ଆଜି ‘ଏଭରେଷ୍ଟ ଦିବସ’:ଗଣେଶ କରିଥିଲେ ବିରଳ କୀର୍ତିମାନ

ଭୁବନେଶ୍ୱର: ନ୍ୟୁଜିଲାଣ୍ଡ ପର୍ବତାରୋହୀ ଏଡମଣ୍ଡ ହିଲାରି ଏବଂ ନେପାଳି ସେରପା ତେନଜିଙ୍ଗ୍‌ ନରଗେ ପ୍ରଥମ ବ୍ୟକ୍ତି ଭାବେ ୧୯୫୩ ମସିହା ମେ ୨୯ ତାରିଖରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଉପରେ ପାଦ ଥାପି ଥିଲେ। ଏହି ଦୁଇ ମହାନ ପର୍ବତାରୋହୀଙ୍କ ସେହି ଅନନ୍ୟ ସଫଳତାକୁ ସମ୍ମାନ ଜଣାଇବାକୁ ଯାଇ ପ୍ରତିବର୍ଷ ମେ ୨୯ ତାରିଖକୁ ଏଭରେଷ୍ଟ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଅବସରରେ ରାଜ୍ୟର ପ୍ରଥମ ପୁରୁଷ ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ଦେଶ ଓ ରାଜ୍ୟର ସମସ୍ତ ଉଦୀୟମାନ ଏବଂ ଏଭରେଷ୍ଟ ବିଜୟୀ ପର୍ବତାରୋହୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସଂଯୋଗବଶତଃ ଗଣେଶ ସେହି ମେ ୨୯ ତାରିଖରେ ନିଜ ପର୍ବତାରୋହୀ ଜୀବନର ସବୁଠାରୁ ବଡ଼ ସଫଳତା ମଧ୍ୟ ହାସଲ କରିଥିଲେ। ୨୦୧୧ ମେ ୧୮ ତାରିଖରେ ଏଭରେଷ୍ଟ ଶୀର୍ଷରେ ସଫଳତାର ସହ ପାଦ ଥାପିବା ପରେ ୨୦୧୩ ମସିହା ଏଭରେଷ୍ଟ ଦିବସରେ ହିଁ ସେ ଏଭରେଷ୍ଟ ମାରାଥନକୁ ସଫଳତାର ସହ ଶେଷ କରିଥିଲେ। ଏଭଳି ଯୁଗଳ ସଫଳତା ହାସଲ କରିବାରେ ସେ ମଧ୍ୟ ଭାରତର ପ୍ରଥମ ପର୍ବତାରୋହୀ ହୋଇଥିଲେ। ଅନ୍ୟ କୌଣସି ଭାରତ ଏପର୍ଯ୍ୟନ୍ତ ଏଭଳି ସଫଳତା ପାଇ ନାହାନ୍ତି। ଏଭରେଷ୍ଟ ମାରାଥନ ଅତ୍ୟନ୍ତ କଷ୍ଟକର ଅଭିଯାନ ହୋଇଥିଲା ବେଳେ ଗଣେଶଙ୍କୁ ଏଥିଲାଗି ଅନେକ ବାଧାବିଘ୍ନକୁ ଦୂର କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର