ଅହମଦାବାଦ: ଆଜି ବିଶ୍ବକପ୍ ଫାଇନାଲ ମ୍ୟାଚ ସମୟର ଅନୁଭୂତିକୁ ରଙ୍ଗାରଙ୍ଗ କରିବା ଲାଗି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିମଧ୍ୟରେ ରହିଛି ଭାରତୀୟ ବାୟୁସେନାର ଏୟାର ସୋ’ ଏବଂ ଅତ୍ୟାଧୁନିକ ଲେଜର ଲାଇଟ୍ ସୋ।
ଲେଜର ଲାଇଟ୍ ସୋ’
ଖେଳ ଶେଷ ହେବା ପରେ ବିଜୟ ଉତ୍ସବକୁ ଅଧିକ ସ୍ମରଣୀୟ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଲେଜର ଲାଇଟ୍ ସୋ’ ମଧ୍ୟ ରଖାଯାଇଛି। ଲେଜର ସୋ’ ମାଧ୍ୟମରେ ବିଭିନ୍ନ ବିଶ୍ବକପ୍ ବିଜେତା ଦଳଗୁଡ଼ିକଙ୍କ ନାମ ଓ ଟ୍ରଫିକୁ ଆକାଶରେ ପ୍ରଦର୍ଶନ କରାଯିବ। ଏଥିପାଇଁ ୧୨୦୦ ଲାଇଟ୍ର ବ୍ୟବହାର ହେଉଥିବା ସୂଚନା ଦିଆଯାଇଛି। ଲେଜର ସୋ’ ସହିତ ରାତିରେ ଆତସବାଜି ମଧ୍ୟ କରାଯିବାକୁ ଯୋଜନା ରହିଛି। ବିଶ୍ବକପ୍ ଉଦ୍ଯାପନ ପାଇଁ ପାଖାପାଖି ୧୦ ମିନିଟ୍ ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗର ବାଣ ଫୁଟାଯିବ।
୧୫ ମିନିଟ୍ର ଏୟାର ସୋ’
ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ତରଫରୁ ବିଶ୍ବକପ୍ ଫାଇନାଲ୍ ପୂର୍ବରୁ ୧୫ ମିନିଟ୍ର ଏୟାର ସୋ’ ପ୍ରଦର୍ଶନ କରାଯିବ। ଏହି ଏୟାର ସୋ’ ଦିନ ୧.୩୫ ମିନିଟ୍ରେ ଆରମ୍ଭ ହେବ। ଫ୍ଲାଇଟ୍ କମାଣ୍ଡର ଓ ଡେପୁଟି ଟିମ୍ ଲିଡର ୱିଙ୍ଗ କମାଣ୍ଡର ସିଦେଶ କାର୍ତ୍ତିକଙ୍କ ନେତୃତ୍ବରେ ୯ଟି ବିମାନ ଅହମଦାବାଦ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରିବେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଉପରେ ଭର୍ଟିକାଲ୍ ସୋ’ କରିବା ସହ ଦର୍ଶକମାନଙ୍କୁ ଏକ ଅଭୁଲା ଅଭିଜ୍ଞତା ପ୍ରଦାନ କରିବ। ଏୟାର ସୋ’ ପୂର୍ବରୁ ଶନିବାର ଏହାର ରିହରସାଲ କରାଯାଇଛି। ପ୍ରଥମ ଥର ପାଇଁ ବିଶ୍ବକପ୍ ମ୍ୟାଚ୍ ସମୟରେ ଏପରି ଏୟାର ସୋ’ କରାଯାଉଥବା କୁହାଯାଇଛି।