ଆଜିଠୁ ସୁପର କପ୍ ମୁଖ୍ୟ ପର୍ଯ୍ୟାୟ: ଚେନ୍ନାଇନ୍-ମୁମ୍ବାଇ ସିଟି ପ୍ରଥମ ମୁକାବିଲା
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠୁ ହିରୋ ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟ ଆରମ୍ଭ ହେବ। ଏଥିରେ ଦୁଇ ଆଇଏସ୍ଏଲ୍ ଦଳ ଚେନ୍ନାଇନ୍ ଓ ମୁମ୍ବାଇ ସିଟି ପ୍ରଥମ ମୁକାବିଲାରେ ଅବତୀର୍ଣ୍ଣ ହେବେ। ମୁମ୍ବାଇ ଆଇଏସ୍ଏଲ୍ ପଏଣ୍ଟ୍ ତାଲିକାର ତୃତୀୟ ସ୍ଥାନରେ ରହି ସିଧାସଳଖ ଏହି ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ପଏଣ୍ଟ ତାଲିକାର ଦଶମ ସ୍ଥାନରେ ଥିବା ଚେନ୍ନାଇନ୍ ଯୋଗ୍ୟତା ପର୍ଯ୍ୟାୟ ଦେଇ ପ୍ରି-କ୍ବାର୍ଟର୍ ଫାଇନାଲ୍ରେ ପହଞ୍ଚିଛି। ଶେଷ ଯୋଗ୍ୟତା ମ୍ୟାଚ୍ରେ ଆଇଲିଗ୍ ଦଳ ଆଇଜଲ ଏଫ୍ସି ନ ଆସିବାରୁ ଚେନ୍ନାଇନ୍ ୱାକ୍ ଓଭର୍ ପାଇଥିଲା। ଆଇଏସ୍ଏଲ୍ରେ ଚେନ୍ନାଇନ୍ ବିପକ୍ଷ ଦୁଇଟି ଯାକ ମ୍ୟାଚ୍କୁ ମୁମ୍ବାଇ ଜିତିଥିଲା। ଫଳରେ ଶୁକ୍ରବାର ଆଇଏସ୍ଏଲ୍ ସେମିଫାଇନାଲ୍ରୁ ବିଦାୟ ନେଇଥିବା ମୁମ୍ବାଇର ପଲ୍ଲା ଭାରି ରହିବା ସମ୍ଭାବନା ରହିଛି। ହଁ, ମୁଁ ଭାବୁଛି ମୁମ୍ବାଇ ସିଟି ଆମଠୁ ଆଗରେ ରହିଛି। କାରଣ ଚଳିତ ଋତୁରେ ସେମାନେ ଭଲ କରିଛନ୍ତି। କିନ୍ତୁ ଆମକୁ ଅଗକୁ ଦୁଇ ପ୍ରତିଯୋଗିତାରେ ଖେଳିବାର ଅଛି। ଏହି ପ୍ରତିଯୋଗିତାକୁ ଆମେ ଭଲ କରିବା ଲାଗି ପରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଚେନ୍ନାଇନ୍ ପ୍ରଶିକ୍ଷକ ଜନ୍ ଗ୍ରିଗୋରି। ଆମ ପିଲାମାନେ ଏବେ ଏଥି ପାଇଁ ବହୁତ ପରିଶ୍ରମ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଆମେ ଏଠାରେ ଶ୍ରେଷ୍ଠ ଦେବା ଲାଗି ଖେଳିବୁ। ଏହି ପ୍ରତିଯୋଗିତାକୁ ବହୁତ ସମ୍ମାନ ଦେଉଛୁ। ଏହା ହେଉଛି ଚଳିତ ଋତୁରେ ଶେଷ ପ୍ରତିଯୋଗିତା। ଆମେ ଚାହୁଁଛୁ ଭଲରେ ଶେଷ କରିବାକୁ। ଆସନ୍ତକାଲି ମ୍ୟାଚ୍ରେ ଭଲ ଆରମ୍ଭ ସହ ୧୦୦ ପ୍ରତିଶତ ବିଜୟ ପାଇଁ ଚେଷ୍ଠ କରିବୁ ବୋଲି କହିଛନ୍ତି ମୁମ୍ବାଇ ସିଟି ପ୍ରଶିକ୍ଷକ ଜର୍ଜ କୋଷ୍ଟା।
Sambad is now on WhatsApp
Join and get latest news updates delivered to you via WhatsApp
ଦେୟମୁକ୍ତ ପ୍ରବେଶ
ସୁପରକପ୍ ଫୁଟବଲ୍ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟକୁ ମଧ୍ୟ ଦର୍ଶକଙ୍କ ପାଇଁ ଦେୟ ମୁକ୍ତ ରଖାଯାଇଛି। ଦର୍ଶକଙ୍କୁ ଏହି ବହୁ ଦଳୀୟ ପ୍ରତିଯୋଗିତା ଦେଖିବା ଲାଗି ଟିକେଟ କିଣିବାକୁ ପଡ଼ିବ ନାହିଁ କିମ୍ବା ଟଙ୍କାଟିଏ ଖର୍ଚ କରିବାକୁ ପଡ଼ିବ ନାହିଁ। ପାଦରେ ଚାଲିକରି ଆସୁଥିବା ଦର୍ଶକମାନେ ୩ ନମ୍ବର ଫାଟକ ଦେଇ ଷ୍ଟାଡିୟମରେ ପ୍ରବେଶ କରି ପାରିବେ। ଗାଡ଼ି ଧରି ଆସୁଥିବା ଦର୍ଶକଙ୍କୁ ଫାଟକ ୮-ବିରେ ପ୍ରବେଶ କରି ସିପିଡିଓ ପଡ଼ିଆରେ ଗାଡ଼ି ରଖି ଚାଲିକରି ଷ୍ଟାଡିୟମ ଭିତରକୁ ଯିବାକୁ ହେବ। ଦର୍ଶକମାନେ ଷ୍ଟାଡିୟମର ବି, ସି ଓ ଡି’ ବ୍ଲକରେ ବସି ମ୍ୟାଚ୍ର ମଜା ନେଇପାରିବେ।
ମୋହନ ବାଗାନ୍ ଖେଳିବନି ଶୁକ୍ରବାରଠୁ ଆରମ୍ଭ ହେଉଥିବା ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ମୋହନ ବାଗାନ ଖେଳିବା ନେଇ ଅନିଶ୍ଚତତା ରହିଛି। ସୁପର ଖେଳିବା ଲାଗି ପଞ୍ଜିକରଣର ଶେଷ ଦିବସ ମାର୍ଚ ୨୩ ତାରିଖ ରହିଥିଲା ବେଳେ ମୋହନ ବାଗାନ କରିନଥିଲା। ଫଳରେ ଏହି ଦଳ ସୁପର କପ୍ ଖେଳିବାରୁ ବଞ୍ଚିତ ହେବ। ଫଳରେ ରବିବାର ମୋହନ ବାଗାନ ବିପକ୍ଷରେ ଖେଳିବାକୁ ଥିବା ଆଇଏସ୍ଏଲ୍ ବିଜେତା ବେଙ୍ଗାଲୁରୁ ୱାକ୍ ଓଭର ପାଇ କ୍ବାର୍ଟର୍ ଫାଇନାଲ୍ରେ ପହଞ୍ଚିବ।
ଆଇଲିଗ୍ ଦଳରେ ଥିବା ଅସୁବିଧାକୁ ନେଇ ମାଲିକମାନେ ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍)ର ସଭାପତିଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ। ହେଲେ ସଭାପତି ସମୟ ନ ଦେବାରୁ ଆଇଲିଗ୍ର ୮ ଦଳ ସୁପର କପ୍ରୁ ଓହରିବାକୁ ଧମକ ଦେଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ୩ ଦଳ ଖେଳିନଥିଲେ। ବହୁ ତର୍କବିର୍ତକ ପରେ ଏଆଇଏଫ୍ଏଫ୍ ସଚିବ କୁଶାଲ ଦାସ ଆଇଲିଗ୍ କ୍ଲବ୍ ସହ ଆସନ୍ତା ମାସ ମଧ୍ୟ ଭାଗରେ ସଭାପତିଙ୍କ ସହ ବୈଠକ କରିବାକୁ ସ୍ପଷ୍ଟ କରିଥିଲେ। ଏଥିନେଇ ବିଦ୍ରୋହୀ କ୍ଲବ୍ଗୁଡ଼ିକୁ ଚିଠି କରିଥିଲେ। ଚିଠି ପାଇବାପରେ ବିଦ୍ରୋହୀ ଦଳରେ ସାମିଲଥିବା ବିଜେତା ଚେନ୍ନାଇ ସିଟି, ଉପବିଜେତା ଇଷ୍ଟ୍ ବେଙ୍ଗଲ ଏବଂ ରିଅଲ କଶ୍ମୀର ସୁପର କପ୍ ଲାଗି ନାମ ପଞ୍ଜିକରଣ କରିଥିଲେ। କିନ୍ତୁ ମୋହନ ବାଗାନ ନାମ ପଞ୍ଜିକରଣ କରିନଥିବାରୁ ସୁପର କପ୍ ଖେଳିବା ପାଇଁ ଯୋଗ୍ୟତା ହରାଇଛି ବୋଲି ପ୍ରତିଯୋଗିତା ଆୟୋଜକ ସମିତିର ଅଧ୍ୟକ୍ଷ ଅନିଲ କାମାଥ କହିଛନ୍ତି।