ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ରେ ମଙ୍ଗଳବାର କ୍ରସ୍ ଓଭରର ଶେଷ ଦୁଇ ମ୍ୟାଚ୍ ଖେଳାଯିବ। ଅପରାହ୍ନ ୪.୪୫ ମିନିଟରେ ପୁଲ୍ ‘ସି’ ଉପବିଜେତା ବେଲ୍ଜିୟମ ସହିତ ଖେଳିବ ପୁଲ୍ ‘ଡି’ ତୃତୀୟ ହୋଇଥିବା ପାକିସ୍ତାନ। ରାତି ୭ଟାରେ ମୁହାଁମୁହିଁ ହେବେ ପୁଲ୍ ‘ଡି’ ଉପ ବିଜେତା ନେନଦରଲାଣ୍ଡ୍ ଏବଂ ପୁଲ୍ ‘ସି’ ତୃତୀୟ ଦଳ କାନାଡ଼ା। ନେଦରଲାଣ୍ଡ୍-କାନାଡ଼ା ମ୍ୟାଚ୍ଟି ଘରୋଇ ପ୍ରଶଂସକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ମ୍ୟାଚ୍ର ବିଜେତା ହିଁ ଭାରତ ସହିତ ଗୁରୁବାର କ୍ବାର୍ଟର ଫାଇନାଲ୍ ଖେଳିବ। ନକ୍ ଆଉଟ୍ ଭିତ୍ତିକ ଏହି କ୍ରସ୍ ଓଭର ମଧ୍ୟ ପୁଲ୍ ପର୍ଯ୍ୟାୟରେ ଭଲ ଓ ଖରାପ ଖେଳିଥିବା ଦଳ ପାଇଁ ସମାନ ସୁଯୋଗ ଆଣିଛି। ଏହି ଦୁଇ ମ୍ୟାଚ୍ ‘କର ବା ମର’ ସ୍ଥିତି ଥିବାରୁ ସବୁ ଦଳ ପାଇଁ କ୍ବାର୍ଟର ଫାଇନାଲ୍ ପ୍ରବେଶ ଲାଗି ଶେଷ ସୁଯୋଗ ଭଳି ରହିଛି।
ଚଳିତ ବିଶ୍ବକପ୍ରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ବେଲ୍ଜିୟମ ୩ରୁ ୨ ବିଜୟ, ଗୋଟିଏ ଅମୀମାଂସିତ (ବନାମ ଭାରତ, ୨-୨) ପାଇଛି। ଅନ୍ୟପକ୍ଷରେ ପାକିସ୍ତାନ ନିଜର ୩ ମ୍ୟାଚ୍ରୁ ୨ ହାରିଥିଲେ ବି ମାଲେସିଆ ସହିତ ଏକମାତ୍ର ଅମୀମାଂସିତ ଏହି ୪ ଥର ବିଜେତା ଦଳକୁ କ୍ରସ୍ ଓଭର ପହଞ୍ଚିବାରେ ସକ୍ଷମ ହୋଇଛି। ୨୦୧୩ ମସିହାରୁ ଦେଖିଲେ ଦୁଇ ଦେଶ ପରସ୍ପରକୁ ୩ ଥର ଭେଟିଥିଲେ ମଧ୍ୟ ବେଲ୍ଜିୟମ୍ ପ୍ରତିଟି ମୁକାବିଲା ଜିତିଛି। ବିଶ୍ବକପ୍ରେ କିନ୍ତୁ ଏହି ଦୁଇ ଦେଶ ଦୁଇ ଥର ମୁହାଁମୁହିଁ ହୋଇଥିଲା ବେଳେ ପାକିସ୍ତାନ ଉଭୟ ଥର ଜିତିବାର ଗୌରବ ରଖିଛି। ସେହିଭଳି ଭାରତ ଓ ଭାରତୀୟଙ୍କ ଅପେକ୍ଷାରେ ଥିବା ୩ ଥର ବିଜେତା ନେଦରଲାଣ୍ଡ୍ ବନାମ କାନାଡ଼ା ମ୍ୟାଚ୍ କିଛି ଅପ୍ରତ୍ୟାଶିତ ଫଳାଫଳ ଦେବାର ଆଶା କ୍ଷୀଣ। ନେଦରଲାଣ୍ଡ୍ ଚମତ୍କାର ହକି ଖେଳୁଥିବାରୁ ଏହି ଦଳକୁ ଦାବିଦାର କୁହାଯାଉଛି। ଚଳିତ ବିଶ୍ବକପ୍ରେ ନେଦରଲାଣ୍ଡ ୩ ମ୍ୟାଚ୍ରୁ ୨ ବିଜୟ, ୧ ପରାଜୟ ସହିତ ଆସିଥିବା ବେଳେ କାନାଡ଼ା ୩ରୁ ଏକମାତ୍ର ଅମୀମାଂସିତ ବଳରେ ପ୍ରବେଶ କରିଛି। ବିଶ୍ବକପ୍ ଇତିହାସ ଦେଖିଲେ ଉଭୟ ଥର ୟୁରୋପୀୟ ଶକ୍ତି ନେଦରଲାଣ୍ଡ୍ ବିଜୟୀ ହୋଇଛି। ୨୦୧୩ ମସିହା ପରଠାରୁ ମଧ୍ୟ ମୁହାଁମୁହିଁରେ ସମସ୍ତ ୪ ଥର ଜିତି ପ୍ରାଧାନ୍ୟ ବିସ୍ତାର କରିଛି ନେଦରଲାଣ୍ଡ୍। ଏଫ୍ଆଇଏଚ୍ ମାନ୍ୟତା ଦେଖିଲେ ବେଲ୍ଜିୟମ୍ (୩)-ପାକିସ୍ତାନ (୧୩) ଏବଂ ନେଦରଲାଣ୍ଡ୍ (୪)-କାନାଡ଼ା (୧୧) ମଧ୍ୟ ବଡ଼ ଫରକ ରହିଛି, ଯାହା ଫଳାଫଳରେ ପ୍ରତିଫଳିତ ହେବାର ସମ୍ଭାବନା ଅଧିକ।
ଆଜି ଧାର୍ଯ୍ୟ ହେବ ଭାରତ ପ୍ରତିଦ୍ବନ୍ଦ୍ବୀ
ବେଲିଜୟମ୍-ପାକିସ୍ତାନ, ହଲାଣ୍ଡ୍-କାନାଡ଼ା
/sambad/media/post_attachments/wp-content/uploads/2018/12/hokey-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)