ଆଜିର ମ୍ୟାଚ୍‌: କୋହଲିଙ୍କ ମୁକାବିଲା ପାଇଁ ରାହୁଲ ପ୍ରସ୍ତୁତ

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦୁର୍ଭାଗ୍ୟଜନକ ଭା‌ବେ ପରାଜିତ ହୋଇଥିଲା। ଅମ୍ପାୟାରିଂ ତ୍ରୁଟି ସହ ସୁପରଓଭରରେ କାଗିସୋ ରବାଦାଙ୍କ କଞ୍ଜୁସ ବୋଲିଂ ପାଇଁ ସମ୍ଭବତଃ ଏହି ଦଳ ଏକ ଉତ୍କଣ୍ଠାପୂର୍ଣ୍ଣ ବିଜୟରୁ ବଞ୍ଚିତ ହୋଇଥିଲା। ଦଳ ମଧ୍ୟ ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ‘ସଟ୍ ରନ୍’ ଡାକ ବିରୋଧରେ ଅପିଲ କରିଥିଲା। ତେବେ ଏହି ସବୁ ବିବାଦକୁ ଭୁଲି ପଞ୍ଜାବ ଏବେ ଗୁରୁବାରର ମ୍ୟାଚ୍ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଆସନ୍ତାକାଲି କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ପଞ୍ଜାବ ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଭେଟିବାକୁ ଯାଉଛି। ବିରାଟ କୋହଲିଙ୍କ ଦଳ ଆରସିବି, ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରି ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଛି। ପଞ୍ଜାବ କିନ୍ତୁ ତା’ର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ।

ଆର୍‌ସିବି ପାଇଁ ତା’ର କେରଳୀ ତାରକା ଦେବଦତ୍ତ ପଡିକଲ ପଦାର୍ପଣରେ ଅର୍ଧଶତକ ହାସଲ କରିଥିଲା ବେଳେ ଗୁରୁବାର ମଧ୍ୟ କ୍ରିକେଟ୍‌ପ୍ରେମୀଙ୍କ ନଜର ତାଙ୍କ ଉପରେ ରହିବ। ସନ୍‌ରାଇଜର୍ସ ବିପକ୍ଷରେ ଅର୍ଧଶତକ ଅର୍ଜନ କରିଥିବା ଏବି ଡି’ଭିଲିୟର୍ସ ନିଜ ଚମତ୍କାର ଫର୍ମକୁ ଜାରି ରଖିବା ଲକ୍ଷ୍ୟରେ ରହିବେ। ଅନ୍ୟପକ୍ଷରେ ଅଧିନାୟକ କୋହଲି ଓ ଅଷ୍ଟ୍ରେଲୀୟ ଆରୋନ୍ ଫିଞ୍ଚ୍ ନିଜ ନିଜର ଭଲ ଆରମ୍ଭକୁ ବଡ଼ ସ୍କୋରରେ ରୂପାନ୍ତର କରିବାକୁ ଚାହିବେ। ଆର୍‌ସିବିର ସନ୍‌ରାଇଜର୍ସ ବିଜୟରେ ସ୍ପିନର ୟୁଜବେନ୍ଦ୍ର ଚହଲ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ସେ ହିଁ ପ୍ରତିପକ୍ଷ ଦଳର ନାଟକୀୟ ବିପର୍ଯ୍ୟୟ ଘଟାଇବା ପରେ ୩ ବର୍ଷ ପରେ ଆର୍‌ସିବି ନିଜ ପ୍ରଥମ ମ୍ୟାଚ୍ ଜିତି ପାରିଥିଲା। ତେବେ ଆର୍‌ସିବି ପୁନର୍ବାର ଅଲରାଉଣ୍ଡର କ୍ରିସ୍ ମୋରିସ୍‌ଙ୍କ ସେବାରୁ ବଞ୍ଚିତ ହେବ। ମୋରିସଙ୍କୁ ଆର୍‌ସିବି ଚଳିତ ଥର ୧୦ କୋଟି ଟଙ୍କାର ମୋଟା ଅଙ୍କରେ କିଣିଥିଲା। ହେଲେ ଆହତ ଥିବାରୁ ସେ ହୁଏତ ପ୍ରଥମ କିଛି ମ୍ୟାଚ୍ ଖେଳି ପାରିବେନାର୍ହି। ଦ୍ରୁତ ବୋଲର ଉମେଶ ଯାଦବ ପ୍ରଥମ ମ୍ୟାଚ୍‌ରେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏଣୁ ମହମ୍ମଦ ସିରାଜ ତାଙ୍କ ସ୍ଥାନ ନେଇପାରନ୍ତି। ଅଷ୍ଟ୍ରେଲିଆର ଜୋସ୍ ଫିଲିପ୍‌ଙ୍କୁ ଆରସିବି ବିଶେଷଜ୍ଞ ୱିକେଟ୍ ରକ୍ଷକ ଭାବେ ନେଉଥିବାରୁ ଅଲରାଉଣ୍ଡର ମୋଇନ ଅଲ୍ଲୀ ଖେଳିଲେ ସେ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍‌ଙ୍କ ସ୍ଥାନ ନେବେ।

ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ପ୍ରଥମ ମୁକାବିଲାରେ ଚମତ୍କାର ବ୍ୟାଟିଂ କରିଥିଲେ। ତେବେ ନିଜ ଦଳ ପାଇଁ ବିଜୟ ସୂଚକ ରନ୍ ସଂଗ୍ରହ କରିବାରେ ଅସମର୍ଥ ହୋଇଥିଲେ। ଅଧିନାୟକ ରାହୁଲ, ବିସ୍ଫୋରକ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ନିକୋଲାସ୍ ପୂରନ ନିଜ ସ୍ବାଭାବିକ ଖେଳ ଖେଳି ପାରିନଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍‌ଙ୍କୁ ପଞ୍ଜାବ ତା’ ଚୂଡ଼ାନ୍ତ ଏକାଦଶରେ ସାମିଲ କରୁଛି କି ନାହିଁ, ତାହା ଦେଖିବାକୁ ତାଙ୍କ ପ୍ରଶଂସକ ଚାହିଁ ବସିଛନ୍ତି। ମହମ୍ମଦ ସାମି ଦ୍ରୁତ ବୋଲିଂ ବାହିନୀର ନେତୃତ୍ବ ନେଇ ଆଶାଜନକ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ସ୍ପିନର ରବି ବିଷ୍ଣୋଇ ଆତ୍ମବିଶ୍ବାସର ସହ ଗୁରୁବାର ମ୍ୟାଚ୍‌ ଖେଳିବାକୁ ଯିବେ।

ସମ୍ଭାବ୍ୟ ଆର୍‌ସିବି: ଆରୋନ ଫିଞ୍ଚ୍, ଦେବଦତ୍ତ ପଡିକଲ, ବିରାଟ ‌କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଶିଭମ ଦୁବେ, ୱାସିଂଟନ ସୁନ୍ଦର, ଡେଲ୍ ଷ୍ଟେନ୍, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ/ଉମେଶ ଯାଦବ, ନଭଦୀପ ‌ସୈନି, ଜୋସ୍ ଫିଲିପ, ଗୁରୁକିରଟ ସିଂହ।

ସମ୍ଭାବ୍ୟ କିଙ୍ଗ୍ସ ଏକାଦଶ ପଞ୍ଜାବ: କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ସେଲଡନ୍ କୋଟ୍ରେଲ, ଗ୍ଲେନ୍ ମ୍ୟାକ୍ସୱେଲ, କ୍ରିସ୍ ଗେଲ୍, ମହମ୍ମଦ ସାମି, କରୁଣ ନାୟର, ନିକୋଲାସ୍ ପୂରନ, କ୍ରିସ୍ ଜୋର୍ଡାନ, ଜେମ୍ସ ନୀସାମ, ମୁଜିବ-ଉର୍-ରହମାନ, କ୍ରିଷ୍ଣପ୍ପା ଗୌତମ, ଈଶାନ ପୋରେଲ, ହା‌ର୍ଡସ ଭିଲିଅନ୍।

ସମ୍ବନ୍ଧିତ ଖବର