାବିଲା ଟାଇ ରହିଥିଲା
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଗତ ବର୍ଷ ଶେଷ ଥର ପାଇଁ ବିଶାଖାପାଟଣାରେ ଦିନିକିଆ କ୍ରିକେଟ୍ ଖେଳିଥିଲେ। ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ଶେଷରେ ଟାଇ ରହିଥିଲା। ସଂପୃକ୍ତ ମ୍ୟାଚ୍‌ର ଶେଷ ବଲ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ବିଜୟ ପାଇଁ ୫ ରନ୍‌ ଦରକାର ଥିଲା। ଚେନ୍ନାଇରେ ୧୨୩ ରନ୍‌ର ପାଳି ଖେଳିଥିବା ସାଇ ହୋପ୍ ପଏଣ୍ଟ ଅଞ୍ଚଳକୁ ଚୌକା ମାରିବା ପରେ ମ୍ୟାଚ୍ ଟାଇ ରହିଥିଲା। ୨୦୧୦ ମସିହା ପରେ ବିଶାଖାପାଟଣାରେ ଖେଳା ଯାଇଥିବା ଦିନିକିଆଗୁଡ଼ିକର ହାରାହାରି ପ୍ରଥମ ପାଳି ରନ୍ ୨୭୫ ରହିଛି। ଏଠାରେ ଖେଳା ଯାଇଥିବା ୬ ଦିନିକିଆ ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଏହି ପଡ଼ିଆରେ ଉଚ୍ଚକୋଟୀର ରହିଛି। ପାଞ୍ଚଟି ମ୍ୟାଚ୍‌ରୁ ସେ ୧୩୯ ହାରରେ ୫୫୬ ରନ୍ କରିଛନ୍ତି। ସେଥିମଧ୍ୟରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଧଶତକ (୯୯ ଓ ୬୫) ସାମିଲ ରହିଛି।