ଆଜି ତୃତୀୟ ଟେ୍ଵଣ୍ଟି-୨୦: ଝୁଲଣଙ୍କ ସ୍ଥାନରେ ରୁମେଲି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ମହିଳା ଦଳ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାକୁ ୨-୧ରେ କରାୟତ କରିନେଇଥିଲା ବେଳେ ୫ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଦୁଇଟି ମ୍ୟାଚ୍‌ ଖେଳିସାରିଛି। ଦୁଇଟିଯାକ ମ୍ୟାଚ୍‌ରେ ମଧ୍ୟ ଘରୋଇ ଦଳକୁ ପରାସ୍ତ କରି ୨-୦ର ଅଗ୍ରଣୀ ପାଇଛି। ଆଉ ଗୋଟିଏ ମ୍ୟାଚ୍‌ ଜିତିଲେ ଭାରତ ଶୃଙ୍ଖଳା କବ୍‌ଜା କରିନେବ। ଏଥି ସହିତ ଦକ୍ଷିଣ ଆଫ୍ରିକାରେ ଏକାବେଳକେ ଯୁଗଳ ଶୃଙ୍ଖଳା ବିଜୟର ଇତିହାସ ମଧ୍ୟ ରଚିବ। ଟେ୍ଵଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ଆସନ୍ତାକାଲି (ରବିବାର) ଜୋହାନ୍‌ସବର୍ଗରେ ଖେଳାଯିବ। ଏହି ମ୍ୟାଚ୍‌ ଜିତିଗଲେ ହର୍‌ମନ୍‌ପ୍ରୀତ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମଧ୍ୟ ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଜିତିବାର ଗୌରବ ବହନ କରିବ। ଭାରତର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଆହତ ଯୋଗୁଁ ଏହି ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ତେବେ ତାଙ୍କ ଅନୁପସ୍ଥିତିରେ ମଧ୍ୟ ଭାରତ ଦୁଇଟିଯାକ ମ୍ୟାଚ୍‌କୁ ସହଜରେ ଜିତିସାରିଛି। ହେଲେ ଅବଶିଷ୍ଟ ୩ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଝୁଲଣଙ୍କ ସ୍ଥାନରେ ପୁରୁଖା ଅଲ୍‌ରାଉଣ୍ଡର ରୁମେଲି ଧରଙ୍କୁ ଦଳରେ ସାମିଲ କରିଛି। ୬ ବର୍ଷ ପରେ ରୁମେଲି ଭାରତୀୟ ଦଳକୁ ଫେରିଛନ୍ତି। ଏହା ପୂର୍ବରୁ ୩୪ ବର୍ଷ ବୟସ୍କା ରୁମେଲି ଭାରତ ପକ୍ଷରୁ ୪ ଟେଷ୍ଟ, ୭୮ ଦିନିକିଆ ଆନ୍ତର୍ଜାତିକ ସାଙ୍ଗକୁ ୧୫ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ହେଲେ ୨୦୧୨ରୁ ଆନ୍ତର୍ଜାତିକ କ୍ରିକେଟ୍‌ରେ ତାଙ୍କୁ ଦେଖିବାକୁ ମିଳିନଥିଲା। ସେ ଏବେ ଦିନିକିଆ ଆନ୍ତର୍ଜାତିକରେ ସର୍ବକାଳୀନ ଅଗ୍ରଣୀ ଓ୍ଵିକେଟ୍‌ ଦଖଲକାରୀ ବୋଲର ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି। ୭୮ ଦିନିକିଆରୁ ୬୩ ଓ୍ଵିକେଟ୍‌ ଅକ୍ତିଆର କରିଥିବା ରୁମେଲି ଭାରତ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂରେ ପାଳି ଆରମ୍ଭ କରିବାର ସାମର୍ଥ୍ୟ ରଖିଛନ୍ତି।

ଭାରତ ମହିଳା ଦଳ: ହର୍‌ମନ୍‌ପ୍ରୀତ୍‌ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପଅଧିନାୟିକା), ମିତାଲି ରାଜ୍‌, ଭେଡା କୃଷ୍ଣମୂର୍ତି, ଜେମିମା ରୋଦ୍ରିଗୁଏଜ୍‌, ଦୀପ୍ତି ଶର୍ମା, ଅନୁଜା ପାଟିଲ, ତାନିୟା ଭାଟିଆ ଓ ନୁଜ୍‌ହତ୍‌ ପର୍ବିନ୍‌ (ଓ୍ଵିକେଟ୍‌ ରକ୍ଷିକା), ପୂନମ୍‌ ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ଶିଖା ପାଣ୍ଡେ, ପୂଜା ଭସ୍ତ୍ରକର, ରାଧା ଯାଦବ ଓ ରୁମେଲି ଧର।

ସମ୍ବନ୍ଧିତ ଖବର