ଆଜିଠୁ ସୁପର-୪ ମୁକାବିଲା

ବାଂଲାଦେଶକୁ ହରାଇଲା ଆଫ୍‌ଗାନିସ୍ତାନ

ଆବୁଧାବି: ଚଳିତ ଏସିଆ କପ୍‌ରେ ଶୁକ୍ରବାରଠୁ ସୁପର-୪ ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍‌-ଏରୁ ଭାରତ ଓ ପାକିସ୍ତାନ ଏବଂ ଗ୍ରୁପ୍‌-ବିରୁ ଆଫ୍‌ଗାନିସ୍ତାନ ଓ ବାଂଲାଦେଶ ଏହି ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଶୁକ୍ରବାର ସୁପର-୪ର ପ୍ରଥମ ଦିନ ଦୁଇଟି ମ୍ୟାଚ୍‌ରେ ଭାରତ-ବାଂଲାଦେଶ ଏବଂ ଆଫ୍‌ଗାନିସ୍ତାନ-ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍‌ ଯଥାକ୍ରମେ ଦୁବାଇ ଏବଂ ଆବୁଧାବିରେ ଭାରତୀୟ ସମୟ ସଂଧ୍ୟା ୫ଟାରେ ଖେଳାଯିବ। ଗୁରୁବାର କିନ୍ତୁ ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ଆଫଗାନିସ୍ତାନ ହରାଇଦେଇଥିଲା। ଗ୍ରୁପ୍‌ ‘ବି’ରୁ ସୁପର-୪ ସ୍ଥାନ ପକ୍କା କରି ସାରିଥିବା ଆଫ୍‌ଗାନିସ୍ତାନ ଓ ବାଂଲାଦେଶ ପାଇଁ ଏହାର ଫଳାପଳ ଗୁରୁତ୍ୱ ରଖିନଥିଲା। ଆଫଭଗାନିସ୍ତାନ କିନ୍ତୁ ଟେଷ୍ଟ୍‍ ରାଷ୍ଟ୍ର ବାଂଲାଦେଶକୁ ୧୩୬ ରନରେ ହରାଇବା ଏହି ଦେଶର ଉତ୍‌ଥାନକୁ ଦର୍ଶାଇଥିଲା। ଆଫ୍‌ଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍‌ ବିନିମୟରେ ୨୫୫ ରନ୍‌ କରିଥିଲା। ହାସମତୁଲ୍ଲା ସାହିଦି (୫୭ ରନ୍‌) ଧେର୍ଯ୍ୟପୂର୍ଣ୍ଣ ଏବଂ ଅଲ୍‌ରାଉଣ୍ଡର ରସିଦ୍‌ ଖାନ୍‌ (୫୭ ରନ୍‌, ୩୨ ବଲ୍‌, ୮ ଚୌକା, ୧ ଛକା)ଙ୍କ ଅପରାଜିତ ବିସ୍ଫୋରକ ଅର୍ଧଶତକ ବ୍ୟତୀତ ଗୁଲବଦିନ୍‌ ନାଏବଙ୍କ ଅପରାଜିତ ୪୨ ରନ୍‌ ସହାୟତାରେ ଆଫ୍‌ଗାନିସ୍ତାନ ଏହି ଆହ୍ଵାନଭରା ସ୍କୋର୍‌ କରିଥିଲା। ବାଂଲାଦେଶ ପକ୍ଷରୁ ସାକିବ ଅଲ୍‌ ହାସନ ୪ ଓ ଆବୁ ହାଇଦର ୨ ଓ୍ଵିକେଟ୍‌ ନେଇଥିଲେ।

ବାଂଲାଦେଶ ୪୨.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୯ ରନ୍‌ କରିଥିଲା। ପ୍ରଥମରୁ ଲିଟନ୍‌ ଦାସ (୬), ନଜ୍‌ମୁଲ୍‌ ହୁସେନ୍‌ ସନ୍ତୋ (୭), ମୋମିନୁଲ ହକ୍‌ (୯) ଓ ମହମ୍ମଦ ମିଥୁନ୍‌ (୨) ପାଭିଲିୟନ୍‌ ଫେରିଯାଇଥିଲେ। ସାକିବ ଅଲ୍‌ ହାସନ (୩୨) , ମହମୁଦୁଲା (୨୭), ମୋସାଦେକ ହୋସେନ୍‌ (୨୬*) ସାମୟିକ ଲଢ଼ି ବିଫଳ ହୋଇଥିଲେ। ଆଫ୍‌ଗାନିସ୍ତାନ ପକ୍ଷରୁ ରସିଦ୍‌ ଖାନ୍‌ (୯-୩-୧୩-୨), ମୁଜିବ ଉର୍‌ ରହମାନ୍‌ (୮.୧-୧-୨୨-୨), ଗୁଲବଦିନ୍‌ ନାଏକ (୬-୦-୩୦-୨) ଓ୍ଵିକେ୍‌ଟ ବାଣ୍ଟି ନେଇଥିଲେ। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇଥିବା ଆଫଗାନିସ୍ତାନ ଏହି ବିଜୟ ସହିତ ଶୁକ୍ରବାରର ପାକିସ୍ତାନ ବିପକ୍ଷ ସୁପରଫୋର୍‌ ମ୍ୟାଚ୍‌ ପୂର୍ବରୁ ମନୋବଳକୁ ଦୃଢ଼ କରିଛି।

ସମ୍ବନ୍ଧିତ ଖବର