ପୁଣେ/କୋଲ୍‌କାତା: ଚଳିତ ବିଶ୍ବକପ୍‌ରେ ଶନିବାର ଯୁଗଳ ମୁକାବିଲା ଦେଖିବାକୁ ମିଳିବ। ନିଜ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ-ବାଂଲାଦେଶ ଏବଂ ଇଂଲଣ୍ଡ-ପାକିସ୍ତାନ ମୁହାଁମୁହିଁ ହେବେ। ପୁଣେରେ ପୂର୍ବାହ୍ନ ୧୦.୩୦ରେ ସେମିଫାଇନାଲ୍‌ ପହଞ୍ଚି ସାରିଥିବା ଅଷ୍ଟ୍ରେଲିଆ ଭେଟିବ ବାଂଲାଦେଶକୁ। ଅପରାହ୍ଣ ୨ଟାରେ ଇଂଲଣ୍ଡକୁ ଭେଟିବ ସୂତା ଖିଅରେ ଝୁଲୁଥିବା ପାକିସ୍ତାନ। ନକ୍‌ଆଉଟ୍‌ ଷ୍ଟେଜ୍‌ରେ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆ ତା’ର ବିଜୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ବାଂଲାଦେଶକୁ ଶନିବାର ଭେଟିବାକୁ ଯାଇଛି। ୫ ଥର ବିଜେତା ଦଳ ଆରମ୍ଭରୁ ଦୁଇ ମ୍ୟାଚ୍‌ ହାରିବା ପରେ ଲଗାତାର ୬ ମ୍ୟାଚ୍‌ ଜିତି ଟ୍ରଫି ଦୌଡ଼ରେ ନିଜକୁ ସାମିଲ କରିଛି। ଗତ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୨୯୨ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୯୧ ରନ୍‌ରେ ୭ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଗ୍ଲେନ୍‌ ମାକ୍ସୱେଲ ଚମତ୍କାର ପାଳି ଖେଳି ୧୨୮ ବଲ୍‌ରେ ୨୦୧* ରନ୍ କରି ଦଳକୁ ବିଜୟ ଭେଟି ଦେଇଥିଲେ। ତେବେ ଦଳ ପାଇଁ ବାଂଲାଦେଶ ବିପକ୍ଷରେ ବିଜୟ ଗୁରୁତ୍ବ ନଥିଲେ ମଧ୍ୟ ଏହି ମ୍ୟାଚ୍‌ ସେମିଫାଇନାଲ୍‌ ପୂର୍ବରୁ ମନୋବଳ ଦୃଢ଼ ରଖିବାକୁ ଚାହିବ।

Advertisment

ଅନ୍ୟପକ୍ଷରେ ବାଂଲାଦେଶ ଗତ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩ ୱିକେଟ୍‌ରେ ହରାଇ ଚାମ୍ପିଅନ୍ସ ଟ୍ରଫି ଯୋଗ୍ୟତା ଉଜ୍ଜୀବିତ ରଖିଛି। ସଂପ୍ରତି ୪ ପଏଣ୍ଟ ସହ ଶୀର୍ଷ ୮ରେ ଥିଲେ ମଧ୍ୟ ଅଷ୍ଟ୍ରେଲିଆକୁ ହରାଇ ଏହି ସ୍ଥାନକୁ ମଜବୁତ୍‌ କରିବାକୁ ଚେଷ୍ଟାକରିବ। ଗତ ମ୍ୟାଚ୍‌ରେ ଅଧିନାୟକ ସାକିବ ଅଲ୍‌ ହାସନ ୬୫ ରନ୍‌ କରିବା ସହ ୨ ୱିକେଟ୍‌ ନେଇ ଦଳକୁ ଦ୍ବିତୀୟ ବିଜୟ ଦେଇଥିଲେ। ହେଲେ ଆହତ ଯୋଗୁଁ ସାକିବ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଦଳରେ ଏନାମୁଲ ହକ୍‌ଙ୍କୁ ସ୍ଥାନ ମିଳିଛି। ସାକିବଙ୍କ ଅନୁପସ୍ଥିତରେ ନଜମୁଲ ହୋସେନ ସାଣ୍ଟୋ ଦଳର ନେତୃତ୍ବ ନେବେ। ବିଜେତା ଇଂଲଣ୍ଡର ଚଳିତ ବିଶ୍ବକପ୍‌ରେ ପ୍ରଦର୍ଶନ ଖରାପ ରହିଛି। ଏହି ଦଳ କେବଳ ୨ଟି ମ୍ୟାଚ୍‌ ଜିତିପାରିଛି। ଏପରିକି ଦଳର ଚାମ୍ପିଅନ୍ସ ଟ୍ରଫି ଯୋଗ୍ୟତା ମଧ୍ୟ ଆଶଙ୍କାରେ ରହିଛି। ସଂପ୍ରତି ବାଂଲାଦେଶ ‌ଓ ନେଦରଲାଣ୍ଡ୍‌ସ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଏନ୍‌ଆର୍‌ଆର୍‌ ଆଧାରରେ ସପ୍ତମ ସ୍ଥାନରେ ରହିଛି। ବାଂଲାଦେଶ ଓ ନେଦରଲାଣ୍ଡ୍‌ସ ମ୍ୟାଚ୍‌ ଥିବାରୁ ଇଂଲଣ୍ଡକୁ ବିଜୟ ଆବଶ୍ୟକ ରହିଛି। ନ୍ୟୁଜିଲାଣ୍ଡଠୁ ୯ ୱିକେଟ୍‌ରେ ହାରି ଇଂଲଣ୍ଡ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ବାଂଲାଦେଶକୁ ପରାସ୍ତ କରିବା ପରେ ଲଗାତାର ୫ ମ୍ୟାଚ୍‌ ହାରି ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ବିଶ୍ବକପ୍‌ରେ ଅଗ୍ରଣୀ ୧୦ ସ୍କୋରର୍‌ଙ୍କ ମଧ୍ୟରେ ଇଂଲଣ୍ଡର କେବଳ ଡେଭିଡ ମଲାନ ରହିଛନ୍ତି। ସେ ୮ ମ୍ୟାଚ୍‌ରୁ ୨୭୩ ରନ୍‌ କରିଛନ୍ତି। ତାରକା ବ୍ୟାଟର୍‌ ଜୋ ରୁଟ, ‌ଜନି ବେୟାରଷ୍ଟୋ ଓ ହାରି ବ୍ରୁକ୍‌ ବିଫଳ ହୋଇଛନ୍ତି। ଶେଷ ମ୍ୟାଚ୍‌ରେ ଦଳ ଜିତି ସମ୍ମାନ ସହ ସ୍ବଦେଶ ଫେରିବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ସେମିଫାଇନାଲ୍‌ ଖେଳିବାକୁ ପାକିସ୍ତାନ ଲାଗି ୨୮୭ ରନ୍‌ ବ୍ୟବଧାନର ଅସମ୍ଭବ ଲକ୍ଷ୍ୟ ରହିଛି। ଯଦି ଦଳ ଏହା କରିଦିଏ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଏନ୍‌ରନ୍‌ରେଟ୍‌ରେ ପଛରେ ପକାଇ ସେମିଫାଇନାଲ୍‌ରେ ପହଞ୍ଚି ପାରିବ। ଅଷ୍ଟ୍ରେଲିଆଠୁ ୧୯୯୯ ଫାଇନାଲ୍‌ ହାରିବା ପରେ କେବଳ ୨୦୧୧ରେ ସେମିଫାଇନାଲ୍‌ ଖେଳିଥିଲା ପାକିସ୍ତାନ। ଗତ ସଂସ୍କରଣରେ ମଧ୍ୟ ଚତୁର୍ଥ ସ୍ଥାନରୁ ନ୍ୟୁଜିଲାଣ୍ଡକୁ ହଟାଇ ସେମିଫାଇନାଲ୍‌ ଖେଳିବା ଲାଗି ପାକିସ୍ତାନକୁ ଶେଷ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ୩୦୦ ରନ୍‌ ବ୍ୟବଧାନ‌ରେ ହରାଇବାର ଲକ୍ଷ୍ୟ ରହିଥିଲା। ଏହା ହୋଇପାରି ନଥିଲା। ଚଳିତ ଥର ଏହି ସମାନ ସ୍ଥିତି ଦେଖିବାକୁ ମିଳିଛି। ଇଂଲଣ୍ଡ ଭଳି ପାକିସ୍ତାନର ବୋଲିଂ ମଧ୍ୟ ଖରାପ ରହିଛି। ନସିମ ଶାହ ବିଶ୍ବକପ୍‌ ପୂର୍ବରୁ ଆହତ ‌ହୋଇ ଦଳରୁ ବାଦ୍‌ ପଡ଼ିବା ପାକିସ୍ତାନ ‌‌ପେସ୍‌ ଆକ୍ରମଣକୁ ବିଗାଡ଼ି ଦେଇଥିଲା। ସାହିନ ଶାହ ଆଫ୍ରିଦି ଓ ହାରିସ ରଫ୍‌ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସ୍ପିନର ସଦାବ ଖାନ, ମହମ୍ମଦ ନୱାଜ ଓ ଉସମା ମିର ପାକିସ୍ତାନ ବ୍ୟାଟର୍‌ଙ୍କ ଉପରୁ ଚାପ ହଟାଇବାକୁ ସକ୍ଷମ ହୋଇ ନାହାନ୍ତି।