ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ବନ୍ଧୁକଚାଳନା ଅନୁପସ୍ଥିତି ଭାରତକୁ ବାଧିବ, ସିନ୍ଧୁ ଧରିବେ ତ୍ରିରଙ୍ଗା

୨୦୧୦ରେ ଶ୍ରେଷ୍ଠ ପ୍ରଦର୍ଶନ, ଶ୍ରେଷ୍ଠ-୫ ସ୍ଥାନ ନେଇ ଆଶଙ୍କା

ନୂଆଦିଲ୍ଲୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗୁରୁବାରଠାରୁ ଆରମ୍ଭ ହେବ। ଏହି ବହୁରାଷ୍ଟ୍ରୀୟ କ୍ରୀଡ଼ାକୁ ଭାରତ ୨୦୦ ଖେଳାଳିଙ୍କ ସହ ଏକ ୩୦୦ ଜଣିଆ ବଡ଼ ଦଳ ପଠାଇଛି। ପୁଣି ଏଥିରେ ଟୋକିଓ ଅଲିମ୍ପିକ୍ସ ଭଳି ସଫଳତାର ନୂଆ ସ୍ତର ଛୁଇଁବାକୁ ଲକ୍ଷ୍ୟ ରଖିଛି। ତେବେ ବନ୍ଧୁକଚାଳନା ବା ସୁଟିଂର ଅନୁପସ୍ଥିତି ଭାରତୀୟ ଦଳ ପାଇଁ ନିଶ୍ଚିତ ଭାବେ ଏକ ଶକ୍ତ ଧକ୍କା। କାରଣ ଅତୀତରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବନ୍ଧୁକଚାଳନାରୁ ରେକର୍ଡ ସଂଖ୍ୟକ ପଦକ ଜିତିଛି। ବନ୍ଧୁକଚାଳନାରେ ଚମତ୍କାର ପ୍ରଦର୍ଶନ କରି ହିଁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଖେଳାଯାଇଥିବା ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ତାଲିକାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପଛକୁ ଭାରତ ତୃତୀୟ ସ୍ଥାନ ଅଧିକାର କରିଥିଲା। ଏହି ସଂସ୍କରଣ‌ରେ ଭାରତୀୟ ଦଳ ୨୬ ସ୍ବର୍ଣ୍ଣ ପଦକ ସହ ମୋଟ ୬୬ ପଦକ କରାୟତ୍ତ କରିଥିଲା। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୦ ନୂଆଦିଲ୍ଲୀରେ ଆସିଥିଲା। ସେଥର ଘରୋଇ ପରିବେଶରେ ଭାରତ ୩୮ ସ୍ବର୍ଣ୍ଣ ସହ ମୋଟ ୧୦୧ ପଦକ ଜିତିଥିଲା।

