ଟୋକିଓ ଅଲିମ୍ପିକ୍ସ ଟିକେଟ୍‌ ମହଙ୍ଗା

ଟୋକିଓ: ୨୦୨୦ ମସିହାର ଟୋକିଓ ଅଲିମ୍ପିକ୍ସ ସାଧାରଣ ଦର୍ଶକଙ୍କ ପାଇଁ ଦୂରର କଥା କ୍ରୀଡ଼ା ପ୍ରଶଂସକ, କ୍ରୀଡ଼ା ପ୍ରଶାସକ ଏବଂ କ୍ରୀଡ଼ା ପରିଚାଳନାରେ ଜଡ଼ିତ ଅନେକ ବ୍ୟକ୍ତିଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଏହି ଅଲିମ୍ପିକ୍ସ ଲାଗି ଜାପାନ ଗସ୍ତ କରିବା ଲାଗି ଆଗ୍ରହୀ ଥିବା ଅନେକ ବ୍ୟକ୍ତିଙ୍କ ପାଇଁ ଅଲିମ୍ପିକ୍ସ ଆକ୍ସନ ଉପଭୋଗ କରିବା ଦୁର୍ବିସହ ହୋଇଯିବ ବୋଲି ଆଶଙ୍କା ଜାତ ହୋଇଛି। ଜାପାନ ଗସ୍ତ କରିବା, ହୋଟେଲ୍ ରହଣୀ ଏବଂ ଅଲିମ୍ପିକ୍ସ ଟିକେଟ୍‌ ଆଦିର ମୂଲ୍ୟ ଏବେଠାରୁ ଆକାଶଛୁଆଁ ହୋଇଗଲାଣି। ମିଳିଥିବା ଏକ ସୂଚନା ଅନୁସାରେ ଯଦି ଜଣଙ୍କ ପାଖରେ ୬.୩୫ ନିୟୁତ ‌ୟେନ୍‌ (ପ୍ରାୟ ୬୦,୦୦୦ ଡଲାର, ପ୍ରାୟ ୪୩ ଲକ୍ଷରୁ ଊର୍ଧ୍ବ ଟଙ୍କା) ଅଛି ତେବେ ଟିକେଟ୍ ପାଇଯିବେ। ଏହି ମୂଲ୍ୟ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ସହିତ ୯ ଦିନିଆ ଟ୍ରାକ୍ ଆଣ୍ଡ୍ ଫିଲଡ୍ ଇଭେଣ୍ଟ୍ ଲାଗି ଠିକ୍‌ଠାକ୍ ରହୁଛି। କିନ୍ତୁ ସବୁଠୁ କମ୍ ଲୋକପ୍ରିୟ ଇଭେଣ୍ଟ୍‌ର ଗୋଟିଏ ଅଧିବେସନ ଲାଗି ସବୁଠୁ ଶସ୍ତା ଟିକେଟ୍‌ର ମୂଲ୍ୟ ରହିଛି ୧୫୦୦ ଡଲାର (ପ୍ରାୟ ୧ ଲକ୍ଷ ୬ ହଜାର ୭୩୫ ଟଙ୍କା)। ଏହା ସତ୍ତ୍ବେ ଟିକେଟ୍‌ ଚାହିଦା ଏତେ ବୃଦ୍ଧି ପାଇଛି ଯେ ଏଗୁଡିକ ପୁନଃବିକ୍ରି ହେବା ସମ୍ଭାବନା ରହିଛି। ସେହି ଦୃଷ୍ଟିରୁ ଟୋକିଓ ଅଲିମ୍ପିକ୍ସ ସବୁଠୁ ମହଙ୍ଗା ସଂସ୍କରଣ ହେବା ଦିଗରେ ଅଗ୍ରସର ହେଉଛି। ହୋଟେଲ୍ ରୁମ୍ ଭଡ଼ା ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷ କରି ଆମେରିକା ଏବଂ ୟୁରୋପୀୟ ଲୋକଙ୍କ ପାଇଁ ଏହା ଅଧିକ ମହଙ୍ଗା ସାବ୍ୟସ୍ତ ହେବ। ବିଗତ ୭ଟି ସଂସ୍କରଣରେ ଏଜିଏମ୍ ସ୍ପୋର୍ଟସ ପାଇଁ ଆମେରିକା ଓ କାନାଡାର ପ୍ରତିନିଧିତ୍ବ କରୁଥିବା କ୍ରୀଡ଼ା ଅଭିକର୍ତ୍ତା ବ୍ରାଣ୍ଟ୍‌ ଫ୍ଲେଡମ୍ୟାନ୍‌ ଏତେ ଅର୍ଥ ବ୍ୟୟରେ ଆସିବା ନେଇ ଆଶଙ୍କା ଜାତ କରିଛନ୍ତି।

ଆୟୋଜକ ମାନେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୩.୨୨ ନିୟୁତ ଟିକେଟ୍ ବିକ୍ରି ସରିଛି। ଆହୁରି ୬,୮୦,୦୦୦ ଟିକେଟ୍ ଲଟେରି ମାଧ୍ୟମରେ ଯୋଗାଣ ପାଇଁ ଉପଲବ୍‌ଧ ରହିଛି। ପ୍ରା‌‌‌‌ୟୋଜକ, ଜାତୀୟ ଅଲିମ୍ପିକ ସଂଘ ଏବଂ ବିଭିନ୍ନ କ୍ରୀଡ଼ା ସଂଘଗୁଡ଼ିକୁ ମଧ୍ୟ ଟିକେଟ୍ ପ୍ରଦାନ କରାଯିବ। ତଥାପି ଟିକେଟ୍ ବିକ୍ରିରୁ ଆୟୋଜକମାନେ ଢେର ରାଜସ୍ବ ପାଇବା ନିଶ୍ଚିତ ରହିଛି। ସୂଚନାଯୋଗ୍ୟ, ୨୦୧୩ ମସିହାରେ‌ ଟୋକିଓ ୭.୫ ଅୟୁତ ଡଲାରରେ ଆୟୋଜନ ଅଧିକାର ହାସଲ କରିଥିଲା।

ସମ୍ବନ୍ଧିତ ଖବର