ଆଜିଠୁ ଜାତୀୟ ଉପକନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌, ଭାଗ ନେବେ ଏସୀୟ ବିଜୟିନୀ ତସ୍‌ମିନ୍‌

ଓଡ଼ିଶାରୁ ଶ୍ବେତପର୍ଣ୍ଣା, ଆୟୁଷଙ୍କ ସହ ୨୨ ଖେଳାଳି

ଭୁବନେଶ୍ବର: ୩୩ତମ ଜାତୀୟ ଉପକନି‌ଷ୍ଠ (୧୫ ଓ ୧୭ ବର୍ଷରୁ କମ୍‌) ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ମଙ୍ଗଳବାରଠୁ ଭୁବନେଶ୍ବରେ ଆରମ୍ଭ ହେବ। ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତି‌ଯୋଗିତାରେ ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଖେଳାଳିମାନେ ଭାବେ ନେବେ। ୨୮୦ ବାଳକ ଓ ୨୬୦ ବାଳିକା ପ୍ରତିଯୋଗୀଙ୍କ ସହ ପ୍ରଶିକ୍ଷକ ଓ ଅଧିକାରୀଙ୍କୁ ‌ମିଶାଇ ମୋଟ ୬୦୦ ରୁ ଊର୍ଧ୍ବ ଭାଗନେବେ। ଏଥିରେ ୫୨ ଅନ୍ତର୍ଜାତୀୟ ଖେଳାଳି ସହ ଇଣ୍ଡୋନେସିଆର ସୁରାବାୟାରେ ସଦ୍ୟ ସମାପ୍ତ ଏସୀୟ କନିଷ୍ଠ (୧୫ ବର୍ଷରୁ କମ୍‌) ପ୍ରତିଯୋଗିତା ବିଜୟିନୀ ଗୁଜୁରାଟର ତସ୍‌ମିନ ମିର ଓ ଉପବିଜୟିନୀ ମହାରାଷ୍ଟ୍ରର ତାରା ଶାହଙ୍କ ଆକ୍ସନ ଦେଖିବାକୁ ମିଳିବ। ଓଡ଼ିଶାର ଦୁଇ ଅନ୍ତର୍ଜାତୀୟ ତାରକା ଶ୍ବେତପର୍ଣ୍ଣା ପଣ୍ଡା (୧୫ ବର୍ଷରୁ କମ୍‌ ବାଳିକା) ଓ ଭାରତର ଶୀର୍ଷ ମାନ୍ୟତା ଆୟୁଷ ପଟ୍ଟନାୟକ (୧୭ ବର୍ଷରୁ କମ୍‌ ବାଳକ) ମଧ୍ୟ ନିଜ ମାଟିରେ କମାଲ କରିବାର ସୁଯୋଗ ପାଇଛନ୍ତି। ଏହି ପ୍ରତିଯୋଗିତା ଲାଗି ଘୋଷିତ ୨୨ ଜଣିଆ ଓଡ଼ିଶା ଦଳରେ ସ୍ଥାନ ଶ୍ବେତପର୍ଣ୍ଣା ଓ ଆୟୁଷ ସ୍ଥାନ ପାଇଥିଲେ ମଧ୍ୟ ଏମାନେ ସିଧାସଳଖ ଯୁଗଳ ଓ ମିଶ୍ରିତ ଯୁଗଳର ମୁଖ୍ୟ ପର୍ଯ୍ୟାୟରେ ଖେଳିବେ।

ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ (ଓଏସ୍‌ବିଏ) ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜନ ହେଉଛି। ‌‌ଉଭୟ ୧୫ ଓ ୧୭ ବର୍ଷ ବୟସ ବର୍ଗରେ ବାଳକ, ବାଳିକା ଏକକ ଓ ଯୁଗଳ ଏବଂ ମିଶ୍ରିତ ‌ଯୁଗଳରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତା ଲାଗି ୧ କୋଟି ଟଙ୍କାର ବଜେଟ ହୋଇଥିଲା ବେଳେ ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘର ନିୟମାନୁଯାୟୀ ମୋଟ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଏସ୍‌ବିଏ ସଭାପତି ରୋହିତ ପୂଜାରୀ ସୂଚନା ଦେଇଛନ୍ତି। କ୍ବାର୍ଟର ଫାଇନାଲ୍‌ରୁ ପୁରସ୍କାର ପ୍ରଦାନ କରାଯିବ। ୧୭ ବର୍ଷରୁ କମ୍‌ ଉଭୟ ବାଳକ ଓ ବାଳିକା ଏକକରେ ବିଜେତାଙ୍କୁ ୪୪, ୦୦୦ ଟଙ୍କା ଲେଖାଏଁ ଏବଂ ଯୁଗଳ ଓ ମିଶ୍ରିତରେ ୪୬, ୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ୧୫ ବର୍ଷରୁ କମ୍‌ ବାଳକ ଓ ବାଳିକା ଏକକ ବିଜେତାଙ୍କୁ ୪୨, ୦୦୦ ଟଙ୍କା ଲେଖାଏଁ ଏବଂ ଯୁଗଳ ଓ ମିଶ୍ରିତ ଯୁଗଳରେ ୪୪,୦୦୦ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ବୋଲି ରୋହିତ ସୂଚନା ପ୍ରଦାନ କରିଥିଲେ। ସହିଦ ନଗର ଇନ୍‌ଡୋର ହଲ୍‌ରେ କେବଳ ଲିଗ୍‌ ପର୍ଯ୍ୟାୟ ‌ଖେଳାଯିବାକୁ ଥିଲା ବେଳେ ରେଳବାଇ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ସହ ଲିଗ୍‌ ଓ ସମସ୍ତ ନକ୍‌ଆଉଟ୍‌ ମ୍ୟାଚ୍‌ ଖେଳଯିବ। ଏହି ଦୁଇ ‌ଷ୍ଟାଡିୟମରେ ନୂଆ କରି ନିର୍ମିତ ସିନ୍ଥେଟିକ୍‌ କୋର୍ଟରେ ମ୍ୟାଚ୍‌ଗୁଡ଼ିକ ‌ଖେଳାଯିବ ବୋଲି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ ସଚିବ (ଇଭେଣ୍ଟ୍‌ସ) ଓମାର ରସିଦ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତାର କନ୍‌ଭେନର ରାଜେଶ ପାଟିଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର