ଆଜି ଯୁଗଳ ଲଢ଼େଇ: ପଞ୍ଜାବ-ହାଇଦ୍ରାବାଦ, କୋଲ୍‌କାତା-ଚେନ୍ନାଇ

ପରାଜୟ ଧାରା ଭାଙ୍ଗିବା ଆଶାରେ ୱାର୍ଣ୍ଣର

ଚେନ୍ନାଇ: ଚଳିତ ଆଇପିଏଲ୍‌ରେ ବୁଧବାର ପୁଣି ଥରେ ଯୁଗଳ ମୁକାବିଲା ଦେଖିବାକୁ ମିଳିବ। ଅପରାହ୍‌ଣ ୩.୩୦ରେ ଚେନ୍ନାଇରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଭେଟିବ ପଞ୍ଜାବ କିଙ୍ଗ୍ସକୁ। ରାତି ୭.୩୦ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ସାମ୍ନା କରିବ କୋଲକାତା ନାଇଟ୍ ରାଇଡର୍ସ। ପ୍ରଥମ ମ୍ୟାଚ୍‌ଟି ହାଇଦ୍ରାବାଦ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ପାଲଟିଯାଇଛି। ୨୦୧୬ ବିଜେତା ଡେଭିଡ୍‌ ୱାର୍ଣ୍ଣରଙ୍କ ଦଳ ଲଗାତାର ତିନିଟି ପରାଜୟ ବରଣ କରି ଚାପରେ ଥିବାରୁ ଧାରା ରୋକିବା ଲକ୍ଷ୍ୟରେ ରହିଛି। ପଞ୍ଜାବ ତିନିଟିରୁ ଗୋଟିଏ ଜିତି ଅପେକ୍ଷାକୃତ ଉନ୍ନତ ସ୍ଥିତିରେ ରହିଥିଲେ ମଧ୍ୟ ଲଗାତାର ପରାଜୟ ବରଣ କରିଛି। ପଏଣ୍ଟ ଟେବୁଲ୍‌ର ଶେଷ ଦୁଇ ସ୍ଥାନରେ ଥିବାରୁ ଭାଗ୍ୟ ପରିବର୍ତନ କରିବା ଲାଗି ଏହି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ରହିଛି। ହାଇଦ୍ରାବାଦ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଛି ପଶ୍ଚାତଧାବନ କରିବାରେ ଦଳ ବିଫଳ ହେଉଛି। ସମସ୍ତ ୩ ମ୍ୟାଚ୍‌ ଦଳ ପଛ ବ୍ୟାଟିଂରେ ହାରିଛି। ଏପରିକି ମୁମ୍ବାଇ ବିପକ୍ଷ ଅଳ୍ପ ସ୍କୋର୍‌କୁ ବି ଟପି ପାରିନଥିଲା।

ଚୂଡାନ୍ତ ଏକାଦଶରେ ଗଭୀରତାର ଅଭାବ ସାଙ୍ଗକୁ ବେଞ୍ଚ୍‌ ‌ଷ୍ଟ୍ରେଙ୍ଗ୍‌ଥ ଦୁର୍ବଳ ରହିଛି। ଏଥିପାଇଁ ୱାର୍ଣ୍ଣରଙ୍କୁ ହିଁ ନିଜ ଉପରକୁ ଭାର ନେବାକୁ ପଡ଼ିବ। ବ୍ୟକ୍ତିଗତ ଭାବେ ତ‌ିନିଟି ମ୍ୟାଚ୍‌ରୁ ସେ ୯୩ ରନ୍‌ କରିଛନ୍ତି। ସର୍ବାଧିକ ୫୪ ରନ୍‌ ସେ ବାଙ୍ଗାଲୋର୍‌ ବିପକ୍ଷରେ କରିଥିଲେ। ପଞ୍ଜାବ ବିପକ୍ଷରେ ଦଳକୁ ଆତ୍ମସମୀକ୍ଷାର ସହ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। କେନ୍‌ ୱିଲିୟମସନଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିଛି। ଜନି ବେୟାରଷ୍ଟୋ ଭଲ ଖେଳୁଥିଲେ ମଧ୍ୟ ଅନ୍ୟମାନଙ୍କଠାରୁ ଠିକଣା ସମର୍ଥନ ପାଉନାହାନ୍ତି। ମନୀଷ ପାଣ୍ଡେ, ବିଜୟ ଶଙ୍କର, ଅଭିଷେକ ଶର୍ମା, ଅବଦୁଲ ସାମଦଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି। କେଦାର ଯାଦବ ଏବଂ ଯୁବ ପ୍ରତିଭା ପ୍ରିୟମ ଗର୍ଗ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଦଳର ଦୁଇ ବୋଲିଂ ଅସ୍ତ୍ର ଭୁବନେଶ୍ବର କୁମାର ଏବଂ ଟି ନଟରାଜନ ଆଶା ମୁତାବକ ପ୍ରଦର୍ଶନ ଦେଉନାହାନ୍ତି। କେବଳ ରସିଦ୍‌ ଖାନ୍‌ ବୋଲିଂ ବିଭାଗରେ ପ୍ରଭାବୀ ରହିଛନ୍ତି।

ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ନିଜ ପ୍ରଥମ ମ୍ୟାଚ୍‌ରେ ବଡ଼ ସ୍କୋର୍‌ କରି ରାଜସ୍ଥାନ ରୟାଲ୍ସକୁ ହରାଇବା ପରଠାରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ହାରି ଚିନ୍ତାରେ ପଡ଼ିଛି। ପଞ୍ଜାବ ବ୍ୟାଟିଂ ଭଲ ରହିଥିଲେ ମଧ୍ୟ ବୋଲିଂ ନିୟନ୍ତ୍ରଣାଧୀନ ରହୁନାହିଁ। ମହମ୍ମଦ ସାମି ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଖଳ ନାୟକ ସାଜିଥିଲେ। ଅଧିନାୟକ କେଏଲ୍ ରାହୁଲଙ୍କ ସହ ଫର୍ମକୁ ‌ଫେରିଥିବା ମୟଙ୍କ ଅଗ୍ରୱାଲ୍‌ଙ୍କୁ ନେଇ ଦଳର ପ୍ରାରମ୍ଭିକ ଯୋଡ଼ି ଭଲ କରୁଥିଲେ ମଧ୍ୟ ଅଷ୍ଟ୍ରେଲୀୟ ପେସ୍ ବୋଲିଂ ଯୋଡ଼ି ଝାଏ ରିଚାର୍ଡସନ୍‌ ଓ ରିଲି ମେରେଡିଥ୍‌ଙ୍କ ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି। ଏଥିପାଇଁ କ୍ରିସ୍‌ ଜୋର୍ଡାନଙ୍କୁ ଖେଳାଇବା ଯୋଜନା ରାହୁଲ କରୁଛନ୍ତି। ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ପ୍ରଶଂସନୀୟ ରହି ୩ ମ୍ୟାଚ୍‌ରୁ ୫ ୱିକେଟ୍‌ ନେବା ସହ ଓଭର ପିଛା ୭ ରନ୍‌ ହାରରେ ବ୍ୟୟ କରିଛନ୍ତି।

ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳ: ଡେଭିଡ୍ ୱାର୍ନର (ଅଧିନାୟକ), କେନ୍ ୱିଲିୟମସନ୍, ବିରାଟ ସିଂହ, ମନୀଷ ପା‌ଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସାମଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ଟି ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ ‌‌କୌଲ, ବାସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ।

ପଞ୍ଜାବ କିଙ୍ଗ୍ସ ଦଳ: କେଏଲ୍ ରାହୁଲ୍ (ଅଧିନାୟକ ଓ ୱିକେଟରକ୍ଷକ), ମୟଙ୍କ ଅଗ୍ରୱାଲ, କ୍ରିସ୍‌ ଗେଲ୍‌, ମନଦୀପ ସିଂହ, ପ୍ରବସିମ୍ରନ ସିଂହ, ନିକୋଲାସ୍‌ ପୂରନ (ୱିକେଟରକ୍ଷକ), ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ୍ ବ୍ରାର୍‌, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍‌ ଜୋର୍ଡାନ, ଦାୱିଦ ମଲାନ, ଝାଏ ରିଚାର୍ଡସନ୍‌, ଶହାରୁଖ୍‌ ଖାନ୍‌, ରିଲି ମେରେଡିଥ୍‌, ମୋଜେସ ହେନରିକ୍ସ, ଜଳଜ ସା‌କ୍ସେନା, ଉତ୍କର୍ଷ ସିଂହ, ଫାବିଏଁ ଆଲେନ,‌‌‌ ସୌରଭ କୁମାର।

ସମ୍ବନ୍ଧିତ ଖବର