ଆଜିଠୁ ନୂଆ ଢଙ୍ଗରେ କଳାହାଣ୍ଡି କପ୍‌

ପ୍ରଥମ ଥର ଦିନିକିଆ ଖେଳାଯିବ କଟକ ‘ଏ’ ପଟୁ ଖେଳିବେ ଅଭିଷେକ

କଟକ: ଦୁଇ ବର୍ଷ ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ର ସର୍ବଶ୍ରେଷ୍ଠ ଘରୋଇ କ୍ରିକେଟ ପ୍ରତିଯୋଗିତା କଳାହାଣ୍ଡି କପ୍‌ ଶୁକ୍ରବାରଠୁ ଆରମ୍ଭ ହେଉଛି। ଦୁଇ ଦିନିଆ ପ୍ରତିଯୋଗିତାକୁ ଏଥର ସଂପୂର୍ଣ୍ଣ ଭିନ୍ନ ଢ଼ଙ୍ଗରେ ଖେଳାଯିବାକୁ ଓସିଏ ପରିଚାଳନା ସମିତି ନିଷ୍ପତ୍ତି ନେଇଛି। ସବୁ ମ୍ୟାଚଗୁଡ଼ିକ ଦିନିକିଆ ଭିତ୍ତିରେ ଖେଳାଯିବ। ପୂର୍ବରୁ ପ୍ରତିଯୋଗିତା ଦୁଇ ଦିନିଆ ଖେଳାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଦିନିକିଆ, ଦୁଇ ଦିନିଆ ଓ ଟେ୍ଵଣ୍ଟି-୨୦ ଶୈଳୀରେ ପ୍ରତିଯୋଗିତା ଚାଲିଲା। ହେଲେ ପାଣ୍ଠି ଅଭାବରୁ ପ୍ରତିଯୋଗିତା ଦୁଇ ବର୍ଷ ଧରି ବନ୍ଦ ରହିବା ଯୋଗୁଁ ଚଳିତ ବର୍ଷଠୁ ବାକିରେ କଳାହାଣ୍ଡି କପ୍‌ ଆୟୋଜନ ପାଇଁ ସଂଘ ନିଷ୍ପତ୍ତି ନେଇଛି। ଫଳରେ ନୂଆ ଶୈଳୀରେ ୧୨ଟି ଗ୍ରୁପରେ ବିଭକ୍ତ ହୋଇଥିବା ୩୭ ଦଳକୁ ନେଇ ମାତ୍ର ୧୧ ଦିନରେ ୩୯ ମ୍ୟାଚ ଖେଳାଯିବ। ଲିଗ୍‌, ସୁପରଲିଗ୍‌, ସେମି ଫାଇନାଲ ଓ ଫାଇନାଲ୍‌ ମଧ୍ୟରେ ଆଉ ୩ଦିନ ବିଶ୍ରାମ ଦିନ ରଖାଯାଇଛି। ଫଳରେ ୧୪ ତାରିଖରେ ପ୍ରତିଯୋଗିତା ସରିବ। ୧ରୁ ୩ ତାରିଖ ପର୍ଯ୍ୟନ୍ତ ୮ଟି ଲେଖାଏଁ, ୫ରୁ ୭ ତାରିଖ ପର୍ଯ୍ୟନ୍ତ ୫ଟି ଲେଖାଏଁ ମ୍ୟାଚ ପ୍ରତ୍ୟେକ ଗ୍ରୁପ୍‌ରୁ ଖେଳାଯିବ। ପ୍ରତ୍ୟେକ ଗ୍ରୁପ୍‌ର ବିଜେତାଙ୍କୁ ନେଇ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସୁପରଲିଗ୍‌ ଖେଳାଯିବ। ପ୍ରତ୍ୟେକ ଦିନ ୪ଟି ଲେଖାଏଁ ମ୍ୟାଚ ଅନୁଷ୍ଠିତ ହେବ। ୧୩ରେ ସେମି ଫାଇନାଲ୍‌ ଓ ୧୪ରେ ଫାଇନାଲ୍‌ ମ୍ୟାଚ ଅନୁଷ୍ଠିତ ହେବ। ସମସ୍ତ ମ୍ୟାଚଗୁଡ଼ିକ ବିଡ଼ାନାସୀ, ସନ୍‌ସାଇନ୍‌, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧ ଓ ୨ ନମ୍ବର ପଡ଼ିଆ, ବୋସ୍‌, ଏସ୍‌ସିବି, ନିମପୁର, ଡ୍ରିମ୍ସ ପଡ଼ିଆରେ ଖେଳାଯିବ।

ମହାରାଷ୍ଟ୍ର ପକ୍ଷରୁ ରଣଜୀ ଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍‌ ଖେଳିଥିବା ଅଲରାଉଣ୍ଡର ଅଭିଷେକ ରାଉତ ଚଳିତ ବର୍ଷ ପ୍ରଥମ ଥର କଳାହାଣ୍ଡି କପ୍‌ରେ ଖେଳିବାକୁ ଯାଉଛନ୍ତି। ତାଙ୍କୁ କଟକ ‘ଏ’ ଦଳରେ ସାମିଲ କରାଯାଇଛି। ଗତ ଋତୁରେ ଓଡ଼ିଶା ରଣଜୀ ଦଳରେ ଖେଳିବାକୁ ଆଶା ନେଇ ଆସିଥିବା ଅଭିଷେକ ଟ୍ରାଏଲ୍ସରେ ଭଲ ପ୍ରଦର୍ଶନ କରିଥିଲେ ବି ରଣଜୀ ଦଳରେ ସ୍ଥାନ ପାଇପାରିନଥିଲେ। ତେବେ ଓଡ଼ିଶା ପାଇଁ ୪ ଟେ୍ଵଣ୍ଟି-୨୦ ଓ ୪ ଦିନିକିଆ ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିଲେ। ଓଡ଼ିଶା ପାଇଁ ଗତ ଋତୁରେ ଆସାମ ବିପକ୍ଷରେ ଟେ୍ଵଣ୍ଟି-୨୦ ଖେଳିଥିଲାବେଳେ ଅଭିଷେକ ତାଙ୍କର ଶ୍ରେଷ୍ଠ (୩/୧୪) ପ୍ରଦର୍ଶନ ଦେଇଥିଲେ। ଏଥିରେ ସେ ମୋଟ ୫ ଓ୍ଵିକେଟ ଅକ୍ତିଆର କରିଥିଲାବେଳେ ୪୫ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଦିନିକିଆରେ ମଧ୍ୟ ଓଡ଼ିଶା ପାଇଁ ଖେଳୁଥିବାବେଳେ ରେଳବାଇ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ (୩/୪୫) ଦେଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ସେହିପରି ବ୍ୟାଟିଂରେ ମଧ୍ୟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଏହି ଋତୁରେ ଆସିଥିଲା। କର୍ଣ୍ଣାଟକ ବିପକ୍ଷରେ ସଂଗ୍ରହ କରିଥିବା ୩୬ ରନ୍‌ ତାଙ୍କ ଲିଷ୍ଟ ‘ଏ’ର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ଏଥିସହିତ ୪ ଦିନିକିଆରୁ ୭ ଓ୍ଵିକେଟ ସହ ସେ ୮୧ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର