ଚେନ୍ନାଇ: ଆଇପିଏଲ୍ରେ ବୁଧବାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍ସିବି) ସହିତ ମୁକାବିଲା କରିବ ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆରଏଚ୍)। ପ୍ରଥମ ମ୍ୟାଚ୍ରେ ରୋହିତ ଶର୍ମାଙ୍କ ବିଜେତା ଦଳକୁ ହରାଇ ଅଭିଯାନ ଆରମ୍ଭ କରିଥିବା ବିରାଟ କୋହଲିଙ୍କ ଦଳ ଲଗାତାର ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଲଢ଼ୁଆ ପ୍ରଦର୍ଶନ କରିବା ସତ୍ତ୍ବେ ଡେଭିଡ୍ ୱାର୍ନରଙ୍କ ସନ୍ରାଇଜର୍ସ ହାଇଦ୍ରାବାଦ ନିଜ ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ହାରିଯାଇଥିବାରୁ ବୁଧବାର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ। ସମାନ ପଡ଼ିଆରେ ଆର୍ସିବି ଏବଂ ଏସ୍ଆରଏଚ୍ ଭିନ୍ନ ଭିନ୍ନ ଫଳ ପାଇଥିଲେ।
ପ୍ରଥମ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଥିବା ବିରାଟ କୋହଲିଙ୍କ ଦଳକୁ ପ୍ରତିଭାବାନ ଦେବଦତ୍ତ ପଡିକଲଙ୍କ ପ୍ରତ୍ୟାବର୍ତନ ବାଟ ଫିଟିଛି। କୋଭିଡ୍-୧୯ ସଂକ୍ରମଣରୁ ପଡିକଲ୍ ମୁକ୍ତ ହୋଇ ଫେରିଥିବାରୁ ତାଙ୍କୁ ଚୂଡାନ୍ତ ଏକାଦଶରେ ଦଳ ସ୍ଥାନ ଦେବ କି ନାଁ ଦେଖିବାର ଅଛି। ଗତବର୍ଷ ପଦାର୍ପଣ ଋତୁରେ ୫ ଅର୍ଦ୍ଧଶତକ ସହ ଚମତ୍କାର ପ୍ରଦର୍ଶନ କରିଥିବା ପଡିକଲ୍ ନିଜେ ମଧ୍ୟ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଘୋଷଣା କରି ସାରିଛନ୍ତି। ପଡିକଲଙ୍କୁ ଚୂଡାନ୍ତ ଏକାଦଶକୁ ନ ଆଣିଲେ ଆର୍ସିବି ପାଇଁ ବିରାଟ କୋହଲି ଏବଂ ୱାସିଂଟନ୍ ସୁନ୍ଦର ପୁଣି ପାଳି ଆରମ୍ଭ କରିବେ। ଦଳ ମଧ୍ୟ ମହମ୍ମଦ ଆଝାରୁଦ୍ଦିନ୍ କିମ୍ବା ଅଷ୍ଟ୍ରେଲିଆ ଲେଗ୍ସ୍ପିନର୍ ଆଦାମ ଜାମ୍ପାଙ୍କୁ ଆଗାମି ମ୍ୟାଚ୍ରେ ଖେଳାଇବା ସମ୍ଭାବନା ରହିଛି। ଆର୍ସିବି କିନ୍ତୁ ବୁଧବାର ମ୍ୟାଚ୍ରେ ବିରାଟ କୋହଲି, ଏବି ଡି’ଭିଲିୟର୍ସ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଉପରେ ନିର୍ଭର କରିବ। ପଞ୍ଜାବରୁ ଆସି ଆର୍ସିବିରେ ଯୋଗ ଦେଇଥିବା ମ୍ୟାକ୍ସୱେଲ୍ ପ୍ରଥମ ମ୍ୟାଚ୍ରେ ଭଲ ଖେଳିଥିଲେ। ବିରାଟ କୋହଲି କିନ୍ତୁ ଶୂନରେ ଆଉଟ୍ ହୋଇଥିବାରୁ ଏହାକୁ ଭରଣା କରିବାକୁ ଆଶା ରଖିବେ। ପ୍ରଥମ ମ୍ୟାଚ୍ ବିଫଳତା ପରେ ରଜତ ପଟିଦାର ଓ ୱାସିଂଟନ୍ ସୁନ୍ଦର ଏସ୍ଆର୍ଏଚ୍ ବିପକ୍ଷରେ ପ୍ରଭାବ ଛାଡ଼ିବା ଆଶା ରଖିଛନ୍ତି। ପ୍ରଥମ ମ୍ୟାଚ୍ରେ ଆର୍ସିବିକୁ ଜିତାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ ହର୍ଷଲ ପଟେଲ୍ ଏବଂ ଏବି ଡି’ଭିଲିୟର୍ସ। ହର୍ଷଲ ପଟେଲ୍ ନିଜ ଶ୍ରେଷ୍ଠ ଟି-୨୦ ବୋଲିଂ ଚିତ୍ର ସହ ପ୍ରଥମ ୫ ୱିକେଟ୍ ସଫଳତା ପାଇଥିଲେ। ଏବିଡିଙ୍କ ବିସ୍ଫୋରକ ପାଳି କାରଣରୁ ଦଳ ପଶ୍ଚାତଧାବନରେ ସଫଳ ହୋଇଥିଲା।
ଅନ୍ୟପକ୍ଷରେ ହାଇଦ୍ରାବାଦ ପାଇଁ ଚିନ୍ତାର କାରଣ ହୋଇଛି ପ୍ରାରମ୍ଭିକ ଯୋଡ଼ିଙ୍କ ବିଫଳତା। ପ୍ରଥମ ମ୍ୟାଚ୍ରେ ଉଭୟ ଋଦ୍ଧିମାନ ସାହା ଓ ଡେଭିଡ୍ ୱାର୍ନର ବିଫଳ ହୋଇଥିଲେ। ଆର୍ସିବି ବିପକ୍ଷରେ ୱାର୍ନର ପାଖାପାଖି ୬୦୦ ରନ୍ ସ୍କୋର୍ କରିଥିବାରୁ ଏହାକୁ ଆଗକୁ ନେବାକୁ ଚେଷ୍ଟା କରିବେ। ଜନି ବେୟାରଷ୍ଟୋ ଏବଂ ମନୀଷ ପାଣ୍ଡେ କିନ୍ତୁ ନିରାଶ କରିନଥିବାରୁ ଦଳର ଶୀର୍ଷକ୍ରମ ଭଲ ରହିଛି। ମ୍ୟାଚ୍ ଫିଟନେସ୍ ସ୍ତରକୁ ଆସିନଥିବାରୁ କେନ୍ ୱିଲିୟମସନ୍ ଖେଳିବା ସମ୍ଭାବନା କମ୍ ବୋଲି ପ୍ରଶିକ୍ଷକ ଟ୍ରେଭର ବେଲିସ୍ ସୂଚନା ଦେଇଛନ୍ତି। ଭୁବନେଶ୍ବର କୁମାର, ରସିଦ୍ ଖାନ୍, ମହମ୍ମଦ ନବି ଭଲ କରିଥିବାରୁ ଦଳର ବୋଲିଂ ଭଲ ରହିଛି।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଆଦାମ ଜାମ୍ପା, ଦେବଦତ୍ତ ପଡିକଲ, କେନ୍ ୱିଲିୟମସନ୍, ମହମ୍ମଦ ସିରାଜ, ନଭଦୀପ ସୈନି, ପବନ ଦେଶପାଣ୍ଡେ, ସାହାବାଜ ଅହମ୍ମଦ, ୱାସିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଡାନିଏଲ୍ ସାମ୍ସ, ହର୍ଷଲ ପଟେଲ୍, ଗ୍ଲେନ ମ୍ୟାକ୍ସୱେଲ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ୍, କାଏଲ୍ ଜାମିସନ୍, ଡାନ୍ କ୍ରିଷ୍ଟିଆନ୍, ସୂୟାଶ ପ୍ରଭୂଦେଶାଇ, କେଏସ୍ ଭାରତ, ଫିନ୍ ଆଲେନ୍।
ସନ୍ରାଇଜର୍ସ ହାଇଦ୍ରାବାଦ ଦଳ: ଡେଭିଡ୍ ୱାର୍ନର (ଅଧିନାୟକ), କେନ୍ ୱିଲିୟମସନ୍, ବିରାଟ ସିଂହ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ଟି ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କୌଲ, ବାସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/95f4h98s4h7sfh4sf56h4sf64h6fshfshshfsfhh.jpg)