ୟୁରୋ ୨୦୨୦ ଫୁଟ୍‌ବଲ୍‌ ପ୍ରତିଯୋଗିତା, ଆଜି ଇଟାଲି-ସ୍ପେନ୍‌ ସେମିଫାଇନାଲ୍‌ ‌ଲଢ଼େଇ

ଲଣ୍ଡନ: ଚଳିତ ୟୁରୋ ୨୦୨୦ ଫୁଟ୍‌ବଲ୍‌ ପ୍ରତିଯୋଗିତାର ‌ମଙ୍ଗଳବାର ରାତି ୧୨.୩୦ରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ୍‌ରେ ଇଟାଲି ଓ ସ୍ପେନ୍‌ ମୁହାଁମୁହିଁ ହେବେ। ୩୨ ମ୍ୟାଚ୍‌ରେ ଅପରାଜୟ ସହ ଜାତୀୟ କୀର୍ତ୍ତିମାନ କରିଥିବା ଇଟାଲି ଏହିଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ସ୍ପେନ୍‌ ମଧ୍ୟ ଗତ ଅକ୍ଟୋବରରୁ ପରାଜୟ ମୁହଁ ଦେଖିନି। ଫଳରେ ୱେମ୍ବ‌ଲିରେ ଖେଳାଯାଇଥିବା ଏହି ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ୪ ଥରର ବିଶ୍ବବିଜେତା ଇଟାଲି କିନ୍ତୁ ଥରେ ମାତ୍ର ୟୁରୋ କପ୍‌ ଜିତିବାକୁ ସକ୍ଷମ ହୋଇଛି। ୨୦୦୦ ଓ ୨୦୧୨ରେ ଏହି ଦଳ ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ୨୦୧୨ରେ ୦-୪ ଗୋଲ୍‌ରେ ସ୍ପେନ୍‌ଠୁ ହାରିଥିବାରୁ ‌ଏହି ସେମିଫାଇନାଲ୍‌ ଜିତି ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ଇଟାଲି। ପ୍ରିକ୍ବାର୍ଟରରେ ଅଷ୍ଟ୍ରିଆ ଏବଂ କ୍ବାର୍ଟରରେ ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ବେଲ୍‌ଜିୟମକୁ ହରାଇ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିବାରୁ ଇଟାଲିର ମନୋବଳ ଦୃଢ଼ ରହିଛି।

ଅନ୍ୟପକ୍ଷରେ ସ୍ପେନ୍‌ ୧୯୬୪ରେ ପ୍ରଥମ ଥର ୟୁରୋ କପ୍‌ ଜିତିଥିଲା ବେଳେ ଲଗାତାର ଭାବେ ୨୦୦୮, ୨୦୧୨ ଏହି ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା। ଏଥିସହ ୨୦୧୦ ବିଶ୍ବ ବିଜେତା ହୋଇ ଲଗାତାର ୩ ବଡ଼ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଥିଲା। ‌ସ୍ପେନ୍‌ ପ୍ରିକ୍ବାର୍ଟରରେ କ୍ରୋଏସିଆକୁ ଏବଂ କ୍ବାର୍ଟରରେ ସ୍ବିଜରଲାଣ୍ଡକୁ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ପୂର୍ବରୁ ଉଭୟ ଦଳ ୩୩ ଥର ମୁହାଁମୁହିଁ ହୋଇଥିଲା ବେଳେ ୧୨ ମ୍ୟାଚ୍‌ ଜିତି ସ୍ପେନ୍‌ ଆଗରେ ରହିଛି। ଇଟାଲି ୯ ମ୍ୟାଚ୍‌ ଜିତିଥିଲା ବେଳେ ଅବଶି‌ଷ୍ଟ ୧୨ଟି ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର