ଟୋକିଓ: ୮୦ ପ୍ରତିଶତ ଜାପାନବାସୀ ଟୋକିଓ ଅଲିମ୍ପିକ୍ସ ଆୟୋଜନ ବିପକ୍ଷରେ ମତ ଦେବା ପରେ ଏଠାକାର ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରମାନେ ମଧ୍ୟ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରି ଦେଇଛନ୍ତି। ଅଲିମ୍ପିକ୍ସ ବାତିଲ କରିବା ଅଭିଯାନକୁ ସେମାନେ ଦୃଢ଼ ସମର୍ଥନ କରିଛନ୍ତି। ସମଗ୍ର ବିଶ୍ବ ଓ ଜାପାନ ଯେତେବେଳେ ମହାମାରୀ ସହ ଲଢ଼ୁଛି ସେତେବେଳେ ଦେଶରେ ଅଲିମ୍ପିକ୍ସ ଭଳି ବୃହତ୍ ପ୍ରତିଯୋଗିତା ଆୟୋଜନ କରିବାର ଯଥାର୍ଥତା ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ଟୋକିଓ ସ୍ବାସ୍ଥ୍ୟକର୍ମୀ। ଟୋକିଓ ଡାକ୍ତର ସଂଘର ପାଖାପାଖି ୬,୦୦୦ ସଦସ୍ୟ ସଂପ୍ରତି ସହରରେ ମାଡ଼ି ଚାଲିଥିବା କରୋନାର ଚତୁର୍ଥ ଲହରକୁ ସମ୍ମୁଖୀନ ହେବାରେ ବ୍ୟସ୍ତ ଅଛନ୍ତି। ଏଭଳି ସ୍ଥିତିରେ ଲକ୍ଷ ଲକ୍ଷ ବିଦେଶୀ ଖେଳାଳି ଓ ଅଧିକାରୀ ଜାପାନ ଆସିବା ପରେ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ସେମାନେ। ଏଥିନେଇ ସଂଘ ମଧ୍ୟ ଗତ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ପାଖକୁ ପତ୍ର ଲେଖିଛି। ସଂକ୍ରମଣ ମାତ୍ରା ବହୁଗୁଣ ବଢ଼ିବା ପରେ ଟୋକିଓରେ ସ୍ବାସ୍ଥ୍ୟ ସରଞ୍ଜାମ ଓ ଔଷଧର ଅଭାବ ପରିଲକ୍ଷିତ ହେବା ଆରମ୍ଭ ହୋଇଛି। ଯାହାକୁ ନେଇ ଟୋକିଓ ଡାକ୍ତର ସଂଘ ମଧ୍ୟ ଘୋର ଚିନ୍ତା ଜାହିର କରିଛି। ସେପଟେ ଟୋକିଓ ଅଲିମ୍ପିକ୍ସକୁ ବାତିଲ କରିବା ଦାବି ନେଇ ଆରମ୍ଭ ହୋଇଥିବା ଅନଲାଇନ୍ ପିଟିସନ୍କୁ ବିପୁଳ ସମର୍ଥନ ମିଳିଛି। ପ୍ରତି ଘଣ୍ଟାରେ ହଜାର ହଜାର ଲୋକ ଏଥିରେ ସ୍ବାକ୍ଷର କରୁଛନ୍ତି।
ସୂଚନାଯୋଗ୍ୟ ଯେ ଜାପାନର ୧୨୬ ନିୟୁତ ଜନସଂଖ୍ୟାରୁ ଏପର୍ଯ୍ୟନ୍ତ ମାତ୍ର ୩.୫ ପ୍ରତିଶତ ନାଗରିକଙ୍କୁ କରୋନା ଟିକା ଦିଆଯାଇ ପାରିଛି। ଟିକାକରଣ ପାଇଁ ହୋଇଥିବା ପଞ୍ଜୀକରଣ ବ୍ୟବସ୍ଥାରେ ବି ଅନେକ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଛି। ଯାହାକୁ ନେଇ ଜାପାନ ସରକାର ତୀବ୍ର ସମାଲୋଚିତ ହେଉଛନ୍ତି। ସେପଟେ ଜୁଲାଇ ୨୩ରୁ ଅଗଷ୍ଟ ୮ ମଧ୍ୟରେ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ବି ଚାଲିଛି।