ନୂଆଦିଲ୍ଲୀ: ଆଇପିଏଲ୍ର ଆଗାମୀ ସଂସ୍କରଣ ଲାଗି ଖେଳାଳି ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଟିତ ହେବ। ଏହା ପୂର୍ବରୁ ଇଂଲଣ୍ଡ ଯୁବ ଲେଗ୍ ସ୍ପିନର ରେହାନ ଅହମଦ ଏହି ନିଲାମରୁ ଓହରି ଯାଇଛନ୍ତି। ଇଂଲଣ୍ଡ ଟେଷ୍ଟ୍ ଦଳର ଏହି ୧୯ ବର୍ଷୀୟ ଯୁବ ଖେଳାଳି ଆସନ୍ତା ବର୍ଷ ମାର୍ଚ୍ଚ-ମେ’ରେ ହେବାକୁ ଥିବା ଆଇପିଏଲ୍ରେ ଖେଳିବେନି ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ଛଡ଼ା ଅନ୍ୟ ଇଂଲଣ୍ଡ ଖେଳାଳି ଏହି ନିଲାମରେ ଭାଗନେବେ।
ସେହିପରି ବାଂଲାଦେଶର ତସ୍କିନ ଅହମଦ ଓ ମହମ୍ମଦ ସରିଫୁଲ ଇସ୍ଲାମ ମଧ୍ୟ ଆଗାମୀ ଆଇପିଏଲ୍ରେ ଅନୁପସ୍ଥିତ ରହିବେ। ତେବେ ଏହି ଦେଶରୁ କେବଳ ମୁସ୍ତାଫିଜୁର ରହମାନ ଏହି ଧନୀ ଟ୍ବେଣ୍ଟି-୨୦ ଲିଗ୍ରେ ଖେଳିବେ। ତେବେ ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଜିମ୍ବାୱେ ଖେଳାଳି ଆଗାମୀ ଆଇପିଏଲ୍ ସମୟରେ ଉପଲବ୍ଧ ହେବେ ବୋଲି ବିସିସିଆଇକୁ କହିଛନ୍ତି।