ଆଜିଠୁ ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳ ହକିର ପୁନଃଆରମ୍ଭ

ରାଉରକେଲା: ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଗତ ୨୦୧୬ ଡିସେମ୍ବର ୧୬ ତାରିଖରେ ଉଦ୍‌ଘାଟିତ ବହୁଚର୍ଚ୍ଚିତ ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା ଅଧାରେ ଅଟକି ରହିବାର ପ୍ରାୟ ଦେଢ଼ବର୍ଷ ପରେ ପୁଣି ଆୟୋଜିତ ହେବାକୁ ଯାଉଛି। ଆସନ୍ତାକାଲିଠାରୁ ରାଉରକେଲା ସେକ୍ଟର-୬ ବିଜୁ ପଟ୍ଟନାୟକ ହକି ଷ୍ଟାଡିିୟମରେ ଏହି ପ୍ରତିଯୋଗିତାର ନକ୍‌ ଆଉଟ୍‌ ପର୍ଯ୍ୟାୟ ପୁନଃଆରମ୍ଭ ହେବ। ପ୍ରାରମ୍ଭିକ ରାଉଣ୍ଡ୍‌ରେ ବିଜୟୀ ହୋଇଥିବା ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡର ମୋଟ୍‌ ୬୪ଟି ଦଳ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆସନ୍ତା ୨୨ ତାରିଖରେ ସେମିଫାଇନାଲ ଏବଂ ୨୩ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଶନିବାର ରାଉରକେଲା ପାନ୍ଥନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଦଳର ଅଧ୍ୟକ୍ଷ ଆନ୍ତର୍ଜାତିକ ହକି ତାରକା ତଥା ସାଂସଦ ଦିଲୀପ ତିର୍କି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ କାରଣରୁ ଟୁର୍ଣ୍ଣାମେଣ୍ଟଟି ଅଧାରେ ଅଟକି ରହିଥିଲା ତେଣୁ ଉଦ୍‌ଯାପନୀ ଉତ୍ସବ ବିଳମ୍ବ ହୋଇଛି। ଉଦ୍‌ଘାଟନୀ ଉତ୍ସବ ପରି ଉଦ୍‌ଯାପନୀ ଉତ୍ସବ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେବ। ବିଜେତା ଦଳକୁୁ ୩ ଲକ୍ଷ ଓ ଉପବିଜେତା ଦଳକୁୁ ୨ ଲକ୍ଷ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ୨୦୧୬ ଡିସେମ୍ବର ୧୬ ତାରିଖରେ ଗ୍ରାମାଞ୍ଚଳ ହକିକୁ ପ୍ରୋତ୍ସାହନ ଦେବାକୁ ଶ୍ରୀ ତିର୍କିଙ୍କ ଉଦ୍ୟମରେ ରାଉରକେଲାରେ ହକି ମହାକୁମ୍ଭ ଭାବେ ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡର ଗ୍ରାମାଞ୍ଚଳର ମୋଟ ୧୬୧୮ ଦଳ ଅଂଶଗ୍ରହଣ କରିବାଲାଗି ସ୍ୱୀକୃତି ଦେଇଥିଲେ। ଏମାନଙ୍କ ଭିତରୁ ମୋଟ୍‌ ୧୪୮୦ ଦଳ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଆୟୋଜକ କମିଟି ଦ୍ୱାରା ଗଠିତ ଦଳର ସଦସ୍ୟଙ୍କ ନେତୃତ୍ୱରେ ପ୍ରାରମ୍ଭିକ ପର୍ଯ୍ୟାୟର ମ୍ୟାଚ୍‌ଗୁଡ଼ିକ ଉପରୋକ୍ତ ତିନିଟି ରାଜ୍ୟରେ ଖେଳାଯାଇଥିଲା। ସେଥିରୁ ୬୪ ଦଳ ନକ୍‌ ଆଉଟ୍‌ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ୨୦୧୭ ମାର୍ଚ୍ଚ କିମ୍ବା ଏପ୍ରିଲ ମାସ ଶେଷ ସୁଦ୍ଧା ପ୍ରତିଯୋଗିତା ଶେଷ କରିବାକୁ ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ତାହା ହୋଇ ପାରି ନ ଥିଲା।

ସମ୍ବନ୍ଧିତ ଖବର