ଆବୁଧା: ଏଏଫ୍ସି ଏସୀୟ କପ୍ ରବିବାରଠାରୁ ଏଠାରେ ଆରମ୍ଭ ହେବ। ପୂର୍ବରୁ ଏହି ପ୍ରତିଯୋଗିତା ୧୬ ଦଳୀୟ ବିଶିଷ୍ଟ ରହି ଆସିଥିଲା ବେଳେ ଏଥର କିନ୍ତୁ ୨୪ ଦଳ ଏସୀୟ କପ୍ ପାଇଁ ଲଢ଼ିବେ। ମୋଟ ଦଳକୁ ୬ ଗ୍ରୁପ୍ରେ ଭାଗ କରାଯାଇଛି। ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ୨ ଦଳ ସାଙ୍ଗକୁ ତୃତୀୟ ସ୍ଥାନରେ ରହିଥିବା ୪ ଶ୍ରେଷ୍ଠ ଦଳ ପ୍ରିକ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହି ଗୁରୁତ୍ବପୂର୍ଣ୍ଣ ଫୁଟ୍ବଲ୍ ପ୍ରତିଯୋଗିତାରେ ଥାଇଲାଣ୍ଡ୍ ସହ ଖେଳି ପ୍ରଥମ ଦିନ ମଧ୍ୟ ଭାରତ ତା’ର ଅଭିଯାନ ଆରମ୍ଭ କରିବ। ଭାରତ ଏବେ ଫିଫା ମାନ୍ୟତାରେ ୯୭ତମ ସ୍ଥାନରେ ରହିଥିଲା ବେଳେ ଥାଇଲାଣ୍ଡ୍ର ମାନ୍ୟତା ୧୧୮ ରହିଛି। ତେବେ ନିଜ ଗ୍ରୁପ୍ରେ ୟୁଏଇ ପରେ ଭାରତ ଦ୍ବିତୀୟ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ। ହେଲେ ଭାରତ ବିପକ୍ଷରେ ଥାଇଲାଣ୍ଡ୍ର ପୂର୍ବ ସଫଳତା ଢେର ଆଗରେ ରହିଛି। ଉଭୟ ଦଳ ପରସ୍ପର ୨୪ ଥର ମୁହାଁମୁହିଁ ହୋଇସାରିଥିଲା ବେଳେ ଥାଇଲାଣ୍ଡ୍ ୧୨ ଓ ଭାରତ ୫ ଥର ବିଜୟୀ ହୋଇଛି। ଅବଶିଷ୍ଟ ୭ ମ୍ୟାଚ୍ ଅମୀମାଂସିତ ରହିଛି। ଶେଷଥର ପାଇଁ ଉଭୟ ଦଳ ୨୦୧୦ରେ ଦୁଇଥର ମୁହାଁମୁହିଁ ହୋଇଥିଲେ। ଆଉ ଉଭୟ ଥର ଥାଇଲାଣ୍ଡ୍ ଯଥାକ୍ରମେ ୨-୧ ଓ ୧-୦ ଗୋଲ୍ରେ ହିଁ ବାଜି ମାରିଥିଲା। ଅନ୍ୟପକ୍ଷରେ ଭାରତ ଶେଷ ଥର ପାଇଁ ୧୯୮୬ ମେର୍ଦେକା କପ୍ (କୁଆଲାଲୁମ୍ପୁର)ରେ ଥାଇଲାଣ୍ଡ୍କୁ ପରାସ୍ତ କରିଥିଲା।
ଭାରତ ଏହି ପ୍ରତିଯୋଗିତାରେ ୪ ଥର ଖେଳିବାର ସୁଯୋଗ ପାଇଥିଲା ବେଳେ ୧୯୬୪ ମସିହାରେ ଉପବିଜେତା ହେବା ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଆସିଛି। ଏହାପରେ ୧୯୮୪ ଓ ୨୦୧୧ ସଂସ୍କରଣରେ ଭାରତ ଦୁର୍ଭାଗ୍ୟଜନକ ଭାବେ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ତେବେ ଏବର ପ୍ରଦର୍ଶନକୁ ବିଚାର କଲେ ୧୯୬୪ ପରେ ପ୍ରଥମ ଥର ଲାଗି ଭାରତ ନିକଟରେ ପ୍ରିକ୍ବାର୍ଟର ଫାଇନାଲ୍ ପ୍ରବେଶ ସୁଯୋଗ ରହିଛି। ଅନ୍ୟପକ୍ଷରେ ଥାଇଲାଣ୍ଡ୍ର ଶ୍ରେଷ୍ଠ ପ୍ରଦର୍ଶନ ୧୯୭୨ (ତୃତୀୟ ସ୍ଥାନ)ରେ ରହିଥିଲା। ଏହାପରଠୁ ଥାଇଲାଣ୍ଡ୍ କେବେ ବି ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରିପାରିନାହିଁ। ଚଳିତ ଏଏଫ୍ସି କପ୍ ପୂର୍ବରୁ ଭାରତ ବିଶ୍ବକପ୍ ବିଜେତା ଇଟାଲି ପ୍ରଶିକ୍ଷକ ମାର୍ସେଲୋ ଲିପିଙ୍କ ଚୀନ୍ ଦଳ ସାଙ୍ଗକୁ ଓମାନ୍ ଦଳ ସହ ମୁକାବିଲାକୁ ଗୋଲ୍ଶୂନ୍ୟ ଅମୀମାଂସିତ ରଖିଥିଲା ବେଳେ ଜୋର୍ଡାନ୍ଠୁ ୧-୨ ଗୋଲ୍ରେ ହାରିଯାଇଥିଲା। ଏହି ତିନିଟି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ର ଫଳାଫଳ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ାଇଛି। ଫଳରେ ରବିବାର ଏଏଫ୍ସି କପ୍ର ପ୍ରଥମ ମୁକାବିଲାରେ ଥାଇଲାଣ୍ଡ୍କୁ ପରାସ୍ତ କରି ଭାରତ ଅଭିଯାନ ଆରମ୍ଭ କରିବ ବୋଲି ପ୍ରଶିକ୍ଷକ ଷ୍ଟିଫେନ୍ କୋନ୍ଷ୍ଟାଣ୍ଟିନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥରର ଭାରତୀୟ ଦଳର ଏକମାତ୍ର ସଦସ୍ୟ ଭାବେ ସୁନୀଲ ଛେତ୍ରୀ ଦ୍ବିତୀୟ ଥର ପାଇଁ ଏଏଫ୍ସି କପ୍ ଖେଳିବେ। ସେ ପୂର୍ବରୁ ୨୦୧୧ ସଂସ୍କରଣ ମଧ୍ୟ ଖେଳିଥିଲେ। ୨୦୧୧ ସଂସ୍କରଣରେ ଗୋଲ୍ରକ୍ଷକ ଗୁର୍ପ୍ରୀତ୍ ସିଂହ ସାନ୍ଧୁ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ। ଆଉ ଯଦି ଭାରତ ରବିବାର ଥାଇଲାଣ୍ଡ୍କୁ ପରାସ୍ତ କରେ ଏବଂ ପରବର୍ତୀ ଦୁଇଟି ମ୍ୟାଚ୍ରୁ ଗୋଟିଏ ଅମୀମାଂସିତ ରଖିପାରେ ତେବେ ପ୍ରି-କ୍ବାର୍ଟର ଫାଇନାଲ୍ରେ ପହଞ୍ଚିବା ନିଶ୍ଚିତ ହୋଇଯିବ। ଥାଇଲାଣ୍ଡ୍ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ଭାରତ ୧୦ରେ ଆୟୋଜକ ୟୁଏଇ ଏବଂ ୧୪ ତାରିଖରେ ବାହାରିନ୍ଙ୍କୁ ଭେଟିବ।