କେପ୍ ଟାଉନ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରବିବାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ଏହି ମ୍ୟାଚ୍ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ଆଇସିସି ଟ୍ରଫି ଜିତିବା ପାଇଁ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ଭାରତ ରହିଥିଲା ବେଳେ ପାକିସ୍ତାନକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିବୁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅଧିନାୟିକା ହର୍ମନପ୍ରୀତ୍ କୌର। ସାଧାରଣତଃ ଭାରତ-ପାକ୍ ମୁକାବିଲା ସବୁବେଳେ ଉତ୍କଣ୍ଠା ସୃଷ୍ଟି କରିଥାଏ। ଗତ ୫ ବର୍ଷ ଧରି ଭାରତ ସ୍ଥିର ପ୍ରଦର୍ଶନ ଜରିଆରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଦଳକୁ କଡ଼ା ଚ୍ୟାଲେଞ୍ଜ୍ ଦେଉଥିଲା ବେଳେ ପାକିସ୍ତାନରେ ମହିଳା କ୍ରିକେଟ୍ କିନ୍ତୁ ଏବେ ସ୍ଥାଣୁ ଅବସ୍ଥାରେ ରହିଛି। ଏହି ଦୃଷ୍ଟିରୁ ପାକିସ୍ତାନ ତୁଳନାରେ ଭାରତ ଶକ୍ତିଶାଳୀ ମନେ ହେଉଥିଲା ବେଳେ ପାକିସ୍ତାନ କିନ୍ତୁ ଗତବର୍ଷ ଏସିଆ କପ୍ରେ ଶେଷ ଥର ପାଇଁ ଭେଟିଥିବା ଭାରତକୁ ପରାସ୍ତ କରିଥିଲା। ଏହାସତ୍ତ୍ବେ ଭାରତ ପୁଣି ଥରେ ଆଇସିସି ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିବାର ଲକ୍ଷ୍ୟ ରଖିଛି। ହେଲେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିନପାରିଲେ ଏହି ଆଶା ଅପୂରଣୀୟ ରହିଯିବ।
ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ଯିବା ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକାଠୁ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଫାଇନାଲ୍ରେ ହାରିଥିଲା। ପୁଣି ଚଳିତ ବିଶ୍ବକପ୍ ୱାମ୍ ଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆଠୁ ହାରିଥିଲା ବେଳେ ବାଂଲାଦେଶକୁ ପରାସ୍ତ କରିଥିଲା। ଚଳିତ ବିଶ୍ବକପ୍ରେ ଅଧିନାୟିକା ହର୍ମନପ୍ରୀତ୍ କୌର ଏବଂ ଓପ୍ନର ସ୍ମୃତି ମନ୍ଧାନା ଆହତ ତାଲିକାରେ ରହିଛନ୍ତି। ହର୍ମନପ୍ରୀତ୍ଙ୍କ କାନ୍ଧରେ ଆଘାତ ପାଇଥିଲା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଖେଳିବା ନେଇ ଆଶଙ୍କା ରହିଛି। କିନ୍ତୁ ଆଙ୍ଗୁଠି ଆଘାତପ୍ରାପ୍ତ ମନ୍ଧାନା ଏହି ମ୍ୟାଚ୍ରୁ ବଞ୍ଚିତ ରହିବେ। ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ବେଳେ ସେ ଆହତ ହୋଇଥିଲେ। ସଂପୂର୍ଣ୍ଣ ମୁକୁଳି ନଥିବାରୁ ପ୍ରଥମ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ପୂରା ବିଶ୍ବକପ୍ରେ ଖେଳିପାରିବେ କି ନାହିଁ ତାହା ପରେ ଦଳ ନିଷ୍ପତ୍ତି ନେବ। ମନ୍ଧାନାଙ୍କ ଅନୁପସ୍ଥିତି ଭାରତ ପାଇଁ ଶକ୍ତ ଝଟ୍କା। ଏପରିସ୍ଥଳେ ଜେମିମା ରଦ୍ରିଗ୍ବେଜଙ୍କ ଉପରେ ଅଧିକ ଚାପ ରହିବ। ବ୍ୟାଟିଂରେ ଶେଫାଳି ବର୍ମାଙ୍କୁ ମଧ୍ୟ ଦାୟିତ୍ବପୂର୍ଣ୍ଣ ପ୍ରଦର୍ଶନ ଦେବାକୁ ହେବ। ରିଚା ଘୋଷ ତାଙ୍କ ପ୍ରଦର୍ଶନ ଜାରି ରଖିପାରିଲେ ଭାରତ ରନ୍ ବାହାର କରିପାରିବ। ବୋଲିଂରେ ରେଣୁକା ସିଂହ, ଶିଖା ପାଣ୍ଡେ ଏବଂ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା ଓ ପୂଜା ବସ୍ତ୍ରକାରଙ୍କ ଉପରେ ଦଳ ଅଧିକ ନିର୍ଭର କରିବ।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ସହ ଶୃଙ୍ଖଳା ଖେଳି ପାକିସ୍ତାନ ବିଶ୍ବକପ୍କୁ ଆସିଛି। ଏହି ଦଳ ପ୍ରଥମ ୱାର୍ମ ଅପ୍ରେ ବାଂଲାଦେଶକୁ ପରାସ୍ତ କରିଥିଲା ବେଳେ ଦକ୍ଷିଣ ଆଫ୍ରିକାଠୁ ହାରିଥିଲା। ବିଶ୍ବକପ୍ରେ ନିଦା ଦାର୍ ପାକିସ୍ତାନର ପ୍ରମୁଖ ଖେଳାଳି ରହିବେ।
ଭାରତ ଏହି ବିଶ୍ବକପ୍ରେ ପାକିସ୍ତାନ ବ୍ୟତୀତ ଇଂଲଣ୍ଡ, ୱେଷ୍ଟ୍ଇଣ୍ଡିଜ୍ ଏବଂ ଆୟର୍ଲାଣ୍ଡ୍ ସହିତ ଗ୍ରୁପ୍-ବି’ରେ ରହିଛି। ଭାରତ ଓ ପାକିସ୍ତାନ ମ୍ୟାଚ୍ ଭାରତୀୟ ସମୟ ସଂଧ୍ୟା ସାଢ଼େ ୬ଟାରେ ଆରମ୍ଭ ହେବ।
ଭାରତୀୟ ଦଳ: ହର୍ମନପ୍ରୀତ୍ କୌର (ଅଧିନାୟିକା), ଶେଫାଳି ବର୍ମା, ୟାସ୍ତିକା ଭାଟିଆ, ରିଚା ଘୋଷ, ଜେମିମା ରଦ୍ରିଗ୍ବେଜ୍, ହର୍ଲିନ୍ ଦେଓଲ, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ରାଧା ୟାଦବ, ରେଣୁକା ସିଂହ, ଅଞ୍ଜଳି ସର୍ବଣୀ, ପୂଜା ବସ୍ତ୍ରକାର, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ।
ପାକିସ୍ତାନ ଦଳ: ବିସ୍ମା ମାରୁଫ୍ (ଅଧିନାୟିକା), ଐମନ ଅନ୍ୱାର, ଆଲିୟା ରିଆଜ୍, ଆୟେଶା ନସିମ, ସଦାଫ ସାମସ୍, ଫତିମା ସାନା, ଜାଭେରିଆ ୱାଦୁଦ୍, ମୁନୀବା ଅଲ୍ଲୀ, ନାସ୍ରା ସୁନ୍ଧୁ, ନିଦା ଦାର୍, ଓମାଇମା ସୋହେଲ, ସାଦିଆ ଇକ୍ବାଲ, ସିଦ୍ରା ଅମିନ, ସିଦ୍ରା ନୱାଜ, ତୁବା ହାସନ।
ଶ୍ରୀଲଙ୍କା, ଇଂଲଣ୍ଡ ବିଜୟୀ
ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଜିତିନେଇଛି ଶ୍ରୀଲଙ୍କା। ଶୁକ୍ରବାର ରାତିରେ ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୩ ରନ୍ରେ ପରାସ୍ତ କରି ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଛି। ଶ୍ରୀଲଙ୍କା ଓପ୍ନର ତଥା ଅଧିନାୟିକା ଚମାରି ଆଟାପଟୁ (୬୮)ଙ୍କ ଅର୍ଦ୍ଧଶତକ ଏବଂ ବିସ୍ମି ଗୁଣରତ୍ନେଙ୍କ ୩୫ ରନ୍ ବଳରେ ୧୨୯/୪ କରିଥିଲା। ସବ୍ନିମ ଇସ୍ମାଇଲ, ମାରିଜେନେ କାପ୍ ଓ ନାଦିନେ ଡି କ୍ଲେର୍କ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୧୨୬/୯ରେ ଅଟକି ଯାଇଥିଲା। ଅଧିନାୟିକା ସୁନେ ଲୁସ୍ ୨୮, ଲୌରା ଉଲ୍ଭାର୍ଟ ୧୮, ସିନାଲୋ ଜାଫ୍ତା ୧୫ ରନ୍ ବେକାର ଯାଇଥିଲା। ଇନୋକା ରଣବୀରା (୩/୧୮), ଓସାଡ଼ି ରଣସିଂଘେ (୨/୨୦) ଓ ସୁଗନ୍ଦିକା କୁମାରୀ (୨/୨୮) ଚମତ୍କାର ବୋଲିଂ କରିଥିଲେ। ଶନିବାର ଅନ୍ୟ ଏକ ମ୍ୟାଚ୍ରେ ଇଂଲଣ୍ଡ ୭ ୱିକେଟ୍ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି।