ଆଜିଠୁ ପ୍ରଥମ ଟେଷ୍ଟ୍‌, କୋହଲିଙ୍କ ୫ ବୋଲର ନୀତି, ଆଡିଲେଡ୍‌ରେ ଭାରତ ଖେଳିଛି ୧୧, ଜିତିଛି ମାତ୍ର ୧

ଆଡିଲେଡ୍‌: ୭୦ ବର୍ଷର କ୍ରିକେଟ୍‌ ସଂପର୍କ ମଧ୍ୟରେ ଅଷ୍ଟ୍ରେଲିଆରେ କେବି ବି ଟେଷ୍ଟ୍‌ ଶୃଙ୍ଖଳା ଜିତିପାରିନି ଭାରତ। ହେଲେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପୁଣି ଏକ ଟେଷ୍ଟ୍‌ ଶୃଙ୍ଖଳା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ୪ ମ୍ୟାଚ୍‌ ବିଶିଷ୍ଟ ଏହି ବହୁ ଚର୍ଚିତ ଶୃଙ୍ଖଳାର ପ୍ରଥମ ଲଢ଼େଇ ଆଡିଲେଡ୍‌ ଓଭାଲ୍‌ରୁ ହିଁ ଆରମ୍ଭ ହେବ। ଆଡିଲେଡ୍‌ରେ ଭାରତ ୧୧ ଟେଷ୍ଟ୍‌ ଖେଳିଥିବା ବେଳେ ମାତ୍ର ଗୋଟିଏ ଜିତିଛି ଓ ୩ ଅମୀମାଂସିତ ରଖିପାରିଛି। କେବଳ ରାହୁଲ୍‌ ଦ୍ରାବିଡ୍‌ଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୦୩-୦୪ରେ ଆଡିଲେଡ୍‌ରେ ହିଁ ଏକମାତ୍ର ବିଜୟ ପାଇଥିଲା। ସେହି ଟେଷ୍ଟ୍‌ରେ ଅଜିତ୍‌ ଆଗରକରଙ୍କ ୬ ୱିକେଟ୍‌ ଦଖଲ ହିଁ ଭାରତକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିଲା। ହେଲେ ଆଡି‌ଲେଡ୍‌ରେ କୋହଲିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ବହୁ ଉଚ୍ଚରେ ରହିଛି। ସେ ଏଠାରେ ୩ ଶତକ ଜମାଇବା ସହିତ ୯୮.୫୦ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ସେହି ଦୃଷ୍ଟିରୁ ବିରାଟ କୋହଲି ବ୍ୟକ୍ତିଗତ ପ୍ରଦର୍ଶନ ଦୋହରାଇବା ସାଙ୍ଗକୁ ପ୍ରଥମ ଟେଷ୍ଟ୍‌ ଜିତି ଆଡିଲେଡ୍‌ରେ ଦଳର ଖରାପ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚାହିଁବେ। ଉଭୟ ଦଳ ମଧ୍ୟ ବୁଧବାର ନିଜ ନିଜର ୧୨ ଜଣିଆ ଦଳ ଘୋଷଣା କରିସାରିଛନ୍ତି।

ରୋହିତ ଓ ବିହାରୀଙ୍କୁ ନେଇ ଦ୍ବନ୍ଦ୍ବ

ଆଡିଲେଡ୍‌ ଟେଷ୍ଟ୍‌ରେ ଭାରତ ୫ ବୋଲର ନୀତି ଆପଣାଇବ ବୋଲି ଅଧିନାୟକ ବିରାଟ କୋହଲି ସୂଚନା ଦେଇଛନ୍ତି। ସେଥି ମଧ୍ୟରେ ୪ ଜଣ ଆଗଧାଡ଼ିର ବୋଲର ଖେଳିବା ନିଶ୍ଚିତ ଥିଲା ବେଳେ ଷଷ୍ଠ ସ୍ଥାନକୁ ନେଇ ଏବେ ବି ଦ୍ବନ୍ଦ୍ବ ରହିଛି। ତିନି ଦ୍ରୁତ ବୋଲର ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ବ୍ୟତୀତ ବିଶେଷଜ୍ଞ ସ୍ପିନ୍‌ ଅଲ୍‌ରାଉଣ୍ଡର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଚୂଡାନ୍ତ ଏକାଦଶରେ ସ୍ଥାନ ସୁରକ୍ଷିତ କରିଛନ୍ତି। ହେଲେ ଜଣେ ଅତିରିକ୍ତ ବୋଲର ଭାବେ ଷଷ୍ଠ ସ୍ଥାନ ପୂରଣ ପାଇଁ ରୋହିତ ଶର୍ମା କିମ୍ବା ହନୁମା ବିହାରୀ ଖେଳିବେ ତାହା ନିଶ୍ଚିତ ହୋଇନାର୍ହି। ଆମେ କୌଣସିମତେ ମ୍ୟାଚ୍‌ରେ ହେଳା କରିବୁନି। ଅନ୍ୟ କୌଣସିଥିରେ ମନ ନଦେଇ କେବଳ ନିଜ ନିଜର ସାମର୍ଥ୍ୟ ମୁତାବକ ଖେଳିବୁ। ଏଥି ସହିତ ଅତୀତରେ କରିଥିବା ତ୍ରୁଟିକୁ ସୁଧାରିବା ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି।

ମିଚେଲ୍‌ ମାର୍ସ ବାଦ୍‌, ହ୍ୟାଣ୍ଡ୍‌ସ୍କମ୍ବ୍‌ ସାମିଲ

ଏହି ଟେଷ୍ଟ୍‌ ପାଇଁ ଘରୋଇ ଦଳ ଅଲ୍‌ରାଉଣ୍ଡର ମିଚେଲ ମାର୍ସଙ୍କୁ ବାଦ୍‌ ଦେଇ ତାଙ୍କ ସ୍ଥାନରେ ଜଣେ ଆଗଧାଡ଼ିର ବ୍ୟାଟ୍‌ସମ୍ୟାନ୍‌ଙ୍କୁ ନେବାକୁ ଅଧିକ ପସନ୍ଦ କରିଛି। ଫଳରେ ପିଟର ହ୍ୟାଣ୍ଡ୍‌ସ୍କମ୍ବ୍‌ ତାଙ୍କ ସ୍ଥାନ ନେଇଛନ୍ତି। ଅନ୍ୟପକ୍ଷରେ ନବାଗତ ମାର୍କସ୍‌ ହାରିସ୍‌ ପାଳି ଆରମ୍ଭ କରିବା ସ୍ପଷ୍ଟ କରିଛନ୍ତି ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍‌ ପାଇନ୍‌। ବ୍ୟାଟିଂରେ ଆରୋନ୍‌ ଫିଞ୍ଚ୍‌ ଉସ୍‌ମାନ ଖୱାଜା, ସନ୍‌ ମାର୍ସ ଦଳର ଶକ୍ତି ବୋଲି କହିଛନ୍ତି ପାଇନ୍‌। ନାଥନ୍‌ ଲିୟନ୍‌ ଆଡିଲେଡ୍‌ରେ ତାଙ୍କ ଚମକ ଦେଖାଇବେ ବୋଲି ପୂରା ବିଶ୍ବାସ ଥିବା କହିଛନ୍ତି ପାଇନ୍‌। ସେହିପରି ଦ୍ରୁତ ବୋଲରମାନେ ମଧ୍ୟ ପୂରା ତାଜା ଅଛନ୍ତି।

୧୨ ଜଣିଆ ଭାରତୀୟ ଦଳ: ଲୋକେଶ ରାହୁଲ୍‌, ମୁରଲୀ ବିଜୟ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା/ହନୁମା ବିହାରୀ, ଋଷଭ ପନ୍ତ୍‌ (ୱିକେଟ୍‌ରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶ୍‌ପ୍ରୀତ୍‌ ବୁମ୍‌ରା।

୧୨ ଜଣିଆ ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ୍‌, ମାର୍କସ୍‌ ହାରିସ୍‌, ଉସ୍‌ମାନ ଖୱାଜା, ସନ୍‌ ମାର୍ସ, ପିଟର ହ୍ୟାଣ୍ଡ୍‌ସ୍କମ୍ବ୍‌, ଟ୍ରାଭିସ୍‌ ହେଡ୍‌, ଟିମ୍ ପାଇନ୍‌ (ଅଧିନାୟକ/ୱିକେଟ୍‌ରକ୍ଷକ), ମିଚେଲ ଷ୍ଟାର୍କ, ପ୍ୟାଟ୍‌ କମିନ୍‌ସ, ନାଥନ୍‌ ଲିୟନ୍‌, ଜୋସ୍‌ ହାଜ୍‌ଲେଉଡ୍‌।

ମାଇଲଖୁଣ୍ଟଠୁ ୮ ରନ୍‌ ଦୂରରେ କୋହଲି

୨୦୧୪ ଗସ୍ତରେ ବିରାଟ କୋହଲି ଅଷ୍ଟ୍ରେଲିଆରେ ବ୍ୟକ୍ତିଗତ ଭାବେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୬୯୨ ରନ୍‌ କରି ଅଷ୍ଟ୍ରେଲୀୟ ଦ୍ରୁତ ବୋଲରମାନଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ। ମୋଟ ଉପରେ ଅଷ୍ଟ୍ରେଲିଆ ମାଟିରେ ଏପର୍ଯ୍ୟନ୍ତ କୋହଲି ଖେଳିଛନ୍ତି ମୋଟ ୮ ଟେଷ୍ଟ୍‌। ସେଥିରେ ସେ ୫ ଶତକ ଓ ୨ ଅର୍ଧଶତକ ସହାୟତାରେ ସଂଗ୍ରହ କରିଛନ୍ତି ୯୯୨ ରନ୍‌। ଅଷ୍ଟ୍ରେଲିଆରେ ତାଙ୍କର ହାରାହାରି ୬୨ ରହିଥିଲା ବେଳେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ୧୬୯ ରହିଛି। ଏଭଳି ସ୍ଥିତିରେ ଚଳିତ ଗସ୍ତରେ କୋହଲିଙ୍କ ପାଇଁ ଏକ ମାଇଲଖୁଣ୍ଟ୍‌ ଅପେକ୍ଷା କରିଛି। ଆଉ ମାତ୍ର ୮ ରନ୍‌ କଲେ ସେ ଅଷ୍ଟ୍ରେଲିଆରେ ୧୦୦୦ ଟେଷ୍ଟ୍‌ ରନ୍‌ ପୂରଣ କରିବାର ମାଇଲଖୁଣ୍ଟ୍‌ ପ୍ରତିଷ୍ଠା କରିବେ। ଏଥି ସହିତ ‌କୋହଲି ମଧ୍ୟ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର (୧୮୦୯), ଭିଭିଏସ୍‌ ଲକ୍ଷ୍ମଣ (୧୨୩୬) ଓ ରାହୁଲ୍‌ ଦ୍ରାବିଡ୍‌ (୧୧୪୩)ଙ୍କ ପରେ ଚତୁର୍ଥ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ୧୦୦୦ ଟେଷ୍ଟ୍‌ ରନ୍‌ କ୍ଲବ୍‌ରେ ନିଜ ନାମକୁ ସାମିଲ କରିପାରିବେ। ଅଷ୍ଟ୍ରେଲିଆରେ ଭାରତ ଆଡିଲେଡ୍‌ ପରେ ପର୍ଥ, ମେଲ୍‌ବର୍ନ ଓ ସିଡ୍‌ନିରେ ପରବର୍ତୀ ତିନିଟି ଟେଷ୍ଟ୍‌ ଖେଳିବ।

ଏଠାରେ ସୂଚନାଯୋଗ୍ୟ, କୋହଲି ଚଳିତ ବର୍ଷ ୧୮ ଟେଷ୍ଟ୍‌ ଖେଳି ୧୦୬୩ ରନ୍‌ ଯୋଡ଼ି ସାରିଛନ୍ତି। ଏକ୍ଷେତ୍ରରେ ସେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ (୯୪୮ ରନ୍‌, ୨୪ ପାଳି)ଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିଟି ଟେଷ୍ଟ୍‌ରେ ୨୮୬ ରନ୍‌ କରିଥିଲା ବେଳେ ଭାରତ ୧-୨ରେ ହାରିଥିଲା। ସେହିପରି ଗତ ଇଂଲଣ୍ଡ୍‌ ଗସ୍ତରେ କୋହଲି ୫୯୩ ରନ୍‌ କରିଥିଲେ ମଧ୍ୟ ଭାରତ ୧-୪ରେ ଶୃଙ୍ଖଳା ହାରିଯାଇଥିଲା।

ସୀମା ଟପିବୁନି: କୋହଲି

ଗୁରୁବାରଠାରୁ ଆରମ୍ଭ ହେଉଥିବା ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‌ ଶୃଙ୍ଖଳାରେ ଉଭୟ ଦଳ ସୀମା ଟପିବେ ନାହିଁ। ସ୍ଲେଜିଂ କଲା ବେଳେ ସେମାନେ ଲକ୍ଷ୍ମଣ ରେଖା ଭିତରେ ରହିବେ। ଏଭଳି ଆଶା ବ୍ୟକ୍ତ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ତା’ ସହିତ ଲକ୍ଷ୍ମଣ ରେଖା ପାଇଁ ଦୁଇ ଦଳ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ଯୁଦ୍ଧ ତା’ର ଚମକ ନହରାଉ ବୋଲି କୋହଲି ବୁଧବାର ଆଗ୍ରହ ପ୍ରକାଶ କରିଛନ୍ତି। ଅତୀତରେ ଦୁଇ ଦଳର ଖେଳାଳି ସବୁ ସୀମା ଟପି ଯାଇଥିଲେ। ଏଥର କିନ୍ତୁ ସେମାନେ ଏଭଳି କିଛି କରି‌ବେ ନାହିଁ ବୋଲି ମୋର ଆଶା ଓ ବିଶ୍ବାସ। ହେଲେ କ୍ରିକେଟ୍ ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଖେଳ। ଏହା ଏକ ଅନ୍ତର୍ଜାତୀୟ କ୍ରିକେଟ୍ ଲଢ଼େଇ ମଧ୍ୟ। ଆମେ ଚାହୁଁନାହୁଁ ଯେ ଖେଳାଳିମାନେ କେବଳ ବୋଲିଂ ଓ ବ୍ୟାଟିଂ କରି ସୁନା ପିଲା ଭଳି ପ୍ୟାଭିଲିୟନ ଫେରି ଯାଆନ୍ତୁ। ଏନେଇ ମ୍ୟାଚ୍ ପୂର୍ବଦିନର ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି। କୋହଲିଙ୍କ ମନ୍ତବ୍ୟରୁ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଯେ ସ୍ଲେଜିଂ ତଡକା ଲାଗିବାକୁ ଯାଉଛି ତା’ର ସ୍ପଷ୍ଟ ସଙ୍କେତ ମିଳିଛି।

ଭାରତ ଭ୍ରମରେ ଅଛି: ଲାଙ୍ଗର୍‌

ଭାରତୀୟ କ୍ରିକେଟ୍ ଦଳ ଶିକାରର ଗନ୍ଧ ବାରି ନେଇଛି, ହେଲେ ସେମାନେ ଭ୍ରମରେ ଅଛନ୍ତି। ଚାରି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ଆମ ଅପେକ୍ଷା ସେମାନଙ୍କ ଉପରେ ଅଧିକ ଚାପ ରହିବ, ଅଷ୍ଟ୍ରେଲିଆ ଦଳ ବିବାଦ ଘେରରେ ଥିବାରୁ ଭାରତ ଏହାକୁ ଏକ ସୁଯୋଗ ଭାବେ ଦେଖୁଛି, ଆମେ ମଧ୍ୟ ୨୦୦୪ ଭାରତ ଗସ୍ତରେ ଠିକ୍ ଏହିଭଳି ସ୍ଥିତିରେ ଥିଲୁ ଏବଂ ଅଳ୍ପକେ ଭାରତରେ ଶୃଙ୍ଖଳା ଜିତିବାରୁ ବଞ୍ଚିତ ହୋଇଥିଲୁ।

ସମ୍ବନ୍ଧିତ ଖବର