ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଟକ୍କର

ମାହିଙ୍କୁ ଶ୍ରେୟ ଦେଲେ ଜାଦୁ

କାନବେରା: ହାଇସ୍କୋରିଂ ଦିନିକିଆ ଶୃଙ୍ଖଳା ପରେ ଶୁକ୍ରବାରଠାରୁ ଟ୍ବେଣ୍ଟି-୨୦ ଟକ୍କରରେ ଅବତୀର୍ଣ୍ଣ ହେବେ ଭାରତ-ଅଷ୍ଟ୍ରେଲିଆ। ଫଟାଫଟ୍ କ୍ରିକେଟ୍‌ର ଏହି ପ୍ରତୀକ୍ଷିତ ଲଢ଼େଇରେ ଉଭୟ ଦଳ ତିନିଟି ମ୍ୟାଚ୍ ଖେଳିବେ। କୋଭିଡ୍-୧୯ ସଙ୍କଟ ପାଇଁ ଦୀର୍ଘ ୯ ମାସ ପରେ ଖେଳିଥିବା ଏକଦିବସୀୟ ଶୃଙ୍ଖଳାକୁ ୧-୨ରେ ହାରିଥିଲେ ମଧ୍ୟ ଶେଷ ମ୍ୟାଚ୍‌କୁ ଜିତି ଭାରତ ଆତ୍ମବିଶ୍ବାସର ସହ ଟି-୨୦ ଶୃଙ୍ଖଳାକୁ ଆସିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜ ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ଜିତିବା ଆଶାରେ ରହିଛି। ଦିନିକିଆରେ ବିକଳ୍ପର ଅଭାବ ପାଇଁ ଚିନ୍ତାରେ ଥିବା ଭାରତ ପାଖରେ କିନ୍ତୁ ଟ୍ବେଣ୍ଟି-୨୦ରେ ଭିନ୍ନ ଭିନ୍ନ ଭୂମିକା ତୁଲାଇ ପାରୁଥିବାର ବହୁ ଦକ୍ଷ ଖେଳାଳି ରହିଛନ୍ତି।

ସେପଟେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟର୍‌ ଡେଭିଡ୍ ୱାର୍ନରଙ୍କ ସେବାରୁ ଶୃଙ୍ଖଳା ସାରା ବଞ୍ଚିତ ହେବ। ସେ ଆହତ ହୋଇ ବାଦ୍ ପଡ଼ିବା କଙ୍ଗାରୁ ଦଳ ପାଇଁ କୌଣସି ଅଦିନିଆ ଝଟ୍‌କାଠାରୁ କିଛି କମ୍ ନୁହେଁ। କାନବେରାରେ କୋହଲି ବାହିନୀ ଏବଂ କଙ୍ଗାରୁ ସେନା ମଧ୍ୟରେ ଶୁକ୍ରବାର ହେବାକୁ ଥିବା ପ୍ରଥମ ଟି-୨୦ ମୁକାବିଲା ଜିତିବା ଦଳ କିନ୍ତୁ ଶୃଙ୍ଖଳା ଜିତିବାର ସମ୍ଭାବନା ଅଧିକ ରହିବ। ଦିନିକିଆ ଶୃଙ୍ଖଳା ଭଳି ଟ୍ବେଣ୍ଟି-୨୦ରେ ମଧ୍ୟ କାନବେରାରେ ଗୋଟିଏ ଏବଂ ସିଡ୍‌ନିରେ ଦୁଇଟି ମ୍ୟାଚ୍ ଖେଳାଯିବ। ତେବେ ଦିନିକିଆ ବିପରୀତ ଟ୍ବେଣ୍ଟି-୨୦ ସିଡ୍‌ନି ପରିବର୍ତ୍ତେ କାନବେରାରେ ଆରମ୍ଭ ହେବ।


India TV News

ୱାସିଂଟନ୍ ସୁନ୍ଦର, ଦୀପକ ଚହର ଓ ଟି ନଟରାଜନଙ୍କ ଭଳି ଖେଳାଳିଙ୍କ ଉପସ୍ଥିତି ଭାରତୀୟ ଦଳକୁ ଅତ୍ୟାବଶ୍ୟକ ସନ୍ତୁଳନ ପ୍ରଦାନ କରିବ। ହାର୍ଦିକ ପାଣ୍ଡ୍ୟା ବୋଲିଂ କରୁନଥିବାରୁ ଦିନିକିଆରେ ଭାରତ ପାଖରେ ରବୀନ୍ଦ୍ର ଜାଦେଜାଙ୍କ ରୂପରେ ଜଣେ ହିଁ ବିଶେଷଜ୍ଞ ଅଲରାଉଣ୍ଡର ଥିଲେ। ଟ୍ବେଣ୍ଟି-୨୦ରେ କୋହଲି କିନ୍ତୁ ସୁନ୍ଦରଙ୍କୁ ମଧ୍ୟ ଅଲରାଉଣ୍ଡର ଭାବେ ଉପଯୋଗ କରିପାରିବେ। ଦିନିକିଆରେ ପଦାର୍ପଣ କରିଥିବା ୟର୍କର ବିଶେଷଜ୍ଞ ନଟରାଜନ ମଧ୍ୟ ତାଙ୍କ ପାଇଁ ଆ‌ଉ ଏକ ଅମୋଘ ଅସ୍ତ୍ର ହୋଇପାରିବେ। କାନବେରାର ମାନୁକା ଓଭାଲ ଉଭୟ ପେସ୍ ଓ ସ୍ପିନ୍ ବୋଲରଙ୍କୁ ସୁହାଉଥିବାରୁ କିଏ ଯଶପ୍ରୀତ ବୁମ୍‌ରାଙ୍କ ନୂଆ ବଲ୍ ଯୋଡ଼ିଦାର ହେବେ, ତାହା ଦେଖିବା ମଜାଦାର ହେବ। ଦିନିକିଆରେ ଦୁର୍ବଳ ବୋଲିଂ କରୁଥିବା ୟୁଜବେନ୍ଦ୍ର ଚହଲ ମଧ୍ୟ ଟ୍ବେଣ୍ଟି-୨୦ରେ ନିଜ ପୁରୁଣା ଚମକ ଦେଖାଇବାକୁ ବ୍ୟଗ୍ର ଥିବେ। ଦିନିକିଆରେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିଥିବା କେଏଲ୍ ରାହୁଲ ଶିଖର ଧାୱନଙ୍କ ସହ ପାଳି ଆରମ୍ଭ କରିପାରନ୍ତି। ଦିନିକିଆ ଶୃଙ୍ଖଳାରେ ବିଫଳ ରହିଥିବା ଶ୍ରେୟସ୍ ଆୟରଙ୍କ ପାଇଁ ‌ଟ୍ବେଣ୍ଟି-୨୦ ଶୃଙ୍ଖଳାର ମହତ୍ବ ତୁଳନାତ୍ମକ ଭାବେ ଅଧିକ ରହିବ। ୱାର୍ନରଙ୍କ ଅନୁପସ୍ଥିତି ସହ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ଙ୍କୁ ନେଇ ଥିବା ଆଶଙ୍କା ଅଷ୍ଟ୍ରେଲିଆକୁ ଚିନ୍ତାରେ ପକାଇପାରେ। ତେବେ ଶେଷ ଦିନିକିଆରୁ ବିଶ୍ରାମ ନେଇଥିବା ଦୁଇ ପ୍ରମୁଖ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ କିମ୍ବା ମିଚେଲ ଷ୍ଟାର୍କ ଫେରିବା କଙ୍ଗାରୁ ଦଳକୁ ନିଶ୍ଚିତ ଶକ୍ତିଶାଳୀ କରିବ।

ସମ୍ଭାବ୍ୟ ଭାରତ: ଶିଖର ଧାୱନ, କେଏଲ୍ ରାହୁଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ/ୱାସିଂଟନ୍‌ ସୁନ୍ଦର, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଦୀପକ ଚହର, ଟି ନଟରାଜନ, ଯଶପ୍ରୀତ ବୁମ୍‌ରା, ୟୁଜ୍‌ବେନ୍ଦ୍ର ଚହଲ୍‌/କୁଲ୍‌ଦୀପ ଯାଦବ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ୍ (ଅଧିନାୟକ), ‌ମାଥ୍ୟୁ ୱାଦେ, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମୋଜେସ୍ ହେନରିକ୍ସ, ଆଲେକ୍ସ କ୍ୟାରି, ଅଷ୍ଟନ ଅଗର, ସିନ୍‌ ଆବୋଟ୍‌, ଆଣ୍ଡରୁ ଟାଇ/ମି‌ଚେଲ ଷ୍ଟାର୍କ, ଆଦାମ୍‌ ଜାମ୍ପା, ଜୋସ୍‌ ହାଜ୍‌ଲେଉଡ୍‌।

ମାହିଙ୍କୁ ଶ୍ରେୟ ଦେଲେ ଜାଦୁ

କାନବେରା: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ନିର୍ଣ୍ଣାୟକ ଅର୍ଧଶତକ ହାସଲ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ସହ ୧୫୦* ରନ୍ ଭାଗୀଦାରି ଗଢ଼ିଥିବା ରବୀନ୍ଦ୍ର ଜାଦେଜା ନିଜ ସଫଳତାର ସବୁ ଶ୍ରେୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପ୍ରଦାନ କରିଛନ୍ତି। ‘ମାହି ଭାଇ ଭାରତ ଏବଂ ଚେନ୍ନାଇ (ସିଏସ୍‌କେ) ପାଇଁ ବହୁତ କ୍ରିକେଟ୍ ଖେଳିଛନ୍ତି। ବ୍ୟାଟସମ୍ୟାନ୍‌ଙ୍କ ସହ ଭାଗୀଦାରି ଗଢ଼ିବା ଏବଂ ଶେଷକୁ ବଡ ସଟ୍ ଖେଳିବାରେ ସେ ଅଭ୍ୟସ୍ତ ଥିଲେ। ସେ ଏଭଳି ପରିସ୍ଥିତିରେ ଅନେକ ଥର ଖେଳିଛନ୍ତି ଏବଂ ଏକ ଧାରା ଛାଡ଼ିଯାଇଛନ୍ତି’ ବୋଲି ଜାଦେଜା ପ୍ରକାଶ କରିଛନ୍ତି। ମାହି ଭାଇ ଛାଡ଼ିଯାଇଥିବା ଧାରାକୁ ମୁଁ ଅନୁସରଣ କରୁଛି, ତାଙ୍କ ସହ ମୁଁ ଅନେକ ଥର ବ୍ୟାଟିଂ କରିଛି। ସେ ସବୁବେଳେ କୁହନ୍ତି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କଲେ ଅନ୍ତିମ ୪/୫ ଓଭରରୁ ଢେର ରନ୍‌ ସଂଗ୍ରହ କରିହେବ। ‌ବୁଧବାର ସମାନ ପରିସ୍ଥିତି ଥିଲା ଏବଂ ମୁଁ ସେଭଳି ଚେଷ୍ଟା କରିଥିଲି। ଗୋଟିଏ ପାର୍ଶ୍ବ ବାଉଣ୍ଡରି ଛୋଟ ଥିବାରୁ ମୁଁ ତଦନୁଯାୟୀ ଯୋଜନା କରି ଖେଳିଥିଲି ବୋଲି ଜାଦେଜା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର