ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ଏକାଦଶ ସଂସ୍କରଣ ଆଉ ମାତ୍ର ୪ ମ୍ୟାଚ୍ ପରେ ଲିଗ୍ ପର୍ଯ୍ୟାୟ ଶେଷ ହେବ। ଇତିମଧ୍ୟରେ କେନ୍ ଓ୍ଵିଲିୟମ୍ସନ୍ଙ୍କ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ପ୍ଲେ-ଅଫ୍ ଯୋଗ୍ୟତା ହାତେଇ ସାରିଛନ୍ତି। ତେବେ ଅନ୍ୟ ଦୁଇଟି ସ୍ଥାନ ଏପର୍ଯ୍ୟନ୍ତ ନିର୍ଣ୍ଣାୟକ ହୋଇପାରୁନି। ଏହି ଦୁଇଟି ସ୍ଥାନ ପାଇଁ ୫ ଦଳ ଏବେ ଦୌଡ଼ରେ ରହିଛନ୍ତି। ଏହି ୫ ଦଳ ହେଲେ କୋଲ୍କାତା ନାଇଟ୍ ରାଇଡର୍ସ, କିଙ୍ଗ୍ସ ଇଲେଭେନ୍ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଶନିବାର ଓ ରବିବାର ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ। ଯେଉଁଥିରୁ କି ପ୍ଲେ-ଅଫ୍ର ଅବଶିଷ୍ଟ ଦୁଇଟି ସ୍ଥାନ କିଏ ଅକ୍ତିଆର କରିବା ତାହା ସ୍ପଷ୍ଟ ହୋଇଯିବ। ନିଜ ନିଜର ଶେଷ ମ୍ୟାଚ୍ ପୂର୍ବରୁ ଦୌଡ଼ରେ ଥିବା ୫ ଦଳ ୧୩ ଲେଖାଏଁ ମ୍ୟାଚ୍ ଖେଳିସାରିଥିଲା ବେଳେ କୋଲ୍କାତା ୧୪ ଏବଂ ଅନ୍ୟ ୪ ଦଳ ୧୨ ଲେଖାଏଁ ପଏଣ୍ଟ୍ରେ ରହିଛନ୍ତି। ତେଣୁ ଏହି ୫ ଦଳ ପାଇଁ ସେମାନଙ୍କ ଶେଷ ମ୍ୟାଚ୍ ହିଁ ନକ୍ଆଉଟ୍ ସଦୃଶ ରହିବ। ଯେଉଁ ଦଳ ନିଜର ଅନ୍ତିମ ମ୍ୟାଚ୍ ହାରିଯିବେ ସେ ହିଁ ବିଦାୟ ନେବେ। ଏପରିସ୍ଥଳେ ଫ୍ଲେ-ଅଫ୍ର ୨ଟି ସ୍ଥାନ ପାଇଁ ୫ ଦଳର ସମୀକରଣ କରାଯାଇଛି। କୋଲ୍କାତା ଶନିବାର ଶେଷ ମ୍ୟାଚ୍ରେ ହାଇଦ୍ରାବାଦକୁ ପରାସ୍ତ କଲେ ୧୬ ପଏଣ୍ଟ୍ ପାଇ ପ୍ଲେ-ଅଫ୍ ସ୍ଥାନ ସୁରକ୍ଷିତ କରିନେବ। ଆଉ ହାରିଗଲେ ତାକୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଆର୍ସିବିର ପରାଜୟକୁ ଅପେକ୍ଷା କରିବାକୁ ପଡ଼ିବ। ମୁମ୍ବାଇ ଓ ଆର୍ସିବି ନିଜ ନିଜର ଶେଷ ମ୍ୟାଚ୍ ହାରିଲେ ହିଁ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବଠୁ ଉନ୍ନତ ରନ୍ ହାରରେ କୋଲ୍କାତା ପ୍ଲେ-ଅଫ୍ ଯିବ। ମୁମ୍ବାଇ ପ୍ଲେ-ଅଫ୍ ଯିବାକୁ ହେଲେ ରବିବାର ଶେଷ ମ୍ୟାଚ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡ଼ିବ। ସେହିପରି ଆର୍ସିବି ଯଦି ଶେଷ ମ୍ୟାଚ୍ରେ ଶନିବାର ରାଜସ୍ଥାନ ରୟାଲ୍ସକୁ ବଡ଼ ବ୍ୟବଧାନରେ ପରାସ୍ତ କରେ ତେବେ ୧୪ ପଏଣ୍ଟ୍ ପାଇଯିବ ଏବଂ ଉନ୍ନତ ରନ୍ ହାରରେ ମୁମ୍ବାଇକୁ ପଛରେ ପକାଇଦେବ। ଅନ୍ୟପକ୍ଷରେ ରାଜସ୍ଥାନ ଯଦି ଆର୍ସିବିକୁ ପରାସ୍ତ କରେ ଏବଂ ଦିଲ୍ଲୀଠୁ ମୁମ୍ବାଇ ହାରିଯାଏ, ତେବେ ଉନ୍ନତ ରନ୍ ହାରରେ ପ୍ଲେ-ଅଫ୍ ଯୋଗ୍ୟତା ହାତେଇ ନେବ। ଅନୁରୂପ ଭାବେ ଆର୍ସିବିକୁ ରାଜସ୍ଥାନ ଏବଂ ମୁମ୍ବାଇକୁ ଦିଲ୍ଲୀ ପରାସ୍ତ କରିଦେବା ପରେ ଚେନ୍ନାଇକୁ ବଡ଼ ବ୍ୟବଧାନରେ ପରାସ୍ତ କଲେ ହିଁ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ଲେ-ଅଫ୍ ସୁଯୋଗ ପାଇପାରିବ।