୨୦୧୦ରେ ଶ୍ରେଷ୍ଠ ପ୍ରଦର୍ଶନ
ସ୍ବାଧୀନତା ପରେ ଭାରତ ଆଜି ପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ତିନିଟି ସଂସ୍କରଣ ଯଥା ୧୯୫୦ (ଅକଲାଣ୍ଡ, ନ୍ୟୁଜିଲାଣ୍ଡ), ୧୯୬୨ (ପର୍ଥ, ଅଷ୍ଟ୍ରେଲିଆ), ୧୯୮୬ (ଏଡିନବର୍ଗ, ସ୍କଟଲାଣ୍ଡ)‌ରେ ଅଂଶଗ୍ରହଣ କରି ନଥିଲା। ଅନ୍ୟପକ୍ଷରେ ୧୯୫୪ର ଭାଙ୍କୋଭର (କାନାଡା) ସଂସ୍କରଣରେ ପଦକ ଶୂନ୍ୟ ରହିଥିଲା। ସେଠାରୁ ୨୦୧୦ରେ ପଦକ ତାଲିକାର ଦ୍ବିତୀୟ ସ୍ଥାନରେ ରହିବା ପର୍ଯ୍ୟନ୍ତ, ଭାରତ ଏହି ପ୍ରତିଯୋଗିତାରେ ଲମ୍ବା ପଥ ଅତିକ୍ରମ କରିସାରିଛି। ତେବେ ୨୦୦୨ ମସିହାରେ ଭାରତ ପ୍ରଥମ ଥର ଲାଗି ଶ୍ରେଷ୍ଠ ୪ (୩୦ ସ୍ବର୍ଣ୍ଣ ସହ ୬୯ ପଦକ) ଦଳ ମଧ୍ୟରେ ରହିଥିଲା। ୨୦୦୬ର ମେଲ୍‌ବର୍ଣ୍ଣ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ସଂଖ୍ୟା ୫୦କୁ କମି ଆସିଥିଲେ ମଧ୍ୟ ଭାରତୟ ଦଳ ସେହି ଚତୁର୍ଥ ସ୍ଥାନରେ ସ୍ଥିର ରହିଥିଲା। ୨୦୧୦ର ସର୍ବଶ୍ରେଷ୍ଠ ସ୍ଥାନ ଦ୍ବିତୀୟରୁ ୨୦୧୪ର ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ନୈରାଶ୍ୟଜନକ ଭାବେ ପଞ୍ଚମ ସ୍ଥାନ ଅଧିକାର କରିଥିଲା। ‌୨୦୧୮‌ରେ ଭାରତ ୨୬ ସ୍ବର୍ଣ୍ଣ ସହ ୬୬ ପଦକ ଜିତିଥିଲା।

ଏଥରର ସମ୍ଭାବନା?
ବନ୍ଧୁକଚାଳନା ନଥିବାରୁ ଭାରତ ଏଥର କୁସ୍ତି, ଭାରୋତ୍ତୋଳନ, ବ୍ୟାଡମିଣ୍ଟନ୍, ମୁଷ୍ଟିଯୁଦ୍ଧ, ଟେବୁଲ ଟେନିସ୍, ଦୌଡ଼କୁଦ ଭଳି ଖେଳରୁ ପଦକ ଜିତିବାକୁ ଆଶା ରଖିଛି। ବନ୍ଧୁକଚାଳନା ସହ ତୀରନ୍ଦାଜିର ଅନୁପସ୍ଥିତି ମଧ୍ୟ ଭାରତ ପାଇଁ ଏହି କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ହୋଇପାରେ। କାରଣ ଏହି ଦୁଇ ଖେଳରୁ ଭାରତ ପାରମ୍ପରିକ ଭାବେ ବହୁ ପଦକ ଜିତିଥାଏ। ଗତ ତିନି ସଂସ୍କରଣ ହେବ ଭାରତ କୁସ୍ତିରୁ ଦୁଇ ଅଙ୍କ ବିଶିଷ୍ଟ ପଦକ ଜିତି ଆସୁଛି। ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆଙ୍କ ନେତୃତ୍ବରେ ଭାରତ ଗୋଲ୍ଡକୋଷ୍ଟରେ ୫ ସ୍ବର୍ଣ୍ଣ ସହ ୧୨ ପଦକ ଜିତିଥିଲା। ଏଥର ବି ଭାରତ କୁସ୍ତିରୁ ୧୦ରୁ ଅଧିକ ପଦକ ଜିତିବାକୁ ଲକ୍ଷ୍ୟ ରଖିଛି। କୁସ୍ତି ଭଳି ଭାରୋତ୍ତୋଳନ ଉପରେ ଭାରତର ଢେର ଆଶା ରହିବ। ୨୦୧୮ ମସିହାରେ ଭାରତୀୟ ଦଳ ଭାରୋତ୍ତୋଳନରେ ସର୍ବାଧିକ ପଦକ ୫ ସ୍ବର୍ଣ୍ଣ ସହ ୯ ପଦକ ଜିତିଥିଲା। ଏଥର ଭାରତ ୧୫ ଜଣିଆ ଶକ୍ତିଶାଳୀ ଦଳ ପଠାଇଛି। ଏଣୁ ଗତଥରଠାରୁ ଅଧିକ ପଦକ ଜିତିବା‌ ଆଶାରେ ଅଛି। ଭାରୋତ୍ତୋଳନ ଭଳି ବ୍ୟାଡମିଣ୍ଟନ୍‌ରେ ମଧ୍ୟ ଭାରତର ‌ଦୃଢ଼ ଆଶା ଥିବ। ବ୍ୟାଡମିଣ୍ଟନ୍‌ରେ ମଧ୍ୟ ଭାରତ ଗତଥର ପଦକ ତାଲିକାର ଶୀର୍ଷରେ ରହିଥିଲା। ୨୦୧୮ରେ ଭାରତ ବ୍ୟାଡମିଣ୍ଟନରୁ ୨ ସ୍ବର୍ଣ୍ଣ ପଦକ ଜିତିଥିଲା। ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତ, ଚିରାଗ ସେଟ୍ଟୀ, ସାତ୍ବିକସାଇରାଜ ରାଙ୍କିରେଡ୍ଡୀଙ୍କ ଭଳି ଖେଳାଳି ଥିବାରୁ ଭାରତ ଏଥର ତା’ଠାରୁ ଅଧିକ ପଦକ ଜିତିବା ଲକ୍ଷ୍ୟରେ ରହିବ। ଅନ୍ୟ ଏକ ବର୍ଗ ମୁଷ୍ଟିଯୁଦ୍ଧରୁ ୩ ସ୍ବର୍ଣ୍ଣ ସହ ଗତଥର ୯ ପଦକ ଜିତିଥିଲା। ଏଥର ତା’ଠାରୁ ଅଧିକ ପଦକ ଜିତିବା ଆଶାରେ ରହିଛି। ଟିଟି (ଟେବୁଲ ଟେନିସ) ଅନ୍ୟ ଏକ ଖେଳ ଯେଉଁଥିରୁ ଭାରତ ୮ ପଦକ ଜିତିଥିଲା। ଏଥର ଅନ୍ୟୂନ ଡଜନେ ପଦକ ଜିତିବାକୁ ଲକ୍ଷ୍ୟରେ ଥିବ।

