ଆଇଓସିର ନିର୍ଦେଶକୁ ମାନିବ ଆଇଓଏ, ଅଲିମ୍ପିକ୍ସ ମଶାଲ ଗ୍ରହଣ କଲେ ଟୋକିଓ ଆୟୋଜକ

ଏଥେନ୍‌ସ: ଗ୍ରିକ୍‌ ରାଜଧାନୀରେ ଗୁରୁବାର ଟୋକିଓ ୨୦୨୦ କ୍ରୀଡ଼ା ଆୟୋଜକ ଅଲିମ୍ପିକ୍‌ ମଶାଲକୁ ଗ୍ରହଣ କରିଛନ୍ତି। ସଂପ୍ରତି ମହାମାରୀ ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ହସ୍ତାନ୍ତର ଉତ୍ସବ ସଂପୂର୍ଣ୍ଣ ନିରାଡ଼ମ୍ବର ଥିଲା। ଏଥେନ୍‌ସର ପାନାଥେନିକ୍‌ ଷ୍ଟାଡିୟମ୍‌ରେ ହାତଗଣତି ଦର୍ଶକଙ୍କ ସମ୍ମୁଖରେ ଏକ ଛୋଟକାଟର ଉତ୍ସବ ଆୟୋଜନ ହୋଇ ମଶାଲ ହସ୍ତାନ୍ତର କରାଯାଇଥିଲା। କେବଳ କିଛି ଡଜନ୍‌ ଅଧିକାରୀଙ୍କୁ ଷ୍ଟାଡିୟମ୍‌ ଭିତରକୁ ଅନୁମତି ମିଳିଥିଲା। ଏହି ମଶାଲକୁ ଟୋକିଓ କ୍ରୀଡ଼ା ପ୍ରତିନିଧି ନାଓକୋ ଇମୋଟୋ ଗ୍ରହଣ କରିଥିଲେ। ଗ୍ରିସ୍‌ର ଅଲିମ୍ପିକ୍‌ କମିଟି ମୁଖ୍ୟ ସ୍ପାଇରୋସ୍‌ କାପ୍ରାଲୋସ୍‌ ଏହି ମଶାଲକୁ ଗୁରୁବାର ଫାଙ୍କା ଷ୍ଟାଡିୟମ୍‌ ଭିତରେ ଜାପାନର ପୂର୍ବତନ ଅଲିମ୍ପିକ୍‌ ସନ୍ତରଣ ତାରକା ଇମୋଟୋଙ୍କୁ ହସ୍ତାନ୍ତର କରିଥିଲେ। ମଶାଲ ପହଞ୍ଚିବା ପରେ ଅଲିମ୍ପିକ୍‌ ଆୟୋଜନ ନେଇ କଳାବାଦଲ ହଟାଇବାରେ ସହାୟକ ହେବ ବୋଲି ଟୋକିଓ କ୍ରୀଡ଼ା ମୁଖ୍ୟ ୟାସିରୋ ମୋରି ଏକ ଭିଡିଓ ବାର୍ତାରେ କହିଛନ୍ତି। ଏହି ମଶାଲ ଶୁକ୍ରବାର ଜାପାନରେ ପହଞ୍ଚିବ ଏବଂ ୨୬ ତାରିଖରେ ଦେଶ ପରିକ୍ରମା କରିବ। ମଶାଲ ଏକ ସ୍ବତନ୍ତ୍ର ବିମାନ ‘‘ଟୋକିଓ ୨୦୨୦ ଗୋ’’ରେ ହିଁ ଜାପାନ ସାରା ପରିକ୍ରମା କରିବ। ମଶାଲ ପରିକ୍ରମା ପୂର୍ବରୁ ସ୍ବତନ୍ତ୍ର ବିମାନ ଶୁକ୍ରବାର ମିୟାଗି ଫ୍ରିଫେକ୍ଚରସ୍ଥିତ ଜେଏଏସ୍‌ଡିଏଫ୍‌ ମାସୁସୀମା ଏୟାର ବେସ୍‌ରେ ଅବତରଣ କରିବ। ଟୋକିଓ ଅଲିମ୍ପିକ୍‌ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ତେବେ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବାରୁ ଟୋକିଓ କ୍ରୀଡ଼ା ବାତିଲ ହେବା ନେଇ ଆଶଙ୍କା ରହିଛି। ତଥାପି ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି) ଓ ଜାପାନ ସରକାର ଏହା ସୂଚୀ ଅନୁଯାୟୀ ଆୟୋଜିତ ହେବ ବୋଲି ଜୋର୍‌ ଦେଇ କହୁଛନ୍ତି। କରୋନା ଭୂତାଣୁ ସଂକ୍ରମଣରେ ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିଲା ବେଳେ ୮୭୦୦ରୁ ଅଧିକ ମୃତ୍ୟୁ ବରଣ କରିସାରିଲେଣି।

କରୋନା ଭୟ ସତ୍ତ୍ବେ ଅଲିମ୍ପିକ୍ସକୁ ପୂର୍ବ ନିର୍ଧାରିତ ସମୟ ଅର୍ଥାତ୍ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି) ଚାହୁଁଥିଲେ ମଧ୍ୟ ବହୁ ତାରକା ଖେଳାଳି ଏହାକୁ ବିରୋଧ କରିଛନ୍ତି। ଖେଳାଳିଙ୍କ ସ୍ବାସ୍ଥ୍ୟକୁ ଅଣଦେଖା ନକରିବାକୁ ସେମାନେ ମିଳିତ ଭାବେ ଆହ୍ବାନ କରିଛନ୍ତି। ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) କିନ୍ତୁ ଏହି ମାମଲାରେ ଆଇଓସିକୁ ସମର୍ଥନ କରିଛି। କରୋନା ଧୀରେ ଧୀରେ ମହାମାରୀର ରୂପ ନେଉଥିଲା ବେଳେ ଆଇଓସି କହିଲେ ଟୋକିଓ ଅଲିମ୍ପିକ୍ସକୁ ଭାରତୀୟ ଦଳ ପଠାଯିବ ବୋଲି ଆଇଓଏ ଗୁରୁବାର କହିଛି। ‘‘ କରୋନା ଭୂତାଣୁ ସାରା ବିଶ୍ବରେ ବିନାଶଲୀଳା ଚଳାଇଛି। ହେଲେ ଆମେ ଆଶା କରୁଛୁ ଯେ ଏହି ମାରାତ୍ମକ ଭୂତାଣୁକୁ ମାସେ ଦୁଇ ମାସ ଭିତରେ ନିୟନ୍ତ୍ରଣ କରାଯାଇ ପାରିବ। ଚୀନ୍‌ରେ ଏହାର ଭୟାବହତା ଯଥେଷ୍ଟ କମିଗଲାଣି। ଆମେ ଆଶା କରୁଛୁ ଯେ ଅଲିମ୍ପିକ୍ସ ନିର୍ଧାରିତ ସମୟରେ ହେବ’’ ବୋଲି ଆଇଓଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଇଓସି ଆମର ସର୍ବୋଚ୍ଚ ସଂଗଠନ। ସେମାନେ ଯାହା ନିଷ୍ପତ୍ତି ନେବେ, ଆମକୁ ତାହା ମାନିବାକୁ ପଡ଼ିବ। ଯଦି ଆଇଓସି କହିବ ଯେ ଅଲିମ୍ପିକ୍ସ ବାତିଲ ହେବନି, ସେଭଳି ସ୍ଥିତିରେ ଆମକୁ ଦଳ ପଠାଇବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର