ବର୍ଲିନ ରବିବାର ରାତିରେ ଖେଳାଯିବ ‘ୟୁରୋ-୨୦୨୪’ ଟ୍ରଫି ଟକ୍କର। ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଥିବା ଉତ୍ସାହୀ ଇଂଲଣ୍ଡ ଓ ଆତ୍ମବିଶ୍ବାସର ଭରପୂର ସ୍ପେନ୍ ମଧ୍ୟରେ ହେବାକୁ ଥିବା ଏହି ପ୍ରତୀକ୍ଷିତ ମେଗା ଫାଇନାଲ୍ ଉପରେ ସାରା ବିଶ୍ବର ଫୁଟ୍ବଲ୍ପ୍ରେମୀଙ୍କ ନଜର। ଉଭୟ ଦଳ ପୂରା ପ୍ରତିଯୋଗିତାରେ ଅପରାଜେୟ ରହିଥିବାରୁ ବର୍ଲିନର ଅଲିମ୍ପିଆ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକ ତଥା ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ତେବେ ଗ୍ରୁପ୍ ପର୍ଯ୍ୟାୟ ପ୍ରଦର୍ଶନ ଦୃଷ୍ଟିରୁ ସ୍ପେନ୍ର ପଲା ସାମାନ୍ୟ ଭାରୀ ରହିବ। କାରଣ ଇଂଲଣ୍ଡ ଲିଗ୍ ପର୍ଯ୍ୟାୟର କେବଳ ସର୍ବିୟାକୁ ହରାଇଥିଲା ବେଳେ ଡେନମାର୍କ ଓ ସ୍ଲୋଭେନିଆ ସହ ଡ୍ର’ କରିଥିଲା। ତେବେ ନକ୍ଆଉଟ୍ରେ ଇଂଲଣ୍ଡ ଦକ୍ଷତାମୂଳକ ଖେଳ ଖେଳି ସମର୍ଥକଙ୍କ ହୃଦୟ ଜିତି ନେଇଥିଲା। ଅନ୍ୟପକ୍ଷରେ ସ୍ପେନ୍ ଲିଗ୍ ସହ ନକ୍ଆଉଟ୍ରେ ଆଧିପତ୍ୟ ବିସ୍ତାର କରି ଫାଇନାଲ୍ ଆସିଛି। ଜର୍ମାନୀ ଓ ଫ୍ରାନ୍ସ ଭଳି ଦଳକୁ ହରାଇ ମନୋବଳ ଢେର ବଢ଼ାଇପାରିଛି। ୧୬ ବର୍ଷୀୟ ଲମିନ ୟମାଲ ଫୁଟବଲ୍ ପଡ଼ିଆରେ କ୍ରମାଗତ ଭାବେ ଧମାଲ କରୁଛନ୍ତି। ନିକୋ ୱିଲିୟମ୍ସ, ପେଡ୍ରୋ, ଫେରାନ ଟୋରେସଙ୍କ ଭଳି ଖେଳାଳି ପୂରା ଫର୍ମରେ ଅଛନ୍ତି। ତେବେ ଏହି ମ୍ୟାଚ୍ରେ ପ୍ରଶଂସକମାନେ ଦଳଗତ ସହ ଏକାଧିକ ବ୍ୟକ୍ତିଗତ ଲଢ଼େଇ ମଧ୍ୟ ଦେଖିବାକୁ ପାଇବେ।
ବିଶେଷ କରି ସ୍ପେନ୍ ଉପଅଧିନାୟକ ରୋଡ୍ରି-ଇଂଲଣ୍ଡର ଜୁଡ୍ ବେଲିଂହାମ, ସ୍ପେନର ଡାନି କାର୍ଭାଜାଲ-ଇଂଲଣ୍ଡର ଫିଲ ଫୋଡେନ୍, ସ୍ପେନର ଲମିନ ୟମାଲ-ଇଂଲଣ୍ଡର କାଇଲ୍ ୱାକର୍, ସ୍ପେନ୍ର ଆଲଭାରୋ ମୋରାଟା-ଇଂଲଣ୍ଡର ଜନ୍ ଷ୍ଟୋନ୍ସ ଏବଂ ସ୍ପେନ୍ର ମାର୍କ କୁକ୍ରେଲା-ଇଂଲଣ୍ଡର ବୁକାଓ ସାକା ଲଢ଼େଇ ବେଶ୍ ରୋଚକ ହେବ। ସ୍ପେନ୍ ଚତୁର୍ଥ ଥର ବିଜେତା ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ପ୍ରଥମ ଥର ଟ୍ରଫି ତୋଳି ଧରିବାକୁ ଲକ୍ଷ୍ୟ କରିବ ଇଂଲଣ୍ଡ।
ପୂରା ୯୦ ମିନିଟ୍ ଖେଳିଲେ ୟାମଲ ଦେବେ ୨୭ ଲକ୍ଷ ଜରିମାନା
ଜର୍ମାନୀରେ ପ୍ରଚଳିତ ଶ୍ରମ ଆଇନ ପାଇଁ ସ୍ପେନ୍ର କିଶୋର ଅଗ୍ରଭାଗ ଖେଳାଳି ଲମିନ ୟାମଲ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଫ୍ରାନ୍ସ ବିପକ୍ଷ ସେମିଫାଇନାଲ୍ରେ ୟୁରୋ କପ୍ର ସର୍ବକନିଷ୍ଠ ଗୋଲ୍ ସ୍କୋରର୍ ହୋଇଥିବା ୟାମଲ (୧୬ ବର୍ଷ ୩୬୨ ଦିନ) ଯଦି ରବିବାରର ଇଂଲଣ୍ଡ ବିପକ୍ଷ ଫାଇନାଲ୍ର ପୂରା ୯୦ ମିନିଟ୍ ଖେଳିବେ, ତାହେଲେ ତାଙ୍କୁ ପାଖାପାଖି ୨୭ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। କାରଣ ଜର୍ମାନୀର ଶ୍ରମ ଆଇନ ଅନୁସାରେ ୧୮ ବର୍ଷରୁ କମ୍ ବୟସର କୌଣସି ବ୍ୟକ୍ତି ସେଠାରେ ରାତି ୮ଟା ପରେ କାମ କରିପାରିବେ ନାହିଁ। ଖେଳାଳିଙ୍କ ପାଇଁ ଏହି ନିୟମକୁ ସାମାନ୍ୟ କୋହଳ କରାଯାଇ ରାତି ୧୧ଟା ରଖାଯାଇଛି। ଏଣୁ ସ୍ପେନ୍-ଇଂଲଣ୍ଡ ଫାଇନାଲ୍ ଯଦି ରାତି ୧୧ଟା ପରକୁ ଯାଏ, ତେବେ ସ୍ପେନ୍ ଫୁଟ୍ବଲ୍ ସଂଘକୁ ୩୦,୦୦ ୟୁରୋ (ଭାରତୀୟ ମୁଦ୍ରାରେ ୨୭ ଲକ୍ଷ ଟଙ୍କା) ଜର୍ମାନୀ ସରକାରଙ୍କୁ ଜରିମାନା ଦେବାକୁ ହେବ। କାରଣ ଜର୍ମାନୀରେ ଖେଳୁଥିବା ସମସ୍ତ ଖେଳାଳିଙ୍କୁ କାମ କରିବା ବା ୱାର୍କିଂ ଭିସା ମିଳିଥାଏ। ଏବଂ ସେମାନଙ୍କୁ ଖେଳାଳି ନୁହେଁ ଏବଂ ଶ୍ରମିକ ବିବେଚନା କରାଯାଇଥାଏ।