ଟୋକିଓ: ତିନି ଥର ଚାମ୍ପିଅନ୍‌ ହୋଇଥିବା ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାର ମହିଳା ହକି କ୍ବାର୍ଟର୍‌ଫାଇନାଲ୍‌ ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ ସେମି-ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଛି। ସେମି-ଫାଇନାଲ୍‌ରେ ଭାରତ ଆର୍ଜେଣ୍ଟିନାର ମୁକାବିଲା କରିବ।

Advertisment

ଖେଳ ଚାଲିବାର ୨୨ ମିନିଟ୍‌ର ଭାରତୀୟ ଦଳର ଗୁରଜିତ୍ କୌର୍‌ ଅଷ୍ଟ୍ରେଲିଆ ଦଳକୁ ପ୍ରଥମ ଗୋଲ୍‌ ଦେଇଥିଲେ। ଏହା ମଧ୍ୟ ଥିଲା ଅଲିମ୍ପିକ୍ କ୍ରୀଡ଼ାରେ ତାଙ୍କର ସର୍ବ ପ୍ରଥମ ଗୋଲ୍‌। ପେନାଲ୍ଟି କର୍ଣ୍ଣର୍ ଜରିଆରେ ଗୁରଜିତ୍ ଉକ୍ତ ଗୋଲ୍‌ ଦେବାରେ ସଫଳ ହୋଇଥିଲେ।

ଖେଳ ଆରମ୍ଭର ପ୍ରଥମ ୧୫ ମିନିଟ୍‌ ପର୍ଯ୍ୟନ୍ତ ଭାରତୀୟ ଦଳ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବଜାୟ ରଖିବାରେ ସମର୍ଥ ହୋଇଥିଲା। ଖେଳ ଆରମ୍ଭର ମାତ୍ର ୪ ମିନିଟ୍ ପରେ ଅଧିନାୟିକା ରାଣୀ ରାମପାଲ୍‌ ବନ୍ଦନା କାଟାରିଆଙ୍କ ଠାରୁ କ୍ରସ୍‌ ପାଇ ଗୋଲ୍‌ ପୋଷ୍ଟ୍‌କୁ ସଟ୍‌ ମାରିଥିଲେ।

publive-image Image Courtesy of India Today

ଖେଳର ଦ୍ବିତୀୟ ପର୍ଯ୍ୟାୟରେ ଗୁରଜିତ ପେନାଲ୍ଟି କର୍ଣ୍ଣର୍‌ ମାରି ଗୋଲ୍‌ ଦେବାରେ ସଫଳ ହୋଇଥିଲେ। କିନ୍ତୁ, ଏହି ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଟିମ୍ ଆଧିପତ୍ୟ ଜାହିର କରିଥିଲେ ମଧ୍ୟ କୌଣସି ଗୋଲ୍‌ ଦେବାରେ ସଫଳ ହୋଇ ନ ଥିଲା।

ତୃତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ପେନାଲ୍ଟି କର୍ଣ୍ଣର୍‌ ସୁଯୋଗ ମିଳିଥିଲେ ବି ସେମାନେ ଗୋଲ୍‌ ଦେବାରେ ବିଫଳ ହୋଇଥିଲେ। ଭାରତୀୟ ଖେଳାଳିମାନେ ଉଚିତ ଭାବେ ଜଗିବାରୁ ବଲ୍ ବାହାରକୁ ଚାଲିଯାଇଥିଲା।

publive-image Image Courtesy of India Today

ସେହିଭଳି, ଚତୁର୍ଥ ପର୍ଯ୍ୟାୟରେ ଭାରତୀୟ ଖେଳାଳି ମୋନିକା ମଲିକଙ୍କ ବିରୋଧରେ ଫାଉଲ୍‌ ଅଭିଯୋଗ ଆସିଥିଲା। ତେଣୁ, ଖେଳ ଶେଷ ହେବାକୁ ଆଉ ୩ ମିନିଟ୍‌ବାକି ଥିବା ବେଳେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ଆଉ ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ମିଳିଥିଲା। ଅଷ୍ଟ୍ରେଲିଆର ମେଡିସନ୍‌ ଫିଜ୍‌ପେଟ୍ରିକ୍‌ ଗୋଲ୍‌ ଦେବାକୁ ଉଦ୍ୟମ କରିଥିଲେ କିନ୍ତୁ, ଭାରତୀୟ ‌କ୍ରୀଡ଼ିକା ସବିତା ପୁନିଆ ତାଙ୍କ ସଟ୍‌କୁ ପ୍ରତିରୋଧ କରିବାରେ ସମର୍ଥା ହୋଇଥିଲେ। ଫଳରେ ଗୋଲ୍‌ ହୋଇ ପାରି ନ ଥିଲା।