ଶ୍ରେଷ୍ଠ-୫ ସ୍ଥାନ ନେଇ ଆଶଙ୍କା
୨୦୦୨ରୁ ଏପର୍ଯ୍ୟନ୍ତ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶ୍ରେଷ୍ଠ-୫ ମଧ୍ୟରେ ରହିଆସିଛି। ହେଲେ ଏଥର ବନ୍ଧୁକଚାଳନାକୁ ବାଦ୍‌ ଦିଆଯାଇଥିବାରୁ ଏହି ସ୍ଥାନ ବଜାୟ ରଖିବା ନେଇ ଆଶଙ୍କାରେ ପଡ଼ିଯାଇଛି ଭାରତ। ପୁଣି ପଦକ ଦାବିଦାର ନୀରଜ ଚୋପ୍ରା ଆହତ ଯୋଗୁଁ ଓହରିଯିବାରୁ ଭାରତକୁ ଶକ୍ତ ଝଟ୍‌କା ଲାଗିଛି।ଏଠାରେ ସୂଚନାଯାଗ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୂର୍ବ ସଂସ୍କରଣ (୨୦୧୮ ଗୋଲ୍‌ଡକୋଷ୍ଟ) ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିଲା ବେଳେ ଭାରତ ୨୬ ସ୍ବର୍ଣ୍ଣ ସହ ମୋଟ ୬୬ ପଦକ ଜିତି ତାଲିକାର ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଏଥର ଏଥିରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛି ଭାରତ।

ବାହାରକୁ ନଯିବା ପାଇଁ ଆଇଓଏର ପରାମର୍ଶ
ସଂପ୍ରତି କୋଭିଡ୍‌-୧୯ର ସଂକ୍ରମଣ ବୃଦ୍ଧି ପାଉଥିବା‌ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ଆସିଥିବା ଭାରତୀୟ ଆଥ୍‌ଲେଟ୍‌ଙ୍କୁ ସାଧାରଣ ସ୍ଥାନକୁ ନଯିବା ପାଇଁ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ବାରଣ କରିଛି। ବର୍ମିଂହାମ୍‌ରେ ସର୍ବସାଧାରଣ ସ୍ଥାନରେ ଅଧିକ ସମୟ ନବିତାଇବା ପାଇଁ ଆଥ୍‌ଲେଟ୍‌ମାନଙ୍କୁ ପରାମର୍ଶ ଦେଇଛି। ଏପରି କଲେ ସ୍ବାସ୍ଥ୍ୟ ବିଗିଡ଼ିଯିବା ସାଙ୍ଗକୁ ପ୍ରତିଯୋଗିତାରେ ଅଂଶଗ୍ରହଣ ନେଇ ଆଶଙ୍କା ଉପୁଜିବ ବୋଲି ଚେତାଇ ଦେଇଛି। ଏଠାରେ ସୂଚନାଯୋଗ୍ୟ, ଭାରତୀୟ ଆଥ୍‌ଲେଟ୍‌ମାନେ ୫ ଭିନ୍ନ ଭିନ୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମରେ ଅବସ୍ଥାନ କରୁଛନ୍ତି।

ସିନ୍ଧୁ ଧରିବେ ତ୍ରିରଙ୍ଗା

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟନୀ ସମାରୋହରେ ଗୁରୁବାର ଦୁଇ ଥର ଅଲିମ୍ପିକ୍ସ ପଦକଧାରୀ ବ୍ୟାଡ୍‌ମିଣ୍ଟନ ତାରକା ପିଭି ସିନ୍ଧୁ ଭାରତୀୟ ତ୍ରିରଙ୍ଗା ବାହକ ହେବେ। ନୀରଜ ଚୋପ୍ରା ଆହତ ଯୋଗୁଁ ଓହରିଯିବା ପରେ କିଏ ତ୍ରିରଙ୍ଗା ଧରିବେ ସେ ନେଇ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ଅଡୁଆରେ ପଡ଼ିଥିଲା। ତେବେ ତିନି ଜଣଙ୍କ ନାମ କାଣ୍ଟଛାଣ୍ଟ ତାଲିକାରେ ସାମିଲ କରିଥିଲା। ଶେଷରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ଭାରୋତ୍ତୋଳିକା ମୀରାବାଇ ଚାନୁ ଏବଂ ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବୋର୍ଗୋହାଁଙ୍କ ଅପେକ୍ଷା ସିନ୍ଧୁଙ୍କୁ ଅଧିକ ପସନ୍ଦ କରିଥିଲା ଆଇଓଏ। ଏନେଇ କାର୍ଯ୍ୟକାରୀ ସଭାପତି ଅନିଲ ଖାନ୍ନା, ମହାସଚିବ ରାଜୀବ ମେହଟା, କୋଷାଧ୍ୟକ୍ଷ ଆନନ୍ଦେଶ୍ବର ପାଣ୍ଡେ ଏବଂ ଭାରତୀୟ ଦଳର ଚିଫ୍‌ ଡି ମିସନ ରାଜେଶ ଭଣ୍ଡାରିଙ୍କୁ ନେଇ ଗଠିତ ଆଇଓଏର ୪ ଜଣିଆ କମିଟି ବୁଧବାର ସିନ୍ଧୁଙ୍କ ନାମ ଚୂଡାନ୍ତ କରିଥିଲା। ଏହା ପୂର୍ବରୁ ସିନ୍ଧୁ ମଧ୍ୟ ୨୦୧୮ ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତ୍ରିରଙ୍ଗାଧାରକ ଥିଲେ।

ସମ୍ବନ୍ଧିତ ଖବର